ବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ୫୦ତମ ଅମରେଶ୍ୱରୀ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ

ବାଜୁଛି ଘଣ୍ଟ ଘଣ୍ଟା। ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ଉତ୍ସବ ସ୍ଥଳ। ମହିଳାମାନଙ୍କଠାରୁ ଆରମ୍ଭ କରି ପୁରୁଷଙ୍କ ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇ ମା’ଙ୍କ ଆରାଧନାରେ ନିମଗ୍ନ ରହିଛନ୍ତି । ମନସ୍କାମନା ପୂର୍ଣ୍ଣ ପାଇଁ ଯୋଡ଼ ହସ୍ତରେ ପ୍ରାର୍ଥନା କରୁଛି ଭକ୍ତ । ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ପଂଚାୟତ ଉତରଶାସନ ଗାଁରେ ବିଷୁବ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଥିବା ୫୦ତମ ମା’ ଅମରେଶ୍ୱରୀଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି । ପ୍ରଥମ ଦିବସରେ ମା’ଙ୍କ ଯଥାବିଧି ପୂଜାର୍ଚ୍ଚନା, ଅଙ୍କୁରାରୋପଣ, କଳସଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା, ଗୀତାପାଠ, ଚଣ୍ଡିପାଠ, ହନୁମାନ ପୂଜା, ଯଜ୍ଞାରମ୍ଭ, ଆହୂତି, ଭୋଗଲାଗି ଆଦି ରୀତିନୀତି ସଂପନ୍ନ ହୋଇଥିଲା । ଦ୍ୱିତୀୟ ଦିବସରେ ମା’ଙ୍କ ଷୋଡଶ ଉପଚାର ପୂଜା, ଗୀତାଯଜ୍ଞ ସମେତ ଯଜ୍ଞକର୍ମ ଅନୁଷ୍ଠିତ ହୋଇଥିଲା । ଶେଷ ଦିବସରେ ଯଜ୍ଞ ଦେବତାଙ୍କ ନଗର ପରିକ୍ରମା, ପୂଜାର୍ଚ୍ଚନା ଓ ରାତିରେ ଯଜ୍ଞରେ ପୂର୍ଣ୍ଣାହୂତି ଦିଆଯାଇଥିଲା । ପୂଜକ ଓ ସହଯୋଗୀମାନେ ଯଜ୍ଞକର୍ମ ସମ୍ପାଦିତ କରିଥିଲେ ।

ପ୍ରତ୍ୟହ ସଂଧ୍ୟାରେ ଭଜନ ସମାରୋହ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମା’ଙ୍କ ଦର୍ଶନ ସହ ପ୍ରବଚନ ଶୁଣିବା ଲାଗି ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଉଦଯାପନୀ ଦିବସରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମେତ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରି କୃପା ଲାଭ କରିଥିଲେ । ସ୍ଥାନୀୟ  ଉତର ଶାସନ, ଦୁବଗଡିଆ, ନାଉପାଳ ଗ୍ରାମବାସୀ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଆଖ ପାଖ ଅଂଚଳର ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ସାହାଯ୍ୟ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ହିନ୍ଦୁ ପରମ୍ପରା ସଂସ୍କୃତି ଅବର୍ଣ୍ଣନୀୟ । ସେଥି ମଧ୍ୟରେ ଓଡିଶାରେ ରହିଛି ୧୨ ମାସରେ ୧୩ ପର୍ବ । ପ୍ରତ୍ୟେକ ପ୍ରଥା ପରମ୍ପରା, ପୂଜା ପାଠ ପଛରେ ରହିଛି ଅନେକ କୀମ୍ବଦନ୍ତି । ଯାହା ଆମ ମନରେ ଈଶ୍ୱର ବିଶ୍ୱାସକୁ ଆଜି ଯାଏ ସୁଦୃଢ କରି ରଖିଛି ।

Also Read: ମାଆ ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା