କେବେ ଆସିବ ବିଜୁଳି-ପାଣି ? ବଢୁଛି ଅପେକ୍ଷା, ବଢୁଛି ଦୁର୍ଦ୍ଦଶା

ଭୁବନେଶ୍ୱର : ପାଣି, ବିଜୁଳି। ଲୋକଙ୍କୁ ଏହା ଯୋଗାଇବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ। ଭୁବନେଶ୍ୱରରେ କାଲି ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ ଯୋଗାଣ ପାଇଁ ଦିଆଯାଇଥିଲା ପ୍ରତିଶ୍ରୁତି। ଏହା ପୁରଣ ହେବ ତ? ଭୁବନେଶ୍ୱରରୁ ତିନିଟି ଡିଭିଜନ ରହିଛି। BCDD-1, BCDD-2 ଓ BED। BCDD-1 ରେ ୪୬ଟି ୧୧କେଭି ଫିଡର ରହିଛି। ସେଥିରୁ ୩୭ଟି ଚାଲୁ ହୋଇଗଲାଣି, ରାତି ସୁଦ୍ଧା ଆଉ ୬ଟି ଚାଲୁ ହୋଇଯିବ। ଏହି ଡିଭିଜନରୁ ବର୍ତ୍ତମାନ ସୁଦ୍ଧା ୩୭ ହଜାର ଗ୍ରାହକ ବିଜୁଳି ପାଇଲେଣି, ଆଜି ରାତି ସୁଦ୍ଧା ଆଉ ୨୦ ହଜାର ଗ୍ରାହକଙ୍କୁ ବିଦ୍ୟୁତ ମିଳିବ। ସେହିପରି BCDD-2  ର ୬୬ଟି ଫିଡରରୁ ୨୯ଟି ଫିଡ୍‌ର କାର‌୍ୟ୍ୟ କରୁଛି। ୩୩ ହଜାର ଗ୍ରାହକକୁ ବିଜୁଳି ଯୋଗାଇ ଦିଆଗଲାଣି। ଆଜି ରାତି ସୁଦ୍ଧା ଆଉ ୨୫ ହଜାର ଗ୍ରାହକଙ୍କୁ ବିଜୁଳି ଯୋଗାଇ ଦିଆଯିବ। BED ଡିଭିଜନରେ ୩୭ଟି ଫିଡରରୁ ୧୫ଟି କାର୍ଯ୍ୟ କରୁଛି। ଏହି ଡିଭିଜନରେ ଭୁବନେଶ୍ୱର ୧୬ ହଜାର ଗ୍ରାହକଙ୍କୁ ବିଜୁଳି ଯୋଗାଇ ଦିଆଯାଇଛି।

ଆସନ୍ତା ୧୨ ସୁଦ୍ଧା ପୁରା ଭୁବନେଶ୍ୱରକୁ ବିଜୁଳି ମିଳିବ ବୋଲି ପ୍ରଶାସନ କହିଛି। ଏହାସହ ପୁରୀ ବଡ଼ଦାଣ୍ଡକୁ ୧୨ ତାରିଖ ସୁଦ୍ଧା ଦିଆଯିବ ବିଦ୍ୟୁତ ସେବା। ପୁରୀ ଓ କୋଣାର୍କରେ ଅନ୍ୟ ଅଂଚଳ ପାଇଁ ୧୫ ତାରିଖରୁ ବିଦ୍ୟୁତ ଯୋଗାଣ ଆରମ୍ଭ ହେବ। ପୁରୀ ଜିଲ୍ଲାରେ ୧୮୦୦ ଓ ଖୋର୍ଦ୍ଧାରେ ଏକ ହଜାର ବିଦ୍ୟୁତ କର୍ମଚାରୀ କାମରେ ଲାଗିଛନ୍ତି।

ଭୁବନେଶ୍ୱର, କୋଣାର୍କ ଓ ନିମାପଡ଼ାରେ ଶତ ପ୍ରତିଶତ ଜଳ ଯୋଗାଣ ହେଉଛି। କଟକ, ଖୋର୍ଦ୍ଧା ଓ ଜଟଣିରେ ମଧ୍ୟ ଶତ ପ୍ରତିଶତ ଜଳ ଯୋଗାଣ ହେଉଛି। ବାତ୍ୟା ପ୍ରଭାବିତ ସମସ୍ତ ପୌରାଞ୍ଚଳରେ ଜଳ ଯୋଗାଣ ସ୍ୱାଭାବିକ ହୋଇ ସାରିଛି। ବାତ୍ୟା ଯୋଗୁଁ ଗ୍ରାମାଞ୍ଚଳର ୨୩୬୪ଟି ପାଇପ ୱାଟର ସ୍କିମ୍‌ ପ୍ରଭାବିତ ହୋଇଥିଲା। ସେଥିରୁ ୧୫୫୦ଟି ପାଇପ ୱାଟର ବ୍ୟବସ୍ଥାକୁ ପୁନରୁଦ୍ଧାର କରାଯାଇଛି। ମରାମତି କାମ ପାଇଁ ପ୍ରତି ପ୍ରଭାବିତ ଜିଲ୍ଲାକୁ ୧୦ରୁ ୧୫ ଜଣିଆ ଟିମ୍‌ ପଠାଯାଇଛି। ଏହାସହ ମୋବାଇଲ ରିପେୟାର ଟିମ୍‌ ମଧ୍ୟ ଗାଁ ଗାଁ ବୁଲୁଛନ୍ତି ନଳକୂପ ମରାମତି ପାଇଁ।

ବାତ୍ୟା ପରେ ସଫେଇ ଓ ସ୍ୱଚ୍ଛାତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। କେବଳ ଭୁବନେଶ୍ୱରରେ ୧୫୦ ଇଞ୍ଜିନିୟର ଓ ପୌର କର୍ମଚାରୀ ନିୟୋଜିତ ଅଛନ୍ତି। ଏହାସହ ୩ ହଜାର ୨୦୦ ସଫେଇ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ବାତ୍ୟା ଯୋଗୁଁ ୧୩ଟି ପୌରାଞ୍ଚଳ ପ୍ରଭାବିତ ହୋଇଥିଲା। ସେ ସବୁ ସ୍ଥାନରେ ମୋଟ ୬୨୧ ଇଞ୍ଜିନିୟର ଓ କର୍ମଚାରୀଙ୍କ ସହ ୫ହଜାର ସଫେଇ କର୍ମଚାରୀ ନିୟୋଜିତ ଅଛନ୍ତି।