ଅଷ୍ଟପ୍ରହର ନାମଯଜ୍ଞର ରହିଛି ଅନେକ ମାହାତ୍ମ୍ୟ, ରାମ ନାମରେ କମ୍ପି ଉଠେ ସାରା ପରିବେଶ

ଗାଁରେ ଆଧ୍ୟାତ୍ମିକ ଚେତନା ସହିତ ଭକ୍ତିଭାବକୁ ଦୃଢ଼ିଭୂତ କରିବା ପାଇଁ ବିଭିନ୍ନ ପ୍ରକାରର ପୂଜା ପାଠ, ଯଜ୍ଞ, ପ୍ରବଚନ ଆଦି ଅନୁଷ୍ଠିତ ହେଉଥିବା ବେଳେ ଅଷ୍ଟପ୍ରହର ନାମଯଜ୍ଞର ସ୍ଥାନ ରହିଛି ଖୁବ ସ୍ୱତନ୍ତ୍ର । ଏହି ସମୟରେ ରାମନାମରେ ସାରା ପରିବେଶ କମ୍ପି ଉଠେ । ସୃଷ୍ଟି ହୁଏ ଭକ୍ତିମୟ ପରିବେଶ ।

ରେଢାଖୋଲ(କେନ୍ୟୁଜ): ଓଡ଼ିଶାରେ ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ଝଲକ ଦେଖିବାକୁ ମିଳେ। ପ୍ରତିବର୍ଷ ଏଠି ପ୍ରତିଟି ପରମ୍ପରାକୁ ପାଳନ କରିବାକୁ ଲୋକମାନେ ଖୁବ ଆଗ୍ରହୀ ଥାନ୍ତି। ହିନ୍ଦୁ ଧର୍ମରେ ଥିବା ୧୨ ମାସରେ ୧୩ ପର୍ବକୁ ଏଠି ବଡ଼ ନିରାଡ଼ମ୍ବରରେ ପାଳନ କରାଯାଏ। ପୂର୍ବ ଭଳି ଏବେ ମଧ୍ୟ ପ୍ରତିଟି ଗାଁ ତାର ସଂସ୍କୃତି ଓ ଐତିହ୍ୟକୁ ବଜାୟ ରଖିବାର ଜ୍ୱଳନ୍ତ ନିଦର୍ଶନ ପାଇବେ।

ଗାଁରେ ଆଧ୍ୟାତ୍ମିକ ଚେତନା ସହିତ ଭକ୍ତିଭାବକୁ ଦୃଢ଼ିଭୂତ କରିବା ପାଇଁ ବିଭିନ୍ନ ପ୍ରକାରର ପୂଜା ପାଠ, ଯଜ୍ଞ, ପ୍ରବଚନ ଆଦି ଅନୁଷ୍ଠିତ ହେଉଥିବା ବେଳେ ଅଷ୍ଟପ୍ରହର ନାମଯଜ୍ଞର ସ୍ଥାନ ରହିଛି ଖୁବ ସ୍ୱତନ୍ତ୍ର । ଏହି ସମୟରେ ରାମନାମରେ ସାରା ପରିବେଶ କମ୍ପି ଉଠେ । ସୃଷ୍ଟି ହୁଏ ଭକ୍ତିମୟ ପରିବେଶ । ତେବେ ରେଢାଖୋଲ କଦଳୀଗଡ ପଞ୍ଚାୟତ ସାନ ରେଙ୍ଗାଲୀ ଗ୍ରାମ ସ୍ଥିତ ଭଗବତ ଗୀତା ଅଧ୍ୟୟନ ଆଶ୍ରମର ବାବା ପରିକ୍ଷୀତ ଦାସଙ୍କ ଆପ୍ରାଣ ଉଦ୍ୟମ ତଥା ତନ୍ତଗାଡ,ସୁଦମୁଣ୍ଡା,ବଘାରପାଲି,ହରିପୁର ଓ ତୁମ୍ବାମାଳ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆଶ୍ରମରେ ଏହି ଅଷ୍ଟପ୍ରହର ନାମଯଜ୍ଞ ଆୟୋଜିତ ହୋଇ ଯାଇଛି ।

ରବିବାର ସକାଳେ କଳସ ଯାତ୍ରା ଉତ୍ସବ ପାଳନ ହୋଇଥିବା ବେଳେ ନାମାରମ୍ଭ ହୋଇଥିଲା। ଦୁର ଦୁରାନ୍ତରୁ ଅନେକ ସଂକୀର୍ତ୍ତନ ମଣ୍ଡଳୀ ହରିନାମ ଗାନ କରିଥିଲେ।ରଙ୍ଗ ବେରଙ୍ଗର ସୁସଜ୍ଜିତ ତୋରଣ ଓ ଆଲୋକମାଳାରେ ଝଲସୁଥିବା ଆଶ୍ରମ ପରିସରରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ସାନ ରେଙ୍ଗାଲୀ ଗ୍ରାମର ଭାଗବତ କର୍ମୀ ସପତ୍ନିକ ଯଜ୍ଞକର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପଣ୍ଡିତ କୃଷ୍ଣଚନ୍ଦ୍ର ହୋତା,ମୁରଲୀଧର ହୋତା ଓ ବାସୁଦେବ ହୋତା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଜିଲ୍ଲାପରିଷଦ ସଭ୍ୟ ସରତ କୁମାର ପ୍ରଧାନ, ବିଜେପି ନେତା ଦେବେନ୍ଦ୍ର ମହାପାତ୍ର ଓ ଗୋବିନ୍ଦ ଅଗ୍ରୱାଲ,କଦଳୀଗଡ ସରପଞ୍ଚ ସରୋଜ ସେଠି,ସମିତି ସଭ୍ୟା ସୃଜନୀ ବେହେରା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ବେହେରା ପ୍ରମୁଖ ନିମନ୍ତ୍ରୀତ ଅତିଥି ଭାବେ ଯୋଗଦେଇ ଥିଲେ ।

ତେବେ ଗତକାଲି ସୋମବାର ନାମଯଜ୍ଞ ପୂର୍ଣାହୁତି,ନଗର କୀର୍ତ୍ତନ, ଦଧି ହାଣ୍ଡି ଭଞ୍ଜନ ଓ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥିବା ଆଶ୍ରମ କମିଟି ପକ୍ଷରୁ ସୂଚନା ମିଳିଛି । ନାମଯଜ୍ଞ ପରିଚାଳନାରେ ଏହି ପାଞ୍ଚ ଖଣ୍ଡ ଗ୍ରାମର ବାସିନ୍ଦାଙ୍କ ସହିତ ଆଖପାଖ ଅଞ୍ଚଳର ଅନେକ ବଦାନ୍ୟ ବ୍ୟକ୍ତି ସହଯୋଗ କରିଥିଲେ।