ଅନ୍ୟାୟ ଉପରେ ନ୍ୟାୟର ବିଜୟ, ଜଳିଲା ଅହଙ୍କାରୀ ରାବଣର ସୁବର୍ଣ୍ଣ ଲଙ୍କା

ରାମ ନବମୀ ଠାରୁ ଆରମ୍ଭ ହୋଇ ଦୀର୍ଘ ୧୮ ଦିନ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହୁଏ ରାମାୟଣର ପ୍ରତ୍ୟକଟି ପ୍ରସଙ୍ଗ । ଯେଉଁଠି ଦେଖିବାକୁ ମିଳେ ଓଡ଼ିଶାର ନିଆରା କଳାସଂସ୍କୃତିର ଝଲକ । ଯାହାକୁ ନିରବଛିନ୍ନ ଭାବରେ ବଞ୍ଚାଇ ରଖିଛନ୍ତି ସ୍ଥାନୀୟ ଲୋକେ । ଗତକାଲି ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରାର ଥିଲା ଅନ୍ତିମ ଉତ୍ସବ । ରାବଣ ବଧକୁ ମୁଖ୍ୟ ଉତ୍ସବ ଭାବରେ ଗଣନା କରାଯାଇଥିବାରୁ ଏନେଇ ସମଗ୍ର ଦଶପଲ୍ଲା ଉତ୍ସବମୁଖର ହୋଇଉଠିଥିଲା । କୁଞ୍ଜବନଗଡ଼ ରାଜଦାଣ୍ଡରେ ରାମ ରାବଣଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିବାବେଳେ ଏହାକୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା ।
ପରେ ଏହି ଶୋଭାଯାତ୍ରା ଲଙ୍କାଗଡ଼ ମଞ୍ଚଠାରେ ପହଞ୍ଚିଥିଲା । ସେଠାରେ ଶ୍ରୀରାମ ବ୍ରହ୍ମସ୍ତ୍ର ପ୍ରୟୋଗ କରି ରାବଣକୁ ନିଧନ କରିଥିଲେ । ଯାହାପରେ ହୋଇଥିଲା ରାବଣପୋଡି । ତେବେ ଦଶପଲ୍ଲାର ଏହି ଐତିହାସିକ ଲଙ୍କାପୋଡ଼ି ଯାତ୍ରା ଅନ୍ୟ କେଉଁଠାରେ ଦେଖିବାକୁ ମିଳିନଥାଏ ବୋଲି କୁହାଯାଏ । ଅନ୍ୟପକ୍ଷେ କୁଞ୍ଜବନଗଡ଼ ଲୋକକଳା ଗ୍ରାମ ପ୍ରବେଶ ଦ୍ୱାର ହନୁମାନ ତୋରଣକୁ ଅଭିନବ ଭାବରେ ସଜାଯାଇ ତୋରଣରେ ଶୀର୍ଷରେ ୧୪ ଫୁଟ ଉଚ୍ଚର ଏକ ବିଶାଳ ହନୁମାନଙ୍କ ପ୍ରତିମୂର୍ତ୍ତି ରହିଛି ।
ଯାହାକୁ ବାଚସ୍ପତି ସୁରମା ପାଢ଼ୀ ଓ ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ,ଖଣ୍ଡପଡ଼ା ବିଧାୟକ ଦୁଷ୍ମତ ସ୍ୱାଇଁଙ୍କ ଉପସ୍ଥିତିରେ ଅନାବରଣ କରାଯାଇଥିଲା । ଏଥିରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଲଙ୍କାପୋଡ଼ି ଯାତ୍ରା ଭାବେ ପରିଚିତ ଦଶପଲ୍ଲାର ଏହି ରାମଲୀଳା ଉତ୍ସବ ରାମନବମୀ ଠାରୁ ଆରମ୍ଭ ହୋଇ ୧୮ ଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ । କିନ୍ତୁ ସୀତାହରଣ ପରଠାରୁ ଏଠାରେ ଲୋକଙ୍କ ଭିଡ଼ ଲାଗିଥାଏ ।
ଏଥିପାଇଁ ପୁଷ୍ପକଯାନ ଓ କାଠର ରାବଣ ତିଆରି ହୁଏ । ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଘୁର୍ଣ୍ଣୟମାନ ତଥା ଚଳନ୍ତା ରାବଣ ମୂର୍ତ୍ତି ଏବଂ ପୁଷ୍ପକ ବିମାନ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଏହି ଲଙ୍କାପୋଡ଼ି ଯାତ୍ରାର ଅନ୍ତିମ ରାତ୍ରିରେ ମହାବୀରଙ୍କ ପୀଠରୁ ବାହାରି କଳାକାରମାନେ ଲଙ୍କାପୋଡ଼ି ପଡ଼ିଆ ପର୍ଯ୍ୟନ୍ତ ଆସିଥାନ୍ତି । କଳାକାର ଚରିତ୍ରମାନେ ପାରମ୍ପରିକ କାଠମୁଖା ପିନ୍ଧି ଅଭିନୟ କରିଥାନ୍ତି । ପରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ହାତରେ ନିଧନ ହୋଇଥିଲା ରାବଣ । ଯାହା ଦେଖିବାକୁ ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଜମିଥିଲା ।
ଏହି ସମୟରେ ଆତସବାଜୀରେ ପ୍ରକମ୍ପିତ ହୋଇଉଠିଥିଲା ଦଶପଲ୍ଲା ସହର । ଏହି ଯାତ୍ରା ଦେଖିବା ପାଇ ରାଜ୍ୟର ବହୁସ୍ଥାନରୁ ଲୋକଙ୍କ ଭିଡ଼ ଜମିଥିଲା । ପ୍ରତିବର୍ଷ ରାମଲୀଳା ଏଠି ସତେ ଯେପରି ଜୀବନ୍ୟାସ ପାଇଥାଏ । ଧୀରେ ଧୀରେ ହଜି ଯାଉଥିବା ଭାରତୀୟ ସଂସ୍କୃତିର ମୂକସାକ୍ଷୀ ହୋଇରହିଛି ଦଶପଲ୍ଲା ।
Also read: ଐତିହାସିକ ଲଙ୍କାପୋଡ଼ି ଯାତ୍ରାର ସ୍ବତନ୍ତ୍ରତା, ତାଳ ପୋଥିରେ ଖୋଦିତ ରାମାୟଣର କଥା ବସ୍ତୁ