ବର୍ଷସାରା ଖିରି ଭୋଗ ଲାଗେ ଏଠାରେ, ଏହା ପଛରେ ରହିଛି କିମ୍ବଦନ୍ତୀ

ବ୍ରହ୍ମଗିରି: ପ୍ରଭୁ ଅଲାରନାଥ । ନାରାୟଣଙ୍କ ସ୍ୱରୂପ । ମହାପ୍ରଭୁ ଜଗନ୍ନାଥ ଅଣସର ଘରେ ରହିଲେ ତାଙ୍କ ରୂପ ନେଇ ଦର୍ଶନ ଦିଅନ୍ତି ଅଲାରନାଥ । ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଅଲାରନାଥଙ୍କ ପ୍ରସିଦ୍ଧ ପୀଠ । ଅନେକ କିମ୍ବଦନ୍ତୀ ଓ ଅଲୌକିକ କାହାଣୀ ସହ ଐତିହାସିକ ପୃଷ୍ଠଭୂମି ରହିଛି ଅଲାରନାଥଙ୍କୁ ନେଇ । ତେବେ ଏହି ମନ୍ଦିରରେ ବର୍ଷ ତମାମ ଖିରୀ ଭୋଗ କରାଯାଇଥାଏ । ଅଲାରନାଥ ଏବଂ ଖିରୀ ଭୋଗ ସହ ଏକ ସୁନ୍ଦର କିମ୍ବଦନ୍ତୀଟିଏ ରହିଛି । ଏମିତିକି ପ୍ରଭୁ ଅଲାରନାଥଙ୍କୁ ଖିରିଖିଆ ଠାକୁର ବୋଲି କୁହାଯାଏ । ଅଲାରନାଥଙ୍କ ପ୍ରିୟ ପ୍ରସାଦ ହେଉଛି ଖିରୀ । ଏହି ଖିରୀ ଭୋଗର ସ୍ୱାଦ ମଧ୍ୟ ନିଆରା । ତେବେ ଏଠାରେ କାହିଁକ ଖିରୀ ପ୍ରସାଦ ହୋଇଥାଏ ଏ ବିଷୟରେ କଣ କିମ୍ବଦନ୍ତୀ ରହିଛି । ଆସନ୍ତୁ ଜାଣିବା…
ଥରେ ଅଲାରନାଥଙ୍କ ପୂଜକ ଅଲାଲ୍ୟ ଜ୍ୱରରେ ପୀଡିତ ଥିଲେ । ସେ ନିଜ ୫ ବର୍ଷର ପୁଅକୁ ଶ୍ରୀଜିଉଙ୍କ ସମ୍ବନ୍ଧୀୟ କେତେକ ଶିକ୍ଷା ଦେଇ ପୂଜା ପାଇଁ ପଠାଇ ଥିଲେ । ପୂଜା କରିବାର ପଦ୍ଧତି,ମନ୍ତ୍ର ପାଠ,ନୀତିକାନ୍ତି ସମ୍ପର୍କରେ ୫ ବର୍ଷର ଶିଶୁପୂତ୍ର ସମ୍ପୂର୍ଣ୍ଣ ଅଜ୍ଞ କିନ୍ତୁ ଅଲାରନାଥଙ୍କ ସେବା କରିବା ପାଇଁ ଶିଶୁପୁତ୍ର ଅତ୍ୟନ୍ତ ଆଗ୍ରହ ସହ ଯାଇଥିଲା । ମା’ଙ୍କ ହାତ ତିଆରି ରନ୍ଧା ହୋଇଥିବା ଖିରୀକୁ ଠାକୁରଙ୍କୁ ଅର୍ପଣ ପାଇଁ ଦିଆଯାଇଥିଲା ।ଏହାପରେ ଶିଶୁପୁତ୍ରଟି ଅଲାରନାଥଙ୍କ ଆଗରେ ଖିରୀ ପାତ୍ର ରଖି ବାପା କହିବା ଅନୁସାରେ ୩ ଥର ତାଳି ମାରିଥିଲା । ବାପା ଅସୁସ୍ଥ ଥିବା କଥା ଠାକୁରଙ୍କୁ ଜଣାଇଥିଲା । ଏହାପରେ ପିଲାଟି କବାଟ ବନ୍ଦ କରି ଦେଇଥିଲା । କିଛି ସମୟ ବନ୍ଦ କବାଟ ପାଖରେ ଅପେକ୍ଷା କରିଥିଲା । ଅଲାରନାଥ ଖିରୀ ଖାଉଛନ୍ତି କି ନାହିଁ ତାହା ଜାଣିବା ପାଇଁ କବାଟ ଫାଙ୍କରେ ଦେଖିଲା । ସତକୁ ସତ ପ୍ରଭୁ ଖିରୀ ଖାଉଥିବା ସେ ଦେଖିଲା । ଏହାପରେ ଦ୍ୱାର ଖୋଲି ଭୋଗ ପାତ୍ର ଧରି ଘରକୁ ଫେରିଲା ।
