ବହୁ ଆଡମ୍ବରରେ ପ୍ରତିଷ୍ଠା ହେଲା ମା’ ଚଣ୍ଡିଙ୍କ ମନ୍ଦିର, ଜମିଲା ଭକ୍ତଙ୍କ ଭିଡ଼
ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡକୁଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଲେରୀ ପାହାଡ଼ର ପାଦ ଦେଶରେ ଥିବା ନୂଆଗଡ ଗ୍ରାମରେ ମା'ଙ୍କ ଚଣ୍ଡୀ ମନ୍ଦିର ବହୁ ଧୂମଧାମରେ ପ୍ରତିଷ୍ଠା କରାଯାଇଛି । ଲୋକମାନଙ୍କର କହିବାନୁଯାୟୀ, ଶହ ଶହ ବର୍ଷ ପୂର୍ବରୁ ଭାଲେରି ପାହାଡ଼ର ଗୁମ୍ଫା ଭିତରେ ପ୍ରଥମେ ମା' ଚଣ୍ଡୀଙ୍କ ପୂଜାର୍ଚନା କରାଯାଉଥିଲା ।

ବହୁ ଆଡମ୍ବରରେ ପ୍ରତିଷ୍ଠା ହେଲା ମା’ ଚଣ୍ଡିଙ୍କ ମନ୍ଦିର । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡକୁଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଲେରୀ ପାହାଡ଼ର ପାଦ ଦେଶରେ ଥିବା ନୂଆଗଡ ଗ୍ରାମରେ ମା’ଙ୍କ ଚଣ୍ଡୀ ମନ୍ଦିର ବହୁ ଧୂମଧାମରେ ପ୍ରତିଷ୍ଠା କରାଯାଇଛି । ଲୋକମାନଙ୍କର କହିବାନୁଯାୟୀ, ଶହ ଶହ ବର୍ଷ ପୂର୍ବରୁ ଭାଲେରି ପାହାଡ଼ର ଗୁମ୍ଫା ଭିତରେ ପ୍ରଥମେ ମା’ ଚଣ୍ଡୀଙ୍କ ପୂଜାର୍ଚନା କରାଯାଉଥିଲା । ସେତେବେଳେ ମା’ଙ୍କୁ ପୂଜାର୍ଚନା କରୁଥିବା ପୂଜକ ବହୁ ଦିନଧରି ରୋଗରେ ପଡ଼ିଥିଲେ ଯେତେବେଳେ ପୂଜକଙ୍କ ପାଇଁ ସେହି ଗୁମ୍ଫା ପର୍ଯ୍ୟନ୍ତ ଯାଇ ପୂଜା କରିବା କଷ୍ଟକର ହୋଇପଡିଥିଲା ।
ସେଥିପାଇଁ ସେହି ଗୁମ୍ଫା ଭିତରୁ ମା’ ଚଣ୍ଡୀ ଠାକୁରାଣୀଙ୍କୁ ଆଣି ଭାଲେରି ପାହାଡ଼ର ପାଦ ଦେଶରେ ରଖି ପୂଜାର୍ଚନା କରିଥିଲେ । ସେହିଦିନ ଠାରୁ ମା’ଚଣ୍ଡୀ ଠାକୁରାଣୀ ଖୋଲା ଆକାଶ ତଳେ ରହି ପୂଜାର୍ଚନା ପାଉଥିଲେ । ଭାଲେରି ପାହାଡ଼ ପାଦଦେଶ ସହିତ, ଶାଳ, ଶାଗୁଆନ ଭରା ଜଙ୍ଗଲ ଦ୍ଵାରା ଘେରି ରହିଥିବା ଏହି ସ୍ଥାନଟିରେ ଅବସ୍ଥିତ ମା’ ଙ୍କ ପୀଠଟି ପାଲଟି ଯାଇଥିଲା ଏକ ପର୍ଯ୍ୟଟନ ସ୍ଥଳ । ପର୍ଯ୍ୟଟନ ଋତୁ ଆସିଲେ ଆଖ ପାଖ ଅଞ୍ଚଳରୁ ବଣଭୋଜି କରିବାକୁ ଲୋକ ମାନଙ୍କର ଏଠାରେ ଭିଡ଼ ଦେଖିବାକୁ ମିଳେ ।
