ଅଗ୍ନି ରୂପରେ ପ୍ରକଟ ହେଲେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳା

ତାଳଚେର : ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କର ଜନ୍ତାଳ ପୂଜା ସମ୍ପର୍ଣ୍ଣ ହୋଇଛି । ବାର୍ଷିକ ଯାତ୍ରା ଉତ୍ସବର ନଅ ଦିନ ପୂର୍ବରୁ ଆବାହନୀ ପୂଜା ବା ଜନ୍ତାଳ ପୂଜା ଭାବେ ପ୍ରସିଦ୍ଧ ଏହି ପୂଜା ଯଥା ରୀତି ଅନୁସାରେ ସମ୍ପର୍ଣ୍ଣ କରାଯାଇଛି । ମାଆ ହିଙ୍ଗୁଳାଙ୍କ ପାର୍ଶ୍ଵ ଦେବୀ ଭାବେ ପ୍ରସିଦ୍ଧ କୁଟେଇ ଶୁଣୀଙ୍କ ପୀଠରେ ଏହି ପୂଜା କରାଯାଇଥିଲା । ବିଧି ପୂର୍ବକ ଦିଅଁ ଘରୁ ଆଲମ ଅଣାଯାଇ ପତିଆରଙ୍କୁ ଡକାଯାଇ ପୂଜା କରାଯାଇଥିଲା ।
ମାଆ କାଳିଶି ରୂପେ ବିଜେ ହୋଇ ଉଭା ସ୍ଥାନ ଚିହ୍ନଟ କରିବାର ପରମ୍ପରା ରହିଛି । ଏଥିପାଇଁ ପତିଆରଙ୍କୁ ଦେହୁରି ମାନେ ଘିଅ, ମୋହୁ, ଗୁଡ , ଝୁଣା ଓ ଧୂପ ଆଦି ଦେଇ ମାଜଣା କରାଇଥିଲେ । ପରେ ପତିଆରଙ୍କ ଦେହରେ କାଳୀସି ଆସିବା ପରେ ମନ୍ଦିରର ମୁଖ୍ୟ ପୂଜକ ଉଭାସ୍ଥଳୀର ଦିଗ ନିର୍ଣ୍ଣୟ ପାଇଁ ପଚାରିଥାନ୍ତି । ପରେ ଅଧଃ ରାତ୍ରିରେ ମୁଖ୍ୟ ପୂଜକ ସେହି ଦିଗରେ ଯାଇ ମାଆ ହିଙ୍ଗୁଳାଙ୍କୁ ଅଗ୍ନି ରୂପରେ ଦର୍ଶନ କରି ସ୍ଥାପନା କରାଇଥାନ୍ତି । ଜନ୍ତାଳ ପୂଜା ରାତିରେ ମାଆ ନିଜେ ଉଭା ସ୍ଥଳୀରେ ଅଗ୍ନି ରୂପରେ ପ୍ରକଟ ହୁଅନ୍ତି । ଆସନ୍ତା ଏପ୍ରିଲ ମାସ ୧୧ ତାରିଖରୁ ମାଙ୍କର ପ୍ରସିଦ୍ଧ ଯାତ୍ରା ଉତ୍ସବ ଅନୁଷ୍ଠିତ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି ।
ଆଉ କିଛି ଦିନ ପରେ ଅନୁଷ୍ଠିତ ହେବ ମାଆଙ୍କ ବାର୍ଷିକ ନବ ଦିନାତ୍ମକ ଯାତ୍ରା ଯାହାର ମୁଖ୍ୟ ପୂଜା ହେଉଛି ଏହି ଜନ୍ତାଳ ପୂଜା । ତେବେ ଏହି ଜନ୍ତାଳ ପୂଜାକୁ ଦେଖିବାକୁ ଅନେକ ଭକ୍ତ ବହୁ ଦୂରଦୂରାନ୍ତରୁ ଆସିଥିବା ବେଳେ ସେମାନଙ୍କ ମନରେ ମାଆକୁ ଦର୍ଶନ କରିବା ପାଇଁ ଉତ୍କଣ୍ଠା ଭରି ରହିଥିଲା ।
ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳା ପ୍ରତ୍ୟକ୍ଷ ଠାକୁରାଣୀ ହୋଇଥିବାରୁ ଭକ୍ତ ମାନଙ୍କର ସୁଅ ଛୁଟି ଥିଲା । ସମସ୍ତ ଶ୍ରଦ୍ଧାଳୁ ମାଙ୍କୁ ପଣା ପାଣି ଦେଇ ଆବାହନ କରିଥିଲେ । ଚୈତ୍ର ମାସରେ ମାଆଙ୍କର ଏହି ଜନ୍ତାଳ ପୂଜା ଅନୁଷ୍ଠିତ ହେଉଥିବା ରୁ ଏହାକୁ ଦେଖିବାକୁ ଓ ମାଆଙ୍କ ଆଶିଷ ଲାଭ କରିବା ପାଇଁ ବହୁ ଭକ୍ତ ଏହାକୁ ଅନାଇ ବସିଥାନ୍ତି । ତାଳଚେର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାକୁ ଆଉ ନଅ ଦିନ ବାକି ରହିଥିବା ବେଳେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି ।
ଆହୁରି ପଢନ୍ତୁ: ଦଣ୍ଡଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଛି ଅନ୍ନପ୍ରସାଦ, ‘ଅକଟା-ଅବଟା’ ନିୟମରେ ପ୍ରସ୍ତୁତ ହୋଇଥାଏ ଭାତ-ଡାଲି