ସୁନା ବେଶ ସହିତ ୩୨ଟି ଦୁର୍ଲଭ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଜଗନ୍ନାଥ 

ଜଳେଶ୍ୱର: ଜଗତର ନାଥ ଜଗନ୍ନାଥ । ଆଉ ଯିଏ କି ଭାବର ଡୋରିରେ ଭକତଙ୍କ ସହ ବନ୍ଧା । କାଇଁ କେତେ ଦୂରରୁ ଲୋକେ ଧାଇଁ ଆସନ୍ତି ତାଙ୍କର ସେହି ମଦନ ମୋହନ ଚକା ନୟନକୁ ଦେଖିବା ପାଇଁ । ଆଉ ଯିଏ ଥରେ ସେହି ଚକାନୟନକୁ ଦେଖେ ନିଜର ଆଖି ଫେରେଇ ପାରେ ନାହିଁ । କେତେବେଳେ ନିଜ ଭକ୍ତଙ୍କୁ କେଉଁ ରୂପରେ କେଉଁଠି ଦର୍ଶନ ଦେବେ ସେ କଥା କେବଳ ତାଙ୍କୁ ହିଁ ଜଣା । ନିଜ ଭକ୍ତର ଭାବରେ ବିଭୋର ହୋଇ କେଉଁ ନା କେଉଁ ରୂପରେ ଭକତଙ୍କ ପାଖକୁ ଧାଇଁ ଆସନ୍ତି ଦର୍ଶନ ଦେବା ପାଇଁ । ଯଦି ଭକ୍ତର ଭକ୍ତିରେ ଶକ୍ତି ଥାଏ ଆଉ ପବିତ୍ରତା ଥାଏ ତେବେ ଭକ୍ତ ପାଖକୁ ଭଗବାନ ବି ଧାଇଁ ଆସନ୍ତି ।

ପୁରୀ ଯାଇ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ସମସ୍ତଙ୍କ ଇଚ୍ଛା ଥାଏ, ମାତ୍ର ଆର୍ଥୀକ ପରିସ୍ଥିତି ଏବଂ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଅନେକ ଲୋକ ପୁରୀ ଯାଇ ଠାକୁରଙ୍କ ଦର୍ଶନ କରିବାରୁ ବଞ୍ଚିତ ହୋଇଥାନ୍ତି, ସେଥିପାଇଁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମୁତକୁଲା ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ମହାପ୍ରଭୁ ଜଗନ୍ନାଥଙ୍କ ୩୨ ବେଶ ଦର୍ଶନ କରିବା ପାଇଁ ଜମୁଛି ଶ୍ରଦ୍ଧାଳୁ ଙ୍କ ଭିଡ ।

କଥାରେ ଅଛି ଯେଉଁଠି ଭାବ ଥିବ କାଳିଆ ସେଇଠି ବିରାଜିତ ହୋଇଯିବ । ଏଇ ଯେମିତି ଜାମୁତକୁଲା ଗ୍ରାମରେ ବିରାଜିତ ହୋଇଛନ୍ତି ଶ୍ରୀଜୀଉ । ଆଉ କରୁଛନ୍ତି ୧୧ଦିନର ଲୀଳାଖେଳା । ମହାପ୍ରଭୁଙ୍କ ଦୂର୍ଲଭ  ବେଶ ସାଙ୍ଗକୁ ଶ୍ରୀମନ୍ଦିର ଭଳି ଚାଲିଛି ନିତୀକାନ୍ତି । ଯାହାକୁ ଦେଖି ଭକ୍ତି ରସରେ ଜୁଡୁବୁଡୁ ଭକ୍ତ । ମହାପ୍ରଭୁଙ୍କ ସୁନା ବେଶ ସହିତ ୩୨ଟି ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଜଗତର ନାଥ ଜଗନ୍ନାଥ ।ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ମାନେ ଠାକୁରଙ୍କ ସମସ୍ତ ବେଶକୁ ଗୋଟିଏ ସ୍ଥାନରେ ଦର୍ଶନ କରି ମହାପ୍ରଭୁଙ୍କ କୃପାଲାଭ କରୁଛନ୍ତି । ଯାହା ଫଳରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ପାଇଁ  ସ୍ଥାନୀୟ ଅଞ୍ଚଳରେ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