ପୁଅ ଧରିଥିବା ଖିରୀ ପାତ୍ର ଅଧା ଖାଲି ଥିବାର ଦେଖି ମା ବଳକା ଖିରୀ କୁଆଡେ ଗଲା ବୋଲି ପଚାରିଥିଲେ । ଖିରୀ ଠାକୁର ଖାଇଥିବା କଥା ପୁଅ ମାଆଙ୍କୁ କହିଲା । ମାଆ ପୁଅର କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ଠାକୁର ଖିରୀ ଖାଉଥିବାର ଦୃଶ୍ୟ ଶିଶୁପୁତ୍ର ନିଜେ ଦେଖିଥିବା କଥା କହିଲା । ଏହାପରେ ବାପା ଅଲଲ୍ୟା ପୁନର୍ବାର ଖିରୀ ତିଆରି କରି ମନ୍ଦିରକୁ ଯାଇଥିଲେ । ପୁଅର କଥା କେତେ ସତ ତାହା ଜାଣିବା ପାଇଁ ସେ କବାଟ ଫାଙ୍କରୁ ଚାହିଁଲେ । ଘନ ଅନ୍ଧାକାର ଭିତରେ ଜଣେ କଳା ପରୁଷ ଚକା ମାରି ଖିରୀ ଖାଉଥିବା ସେ ଦେଖିଥିଲେ । ବ୍ରାହ୍ମଣ ଭାବ ବିହ୍ଵଳ ହୋଇ ଯାଇଥିଲେ । ଶ୍ରୀଜିଉ ଖିରି ଖାଇ ତରତରରେ ବାହାରି ଗଲା ବେଳେ ହାତରେ ଥିବା ଗରମ ଖିରି ପ୍ରଭୁଙ୍କ ହାତ ଓ ଓଠ ଉପରେ ପୋଡି ଯାଇଥିଲା । ଯାହା ଏବେବି ବିଦ୍ୟମାନ ।
ବିଗ୍ରହଙ୍କ ଛାତି, ହାତ, ଆଉ ଓଠରେ ସେହି ପୋଡ଼ା ଫୋଟକା ଚିହ୍ନ ଦେଖିବାକୁ ମିଳେ । ଏପଟେ ଖୁସିରେ ବ୍ରାହ୍ମଣ ପ୍ରଭୁଙ୍କୁ ଦର୍ଶନ କରି ତାଙ୍କ କୁନି ପୁଅକୁ ଖୁବ୍ ଗେଲ କରିଥିଲେ । ପ୍ରଭୁ ବ୍ରାହ୍ମଣଙ୍କୁ ଦର୍ଶନ ଦେଇ କହିଲେ ମୁଁ ତୁମ ପୂଜାରେ ସନ୍ତୁଷ୍ଚ । ତୁମେ ତୁମର ପତ୍ନୀ ଓ ୫ ବର୍ଷର ପୁଅ ବୈକୁଣ୍ଠରେ ସ୍ଥାନ ପାଇବ । ଏହି କିମ୍ବଦନ୍ତୀ ଯୋଗୁଁ ଆଜି ପର୍ଯ୍ୟନ୍ତ ଶ୍ରୀଅଲାରନାଥଙ୍କ ଠାରେ ଖିରୀ ଭୋଗ ହୁଏ । ପୂର୍ବରୁ ଆଲବରଦାୟ ସମ୍ପ୍ରଦାୟର ଆଦିବାସୀ ଲୋକେ ନିଜର ଈଷ୍ଠ ଦେବ ଆଲବର୍ ନାଥଙ୍କୁ ଏହି ସ୍ଥାନରେ ପୂଜା କରି ଆସୁଥିଲେ । କାଳକ୍ରମେ ଏହି ଆଲବରଦାୟ ନାମଟି ଅପଭ୍ରଂଶ ହୋଇ ଆଲାର ନାଥ , ପରେ ଅଲାରନାଥ ଦେବଙ୍କ ନାମରେ ପରିଣତ ହୋଇ ଆଜି ପର୍ଯ୍ୟନ୍ତ ପ୍ରଭୁ ଶ୍ରୀ ଅଲାରନାଥ ନାମରେ ପୂଜା ପାଇ ଆସୁଛନ୍ତି।
ଖିର,ଅରୁଆ ଚାଉଳ, ଖୁଆ,ଚିନି ମିଶ୍ରଣରେ ଏହି ସ୍ୱାଦିଷ୍ଚ ଖିରୀ ଭୋଗ କରାଯାଏ ପ୍ରଭୁଙ୍କ ପାଖରେ । ଏହି ଖିରୀକୁ ପାଇବା ପାଇ ଭକ୍ତଙ୍କ ଭିଡ ଜମିଥାଏ ।..