ଶବଦାହର ୨ଦିନ ପରେ ଶ୍ମଶାନରେ ପୋଲିସର ତଦନ୍ତ ଜାରି

ଗଞ୍ଜାମ: ଶବଦାହର ୨ଦିନ ପରେ ଶ୍ମଶାନରେ ପୋଲିସ ଛାନଭିନ । ଶ୍ମଶାନରୁ ମୃତକଙ୍କ ହାଡ଼ ଓ ପାଉଁଶ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ଓ ସାଇଣ୍ଟିଫିକ ଟିମ୍ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳିକା ବୋହୂର ମୃତ୍ୟୁ ପରେ ତାଙ୍କ ପରିବାରର ଅଭିଯୋଗ ଆଧାରରେ ଶ୍ମଶାନରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଗତ ୨୨ତାରିଖରେ ଭୀଷ୍ମଗିରି ଗାଁର ଜିତେନ୍ଦ୍ର ବିଷୋୟୀଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ କାହାକୁ ନଜଣାଇ ତାଙ୍କ ମୃତଦେହକୁ ପୋଡ଼ି ଦିଆଯାଇଥିଲା । ମୃତକଙ୍କ ବାପା ଖବର ପାଇଁ ଥାନାରେ ଜଣାଇବା ପରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଶ୍ମଶାନରେ ପହଞ୍ଚି ହାଡ଼ ଓ ପାଉଁଶ ଜବତ କରିଛନ୍ତି । ତାଙ୍କ ଝିଅକୁ ହତ୍ଯା କରାଯାଇଥିବା ମୃତକଙ୍କ ବାପା ଅଭିଯୋଗ କରିଛନ୍ତି । ମୃତକଙ୍କ ସ୍ୱାମୀ ଓ ଶ୍ୱଶୁରକୁ ଥାନାରେ ଅଟକ ରଖି ତଦନ୍ତ ଜାରୀ ରଖିଛି ପୋଲିସ । କିଛି ଦିନ ତଳେ ଜିତେନ୍ଦ୍ର ସେହି ଗାଁର ଜଣେ ନାବାଳିକାକୁ ନେଇ ଫେରାର ହୋଇଯାଇଥିଲେ । ପରେ ସେମାନେ ଗାଁକୁ ଫେରିବା ପରେ ଦୁହିଁଙ୍କୁ ଏକ ମନ୍ଦିରରେ ବିବାହ କରାଯାଇଥିଲା । କିନ୍ତୁ ୨୨ ତାରିଖରେ ନବବଧୂର ମୃତ୍ୟୁ ଘଟିଥିଲା ।