୩୦ ବର୍ଷ ପରେ ମୀନ ରାଶିକୁ ଚଳନ କରିବେ ଶନି, କରନ୍ତୁନି ଏସବୁ ଭୁଲ୍

ଦୀର୍ଘ ୩୦ ବର୍ଷ ପରେ ଶନି ଗ୍ରହ ମୀନ ରାଶିକୁ ଚଳନ କରିବେ । ଆସନ୍ତା ୨୯ ତାରିଖ ଅମାବାସ୍ୟା ତିଥିରେ ଶନି ମୀନ ରାଶିରେ ପ୍ରବେଶ କରିବେ । ଏହି ତିଥିରେ ମଧ୍ୟ ସୂର୍ଯ୍ୟୋପରାଗ ରହିବ । ତେଣୁ ଏହି ସମୟରେ ଭୁଲ କରିବା ଦ୍ବାରା ଜୀବନ ଏବଂ କ୍ୟାରିୟରରେ କୁପ୍ରଭାବ ପଡିଥାଏ । ଏହି ତିଥିରେ ଭୁଲ କରୁଥିବା ଲୋକଙ୍କ ଉପରେ ଶନିଙ୍କ କୋପ ଦୃଷ୍ଟି ପଡିବାର ଆଶଙ୍କା ରହିଥାଏ । ୨୯ ମାର୍ଚ୍ଚରେ କେଉଁ ଭୁଲ କରିବା ଉଚିତ୍ ନୁହେଁ ତେବେ ସେ ସମ୍ପର୍କରେ ଆସନ୍ତୁ ଜାଣିବା ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୁହାଯାଏ ଯେ, ସୂର୍ଯ୍ୟୋପରାଗ ହେତୁ ପରିବେଶ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ତେଣୁ ବାଦବିବାଦ ଭଳି ସମସ୍ୟା ଜୀବନରେ ଭୋଗିବାକୁ ପଡିଥାଏ । ଶନି ଚଳନ ହେତୁ ମାନସିକ ସ୍ଥିତିରେ ମଧ୍ୟ ଅଶାନ୍ତି ଦେଖାଦେଇଥାଏ । ଏଥି ସହିତ ନିଜ ଉପରେ ପ୍ରଭାବ ପଡିବା ସହିତ ପାରିବାରିକ ଏବଂ ସାମାଜିକ ଜୀବନ ଉପରେ ଖରାପ ପ୍ରଭାବ ପଡିପାରେ ।
ଏହି ତିଥିରେ ଶନି ଚଳନ ସହିତ ସୂର୍ଯ୍ୟୋପରାଗ ହେତୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଏହି ଦିନରେ ବାହାର ଖାଦ୍ୟଠାରୁ ଦୂରରେ ରହିବା ଉଚିତ୍ । ଯଦି କୌଣସି ଖାଦ୍ୟ ଖାଉଛନ୍ତି ତେବେ ଘରେ ରୋଷେଇ କରି ଖାଇବା ଆବଶ୍ୟକ । କିନ୍ତୁ ଏହି ସମୟରେ ଖାଦ୍ୟ ଖାଇବା ଦ୍ବାରା ଶରୀର ଉପରେ ନକାରାତ୍ମକ ଶକ୍ତି ଆପଣଙ୍କୁ ପ୍ରଭାବିତ କରିଥାଏ ।
ଏହି ଦିନରେ ବାହାରକୁ ଯାତ୍ରା କରିବା ଦ୍ବାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏହି ଦିନରେ ଭଗବାନଙ୍କ ନାମ ଜପ, ମନ୍ତ୍ର କରିବା ଦ୍ବାରା ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହି ଦିନରେ ହଳଦୀ ରଙ୍ଗର ପୋଷାକ ପିନ୍ଧିବା ଶୁଭ । ପରାଗ ସମୟରେ ପୂଜାପର୍ବାଣୀ ବନ୍ଦ ରହିଥାଏ । ପରାଗ ପରେ ଗଙ୍ଗା ଜଳ ପକାଇ ଶୁଦ୍ଧ କରିବା ସହିତ ବନ୍ଦ ରହିଥିବା ଠାକୁରଙ୍କୁ ପୂଜା କରିବା ଜରୁରୀ । ସୂର୍ଯ୍ୟୋପରାଗ କରିବା ସମୟରେ ଧ୍ୟାନ, ଜପ, ମନ୍ତ୍ର ଆପଣଙ୍କ ପାଇଁ ଲାଭପ୍ରଦ ହୋଇଥାଏ ।
Also Read : କେବେ ଏବଂ କିପରି କରିବେ ହନୁମାନ ଚାଳିଶା ପାଠ? ଜାଣନ୍ତୁ ସଠିକ୍ ନିୟମ