ରାଜଧାନୀରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଦ୍ୟୁତ ମରାମତି କାମ, ଝାଳ ବୁହାଇ ବିଜୁଳି ଖୁଣ୍ଟ ମରାମତିରେ ଲାଗିଛନ୍ତି ବାହାର ରାଜ୍ୟରୁ ଆସିଥିବା ଶ୍ରମିକ

ଦିନ ଦ୍ୱିପହର। ତାତି ଓ ଗୁଳୁଗୁଳି। ଝାଳ ବୁହାଇ ବିଜୁଳି ଖୁଣ୍ଟ ମରାମତିରେ ଲାଗିଛନ୍ତି, ବାହାର ରାଜ୍ୟରୁ ଆସିଥିବା ଶ୍ରମିକ। ରାଜଧାନୀର ଅନେକ ସ୍ଥାନରେ ଏପରି ଦୃଶ୍ୟ। ସରକାର ପ୍ରତିଶ୍ରୁତି ଦେଇଥିଲେ ଆଜି ସୁଦ୍ଧା ୮୦ ପ୍ରତିଶତ ଗ୍ରାହକଙ୍କୁ ମିଳିବ ବିଦ୍ୟୁତ ସେବା। ସେହି ଲକ୍ଷ୍ୟ ପୁରଣ କରିବାକୁ ସେସୁ ଓ ବିଦ୍ୟୁତ୍ କର୍ମଚାରୀ ପରିଶ୍ରମରେ ଲାଗିଛନ୍ତି।
ରାଜଧାନୀର କିଛି ଅଂଚଳକୁ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇ ପାରିଛି। କିନ୍ତୁ ଅନେକ ଅଂଚଳରେ ଲୋକେ ଏବେ ବି ବିନା ବିଜୁଳିରେ ଚଳୁଛନ୍ତି। ନା ପଙ୍ଖା ବୁଲୁଛି ନା ଏସି ଚାଲୁଛି। ଗୁଳୁଗୁଳି ସମୟରେ ବିନା ଏସି ଓ ପଙ୍ଖାରେ, ବିଞ୍ଚଣା ହିଁ ଏକ ମାତ୍ର ସାହା। ଯାହା ଘରେ ଛୋଟ ପିଲା ଅଛନ୍ତି, ସେମାନଙ୍କ ପାଇଁ ଚିନ୍ତା ଅଧିକ। ପିଲାଟି ମୁହଁରେ ହସ ଟିକିଏ ରଖିବାକୁ ଦିନ ରାତି ମାଆ ବିଞ୍ଚଣା ଧରି ବସୁଛି। ପିଲାଙ୍କ ପଢ଼ାପଢିରେ ବି ଅସୁବିଧା। ବିଜୁଳି ନାହିଁକି ପାଣି ନାହିଁ। ଏଭଳି ପରିସ୍ଥିତିରେ ରୋଷେଇ ଘରେ ପଶିବାବି କଷ୍ଟ। ଯଦି କାହାଘରେ ରନ୍ଧନ ଗ୍ୟାସ ସରିଛି, ତେବେ ଅବସ୍ଥା ଆହୁରି ଖରାପ। ନା ଘରେ ରହି ହେଉଛି ନା ବାହାରକୁ ଯାଇ ହେଉଛି।
ସରକାର କହିଥିଲେ, ରାଜଧାନୀରେ ଆଜି ରାତି ସୁଦ୍ଧା ୮୦ ପ୍ରତିଶତ ଘରେ ବିଜୁଳି ଆଲୁଅ ପହଞ୍ଚିବ। ୧୨ ତାରିଖ ସୁଦ୍ଧା ସବୁ ଘରକୁ ମିଳିବ ବିଦ୍ୟୁତ ସେବା। କିନ୍ତୁ ଏ ପ୍ରତିଶ୍ରୁତି ସରକାର ରକ୍ଷା କରି ପାରିବେ କି?