ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର, ଏନେଇ ଚଳ ଚଞ୍ଚଳ ହୋଇ ଉଠିଛି ଶୌବପୀଠ

ଆରମ୍ଭ ହେବାକୁ ଯାଉଛି ପବିତ୍ର ଶ୍ରାବଣ ମାସ । ଏହି ଧାରା ଶ୍ରାବଣ ମାସରେ ଶିବଙ୍କ ମସ୍ତକରେ ଜଳାଭିଷେକ କଲେ କୋଟି କୋଟି ପାପରୁ ମୁକ୍ତି ମିଳିଥାଏ ବୋଲି ପ୍ରମାଣ ରହିଛି । ଏଥର ପାଞ୍ଚ ପାଳି ଆଉ ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର । ଆଜିଠାରୁ ଶୈବ ପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଇଛନ୍ତି କାଉଡ଼ିଆ ଭକ୍ତମାନେ । ନଦୀରୁ ଜଳ ନେଇ ଯାତ୍ରା ଆରମ୍ଭ କରି ଦେଇଛନ୍ତି କାଉଡ଼ିଆ ଶୈବଭକ୍ତ । ଚଳଚଞ୍ଚଳ ଏବେ କଟକର ଗଡ଼ଗଡ଼ିଆ ମହାନଦୀ ପଠା । ପୂଜାର୍ଚ୍ଚନା ସାରି ଜଳ ନେଇ ବିଭିନ୍ନ ଶୈବପୀଠ ଅଭିମୁଖେ ପଦଯାତ୍ରା ଆରମ୍ଭ କରୁଛନ୍ତି ଶ୍ରଦ୍ଧାଳୁ । ଧବଳେଶ୍ୱର, ସିଧେଶ୍ୱର, କପିଳାସ, ଲିଙ୍ଗରାଜ, ଗୋରେକନାଥ,ଆରଡ଼ି ଆଦି ଶୈବ ପୀଠକୁ ଯାତ୍ରା ଆରମ୍ଭ କରିଛନ୍ତି ଶ୍ରଦ୍ଧାଳୁ ।
ପ୍ରାଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ୨୪ ଘଣ୍ଟା ସଜାଗ ରହିବେ ଅଗ୍ନିଶମ ବାହିନୀ । ପ୍ରସ୍ତୁତ ରହିଛି ବୋଟ । ଲାଇଫ ଜ୍ୟାକେଟ ପିନ୍ଧି, ହାତରେ ଟ୍ୟୁବ ଧରି ସତର୍କ ଅଛନ୍ତି ଅଗ୍ନିଶମ ଯବାନ । ଯେଉଁଠି ଅଧିକ ଗଭୀରତା ରହିଛି ସେଠାରେ ବୁଡ଼ ନ ପକାଇବା ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ସଚେତନ କରୁଛନ୍ତି କର୍ମଚାରୀମାନେ । କମିଶନରେଟ ପୋଲିସର ପେଟ୍ରୋଲିଂ ଗାଡି ମଧ୍ୟ ବୁଲୁଛି ନଦୀ ପଠାରେ ।
ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର । ଆଜି ଠାରୁ ମହାନଦୀ ଓ କାଠଯୋଡି ନଦୀକୂଳରେ ବିଭିନ୍ନ ସ୍ଥାନରେ ପରିଲକ୍ଷିତ ହୋଇଛି କାଉଡିଆମାନଙ୍କର ଭିଡ । ବିଶେଷ କରି ଚଳଚଞ୍ଚଳ ହୋଇଉଠିଛି କଟକର ଗଡଗଡିଆ ଘାଟ । ମହାନଦୀରେ ସ୍ନାନ କରି ବୁଡ ପକାଇବା ପରେ, ପଠାରେ ପୂଜାର୍ଚ୍ଚନା କରନ୍ତି ଶୈବଭକ୍ତ ମାନେ । ତା ପରେ ବାହୁଙ୍ଗିରେ ଜଳ ନେଇ ଆରମ୍ଭ କରନ୍ତି ଯାତ୍ରା । କିଏ କପିଳାସ ଯାଏ ତ କିଏ ବାବା ଧବଳେଶ୍ୱରଙ୍କ ପାଖକୁ ଆଉ କିଏ ଯାଏ ଲିଙ୍ଗରାଜ । କିଏ ଲୋକନାଥଙ୍କ ଦର୍ଶନ ପାଇଁ ବାହାରେ ତ କିଏ ଚାଲିଯାଏ ବାବା ଗୋରେଖନାଥଙ୍କ ପାଖକୁ । କିଏ ମନରେ ଥିବା ମାନସିକ ପୂରଣ ପାଇଁ ଯାତ୍ରା କରେ ତ କିଏ ଜଳାଭିଷେକ ପାଇଁ ବାହାରିଥାଏ କେବଳ ଖୁସିରେ, ଭାବ ଓ ଭକ୍ତିରେ ।