ପାହାଡ଼, ଜଙ୍ଗଲ ମଧ୍ୟରେ ମା’ଙ୍କ ଦର୍ଶନ ସାଙ୍ଗକୁ ବଣଭୋଜି ପାଇଁ ପର୍ଯ୍ୟଟକଙ୍କୁ ବହୁତ ଆକୃଷ୍ଟ କରିଥାଏ ମା’ଙ୍କର ଏହି ପୀଠଟି । ତେବେ ବହୁ ବର୍ଷ ପରେ ଆଜି ନୂଆଗଡ ଗ୍ରାମର ବୁଦ୍ଧିଜୀବୀ ଓ ଯୁବକମାନଙ୍କର ମିଳିତ ଉଦ୍ୟମରେ ଖୋଲା ଆକାଶ ତଳେ ପୂଜା ପାଉଥିବା ମା’ ଚଣ୍ଡୀଙ୍କର ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଆଗରୁ ଖାଲ ଖମାରେ ପରିପୂର୍ଣ ଥିଲା ମା’ଙ୍କ ପୀଠ । କିନ୍ତୁ ଏବେ ଏହାକୁ ସମତଳ କରି ପାନୀୟ ଜଳର ସୁବିଧା ମଧ୍ୟ କରାଯାଇଛି । ଯାହାକି ପିକନିକ କରିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ବେଶ ସୁବିଧାଜନକ ହୋଇଯାଇଛି ।
ଏଠାରେ ବିଗତ ୫ ଦିନ ଧରି ପୂଜାର୍ଚନା କରାଯାଇ ଏବେ ମନ୍ଦିର ପ୍ରତିଷ୍ଠା ଶେଷ ହୋଇ ଯାଇଛି । ଗତ କିଛି ଦିନରୁ ପୂଜା ଆରମ୍ଭ ହୋଇ ଅଧିବାସ, ନାମଯଜ୍ଞ, ଅଙ୍କୁରରୋପଣ, କଳସଯାତ୍ରା, ମହାସ୍ନାନ ହୋଇ ଆଜି ପୂର୍ଣ୍ଣାହୁତି କରାଯାଇଥିଲା । ଶେଷ ଦିନରେ ନୂଆଗଡ ଗ୍ରାମର ନିମନ୍ତ୍ରଣ କ୍ରମେ ଆଖପାଖ ଗ୍ରାମରୁ ପ୍ରାୟ ୧୮ ଗୋଟି ଦେବାଦେବୀ ନିଜ ନିଜ ବିମାନରେ ବିରାଜମାନ ହୋଇ ଘଣ୍ଟ, ମୃଦଙ୍ଗ ଓ ଡିଜେ ସହିତ ବିରାଟ ପଟୁଆରରେ ପୁରା ଗ୍ରାମ ପରିକ୍ରମା କରି ମା’ଙ୍କ ପୀଠକୁ ଆସି ନିଜ ନିଜ ଆସନରେ ବିରାଜମାନ ହୋଇଥିଲେ । ଏଥିରେ ପ୍ରକମ୍ପିତ ହୋଇ ଉଠୁଥାଏ ପୁରା ପରିବେଶ । ଏଠାରେ ହଜାର ହଜାର ଭକ୍ତଙ୍କ ସମାଗମ ସହିତ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।
ପ୍ରସାଦ ସେବନ ସହିତ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାସ୍ତାରେ ଦହି ପଣାର ବନ୍ଦୋବସ୍ତ କରାଯାଇଥିଲା । ତା’ ସହିତ ମେଳାର ଆୟୋଜନ ମଧ୍ୟ କରାଯାଇଥିଲା । ପରିଶେଷରେ ବିମାନରେ ଆସିଥିବା ସମସ୍ତ ଦେବା ଦେବୀଙ୍କ ମହାମିଳନ ଅପରାହ୍ନ ହେବାପରେ ସମସ୍ତ ଠାକୁର ନିଜ ନିଜ ଗ୍ରାମ ମନ୍ଦିରକୁ ଫେରିଯାଇଥିଲେ । ଏପଟେ ମନ୍ଦିର ପୀଠରେ ଆହୁରି ଉର୍ନତି କରିବା ପାଇଁ ସରକାର ଏଥିପ୍ରତି ଦୃଷ୍ଟି ଦେବାପାଇଁ ଗଣମାଧ୍ୟମ ଜରିଆରେ ନୂଆଗଡ ଗ୍ରାମବାସୀ ଅନୁରୋଧ କରିଛନ୍ତି ।