ବିଶ୍ୱଶାନ୍ତି ପାଇଁ ଆୟୋଜିତ ହେଲା ୪୮ ପ୍ରହର ନାମଯଜ୍ଞ, ଜମିଲା ଭକ୍ତଙ୍କ ଭିଡ଼
ବିଶ୍ଵଶାନ୍ତି ଏବଂ ପ୍ରାଣୀ-ଜଗତର ମଙ୍ଗଳ ପାଇଁ, ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ୍ ଅନ୍ତର୍ଗତ ନିଧିଆପଲ୍ଲୀଠାରେ ୪୮ ପ୍ରହର ନାମଯଜ୍ଞ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ପଞ୍ଚାୟତବାସୀଙ୍କ ସହଯୋଗରେ ପ୍ରଭୁ ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ ସ୍ଥାପନ, ମନ୍ଦିର ପ୍ରତିଷ୍ଠା, ଘୃତଯଜ୍ଞ, ନାମଯଜ୍ଞ ଏବଂ ଅନ୍ନଯଜ୍ଞର ଆୟୋଜନ ହୋଇଥିଲା । ଏନେଇ ଏଠାରେ ସୃଷ୍ଟି ହୋଇଛି ଖୁବ ଆଧ୍ୟାତ୍ମିକ ପରିବେଶ ।
ହିନ୍ଦୁ ଧର୍ମରେ ରହିଛନ୍ତି ୩୩ କୋଟି ଦେବଦେବୀ । ତା ସାଙ୍ଗକୁ ପ୍ରତ୍ୟେକ ଦେବଦେବୀଙ୍କର ରହିଛି ଭିନ୍ନ ଭିନ୍ନ ପରମ୍ପରା । ସେହିପରି ହିନ୍ଦୁ ଧର୍ମରେ ଯଜ୍ଞର ପରମ୍ପରା ବୈଦିକ କାଳରୁ ଚାଲିଆସୁଛି । ହିନ୍ଦୁ ଧର୍ମ ଗ୍ରନ୍ଥରେ ମନୋକାମନା ପୂର୍ତ୍ତି ପାଇଁ ତଥା ଅନିଷ୍ଟକୁ ଖଣ୍ଡନ କରିବା ପାଇଁ ଯଜ୍ଞ କରାଯାଇଥାଏ । ସେହିଭଳି ଗାଁ ମାନଙ୍କରେ ଆଧ୍ୟାତ୍ମିକ ଚେତନା ସହିତ ଭକ୍ତିଭାବକୁ ଦୃଢ଼ିଭୂତ କରିବା ପାଇଁ ବିଭିନ୍ନ ପ୍ରକାରର ପୂଜା ପାଠ, ଯଜ୍ଞ, ପ୍ରବଚନ ଆଦି ଅନୁଷ୍ଠିତ ହେଉଥିବା ବେଳେ ବିଶ୍ୱଶାନ୍ତି ମହାଯଜ୍ଞର ସ୍ଥାନ ରହିଛି ଖୁବ ସ୍ୱତନ୍ତ୍ର ।
ବିଶେଷ କରି ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଯଜ୍ଞ ଅନୁଷ୍ଠିତ କରାଯାଏ । କିନ୍ତୁ ବିଶ୍ୱଶାନ୍ତି ମହାଯଜ୍ଞ ବିଶ୍ୱ ତଥା ଜନସାଧାରଣଙ୍କ ମଙ୍ଗଳ ପାଇଁ କରାଯାଇଥାଏ । ଶାନ୍ତି ଯଜ୍ଞ ଅର୍ଥାତ୍ ଶାନ୍ତି, ସୁଖ, ସମୃଦ୍ଧି, ସୁସ୍ଥ ନିରାମୟ ଜୀବନ ପାଇଁ ଏହି ଯଜ୍ଞ କରାଯାଇଥାଏ । ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ଏହି ଯଜ୍ଞର ମୂଳ ମନ୍ତ୍ର । ଆଉ ଏହି ଯଜ୍ଞକୁ ନେଇ ସମସ୍ତଙ୍କ ମନରେ ବେଶ୍ ଉତ୍ସାହ ରହିଥାଏ । ଯଜ୍ଞକୁ ଦେଖିବା ପାଇଁ କାହିଁ କେତେ ଦୁରରୁ ଧାଇଁ ଆସିଥାଆନ୍ତି ଲୋକେ । ଭକ୍ତିରେ ପ୍ରଭୁଙ୍କୁ କାମନା କରିଥାଆନ୍ତି ।
ସେହିଭଳି ବିଶ୍ଵଶାନ୍ତି ଏବଂ ପ୍ରାଣୀ-ଜଗତର ମଙ୍ଗଳ ପାଇଁ, ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ୍ ଅନ୍ତର୍ଗତ ନିଧିଆପଲ୍ଲୀଠାରେ ୪୮ ପ୍ରହର ନାମଯଜ୍ଞ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ପଞ୍ଚାୟତବାସୀଙ୍କ ସହଯୋଗରେ ପ୍ରଭୁ ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ ସ୍ଥାପନ, ମନ୍ଦିର ପ୍ରତିଷ୍ଠା, ଘୃତଯଜ୍ଞ, ନାମଯଜ୍ଞ ଏବଂ ଅନ୍ନଯଜ୍ଞର ଆୟୋଜନ ହୋଇଥିଲା । ଏନେଇ ଏଠାରେ ସୃଷ୍ଟି ହୋଇଛି ଖୁବ ଆଧ୍ୟାତ୍ମିକ ପରିବେଶ । ନାମ ସଂକୀର୍ତ୍ତନ ସହ ଶଙ୍ଖ ହୁଳହୁଳିରେ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ ।
୪ ଦିନ ଧରି ଆୟୋଜିତ ଏହି ଆଧ୍ୟାତ୍ମିକ ଉତ୍ସବରେ, ସ୍ଥାନୀୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଏହି ଯଜ୍ଞ ପାଇଁ ଗ୍ରାମବାସୀମାନଙ୍କର ପୂର୍ଣ୍ଣ ସହଯୋଗ ରହିଛି । ଏଥିସହ ପୂରା ଗାଁ ଉତ୍ସବ ମୂଖର ହେବା ସହ ସୁସଜ୍ଜିତ ମଧ୍ୟ ହୋଇଛି । ଏପରି ଭାବେ ସୁରୁଖୁରରେ ଏହି ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଛି । ଏହି ଯଜ୍ଞ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ଏବଂ ଯଜ୍ଞରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।