ବିରଳ ପରମ୍ପରା: ଏଠି ମହିଳାମାନେ ମୁଣ୍ଡ ଉପରେ ଝୁଣା ଦାନି ରଖି ମାଆ ଦୁର୍ଗାଙ୍କୁ କରିଥାନ୍ତି ଆଳତୀ

ଭଦ୍ରକ: ମଥା ଉପରେ ଝୁଣା ଦାନି । ହୁତୁ ହୁତୁ ହୋଇ ଜଳୁଛି ନିଆଁ । ମହିଳା ମାନେ ଶ୍ରଦ୍ଧା ଭାବରେ ମୁଣ୍ଡ ଉପରେ ଝୁଣା ଦାନି ଧରି ତଳେ ବସି ରହିଛନ୍ତି । ଏମିତି ଏକ ପରମ୍ପରା ବିରଳ । ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଆଙ୍କ ମହାଆଡମ୍ବର ସହକାରେ ପାଳନ ହେଉଛି ପୂଜା । ଗତକାଲି ଅନୁଷ୍ଠିତ ମହାଷ୍ଟମୀ ପୂଜା ହୋଇଥିଲା । ଭଦ୍ରକ ସହରସ୍ଥ ସନ୍ଥ ନଗର ସନ୍ଥିଆ ନୀଳକଣ୍ଠପୁର ଠାରେ ଏହି ଅବସରରେ ମାନସିକଧାରୀ ଭକ୍ତମାନଙ୍କ ଦ୍ଵାରା ନିଆରା ଝୁଣା ଆଳତୀ ପରିକ୍ରମା କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଯଥା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି ।
ଏଠାରେ ଦୀର୍ଘ ବର୍ଷ ଧରି ଦୁର୍ଗତୀ ନାଶିନୀ ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା ବଙ୍ଗୀୟ ପରମ୍ପରା ଅନୁସାରେ ହୋଇଥାଏ । ମଣ୍ଡପରେ ବିଶେଷତ୍ଵ ହେଉଛି ଏଠାରେ ଶତାଧିକ ମାନସିକଧାରୀ ଏବଂ ମାନସିକ ପୂର୍ଣ୍ଣ ହୋଇଥିବା ମହିଳା ତଥା ପୁରୁଷ ଏକତ୍ରିତ ହୋଇ ମାଆ ଦୁର୍ଗାଙ୍କ ସମ୍ମୁଖରେ ମୁଣ୍ଡରେ ଝୁଣା ରଖି ଝୁଣା ପାଠ କରିବା ସହ ମାଆ ଦୁର୍ଗାଙ୍କ ମଣ୍ଡପ ଚାରିପଟେ ସମର୍ପିତ ମନୋଭାବ ନେଇ ମାଆ ଦୁର୍ଗାଙ୍କୁ ଆବାହନ କରିବା ସହ ପରିକ୍ରମା କରିଥାନ୍ତି । ଯାହାକି ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳୁନଥିବାବେଳେ କେବଳ ଭଦ୍ରକ ସନ୍ଥିଆ ସ୍ଥିତ ନୀଳକଣ୍ଠପୁର ଠାରେ ଦେଖିବାକୁ ମିଳିଥାଏ । ଏହା ସମ୍ପୂର୍ଣ୍ଣ ଭାବେ ଏକ ନିଆରା ପରମ୍ପରା ।
ସୂଚନାଯୋଗ୍ୟ, ଭଦ୍ରକ ସନ୍ଥିଆ ସ୍ଥିତ ନୀଳକଣ୍ଠପୁର ଠାରେ ଜଗତ ଜନନୀ ମାଆ ଦୁର୍ଗାଙ୍କର ପୂଜା କାହିଁ କାଳରୁ ହୋଇ ଆସୁଛି । ଏଠାରେ ବଙ୍ଗୀୟ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି । ଏଠାରେ ଅନେକ ଶ୍ରଦ୍ଧାଳୁ ମାନେ ନିଜ ନିଜ ମାନସିକ କରିଥାନ୍ତି । ମାନସିକ ପୂରଣ ହେଲା ପରେ ମାଆ ଦୁର୍ଗାଙ୍କ ପାଖରେ ସାଳନ୍ଦୀ ନଦୀରୁ ବୁଡ଼ ପକାଇ ମାଆ ଦୁର୍ଗାଙ୍କ ସମ୍ମୁଖରେ ମୁଣ୍ଡରେ ଝୁଣା ଜାଳିବା ସହ ଝୁଣା ଆଳତି କରିଥାନ୍ତି । ପ୍ରତିବର୍ଷ ମାଆ ଦୁର୍ଗାଙ୍କ ପାଖରେ ଶହ ଶହ ଶ୍ରଦ୍ଧାଳୁ ମାନେ ଆସି ରୀତିନୀତି ଅନୁଯାୟୀ ଏହି ଝୁଣା ଆଳତି କରିଥାନ୍ତି ।
ତେବେ ମାଆ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ । ଯିଏ ଯାହା ମାନସିକ କରିଥାନ୍ତି ମାଆ ସବୁ ମାନସିକ ପୂରଣ କରିଥାନ୍ତି । ଏହି ମଣ୍ଡପରେ ଜଗତ ଜନନୀ ମାଆ ଦୁର୍ଗାଙ୍କର ୫ଦିନ ଧରି ବଙ୍ଗୀୟ ପରମ୍ପରା ଅନୁଯାୟୀ ପୂଜା କରାଯାଏ । ତେବେ ଶାରଦୀୟ ଦୁର୍ଗାପୂଜାରେ ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତମାନେ ନିଷ୍ଠାର ସହିତ ଉପବାସ ରହି ମାଆ ଦୁର୍ଗାଙ୍କ ପାଖ ସାଳନ୍ଦୀ ନଦୀରୁ ବୁଡ଼ ପକାଇ ମୁଣ୍ଡରେ ଝୁଣା ଜାଳି ଥାନ୍ତି । ଏହି ଝୁଣା ଜଳା ଏକ ସମ୍ପୂର୍ଣ୍ଣ ନିଆରା ପରମ୍ପରା । ଯାହା କି ଓଡ଼ିଶାରେ ଅନ୍ୟତ୍ର ଏଭଳି ବିରଳ ପରମ୍ପରା ଦେଖା ଯାଇନଥାଏ ।
ତେଣୁ ରାଜ୍ୟ ତଥା ରାଜ୍ୟ ବାହାରୁ ସନ୍ଥିଆ ସ୍ଥିତ ନୀଳକଣ୍ଠପୁର ଠାରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ସେହିଭଳି ବିଭିନ୍ନ ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ମାଆଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଅନ୍ୟ ପକ୍ଷରେ ଏହି ଝୁଣା ପାଠ ସମୟରେ ମାଆ ଦୁର୍ଗା ଭକ୍ତଙ୍କ ଦେହରେ ଆବିର୍ଭାବ ହେବା ସହ ଦାସୀ ଆସୁଥିବା ଦେଖିବାକୁ ମିଳିଥାଏ ।