jaga

ପ୍ରଥମ ଦିନରେ ହଜାର ହଜାର ମହିଳା ମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଶିବାଭିଷେକ ହେବା ପରେ ୫୦ ଜଣ ପଣ୍ତିତଙ୍କ ଦ୍ୱାରା ବେଦପାଠ ସାଙ୍ଗକୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପୂଜାର୍ଚ୍ଚନା । ସ୍ଥାନୀୟ ଅଞ୍ଚଳ ସମେତ ବସ୍ତା ,ବାଲିଆପାଳ,ଜଳେଶ୍ୱର, ପଡୋଶୀ ମୟୁରଭଞ୍ଜ ଜିଲ୍ଲା ସହ ପଶ୍ଚିମବଙ୍ଗ ଅଞ୍ଚଳରୁ ଶ୍ରଦ୍ଧାଳୁ ମାନେ ଏଠାକୁ ଛୁଟି ଆସୁଛନ୍ତି । ଅଧିକାଶଂ ଶ୍ରଦ୍ଧାଳୁ ପୁରୀ ଯାଇ ଠାକୁରଙ୍କ ଦର୍ଶନ କରି ପାରନ୍ତି ନାହିଁ । କାଳିଆ ଠାକୁରଙ୍କ ଦର୍ଶନ ପାଇଁ ଆଗ୍ରହ ରହିଥିଲେ ମଧ୍ୟ ବିଭିନ୍ନ କାରଣ ସେମାନଙ୍କୁ ବାଧା ଦେଉଥିଲା । ମାତ୍ର ଏଠାରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗୁଁ ସେମାନଙ୍କ ଦିର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି ।

ଜାମୁତକୁଲା ଗ୍ରାମରେ ଆୟୋଜିତ ଏହି ୩୨ବେଶ କାର୍ଯ୍ୟକ୍ରମ ଫେବୃୟାରୀ ୪ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଶିଷ୍ଟ ପ୍ରବଚକ ମାନଙ୍କ ପ୍ରବଚନ ଶୁଣିବା ପାଇଁ ଲୋକଙ୍କ ଗହଳି ଲାଗିଛି । ଜଗନ୍ନାଥଙ୍କ ବିଭିନ୍ନ ବେଶ ଦର୍ଶନ ସାଙ୍ଗକୁ , ମୀନା ବଜାର ଏବଂ ଚଟପଟି ଖାଇବାର ମଜା ନେଉଛନ୍ତି ଲୋକେ । ସ୍ଥାନୀୟ ଅଞ୍ଚଳ ଏବଂ ପଡୋଶୀ ରାଜ୍ୟରୁ ଅନେକ ଦୋକାନୀ ଏଠାରେ ପସରା ମେଲାଇ ଥିବା ବେଳେ ଶାନ୍ତି ଶୃଙ୍ଖଳାରେ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସକାଳ ଧୂପ ଠୁ ସଞ୍ଜ ଆଳତୀ ସବୁକିଛି ରିତିନୀତୀରେ ସମ୍ପାଦନ ହେଉଛି । ମହାପ୍ରଭୁଙ୍କ ୩୨ ଟି ଦୁର୍ଲଭ ବେଶ ମଧ୍ୟରୁ ଶହେ ବର୍ଷ ହେବ ବନ୍ଦ ରହିଥିବା ରଘୁନାଥ ବେଶ ଦର୍ଶନ ର ସୌଭାଗ୍ୟ ପାଉଛନ୍ତି ଭକ୍ତ । ମହାପ୍ରଭୁଙ୍କ ଦର୍ଶନ ପାଇ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ହୋମିଓପାଥିକ ଚିକିତ୍ସା ଶିବିର ବି କରାଯାଇଛି । ଯେଉଁଠାରେ ଶ୍ରଦ୍ଧାଳୁ ମାନେ ବିନା ଦେୟରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ଔଷଧ ନେଉଛନ୍ତି । ବିଶେଷ ଆକର୍ଷଣ ଭାବରେ ୧୧ ତାରିଖରୁ ୧୫ ତାରିଖ ଯାଏ ୫୬ ମାଦଳ ଅନୁଷ୍ଠିତ ହେବ । ଶେଷ ଦିନରେ ୩୦ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଆନନ୍ଦ ବଜାରର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ କୁହାଯାଇଛି

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଏବଂ ଅଞ୍ଚଳବାସୀଙ୍କ ଭିତରେ ଭାଇଚାରା ଓ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଜଗତର ନାଥ ଜଗନ୍ନାଥଙ୍କ ଅଲୌକିକ ୩୨ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ନିବେଦନ କରିଛନ୍ତି ଆୟୋଜକ କମିଟି ।