ବଲାଙ୍ଗିର: ମା’ ଗଜଲକ୍ଷ୍ମୀଙ୍କୁ ୧୦୮ ପ୍ରକାରର ଭୋଗ ଲାଗି କଲେ ଭକ୍ତ

ବଲାଙ୍ଗିର: ଓଡ଼ିଶା ଏପରି ଏକ ରାଜ୍ୟ ଯେଉଁଠାରେ ପ୍ରତ୍ୟେକ ସମୟରେ କିଛି ନା କିଛି ପୂଜା ଲାଗି ରହିଥାଏ । ଗଣେଶ ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଆଉ ତା ସାଙ୍ଗକୁ କାଳୀପୂଜା । ପ୍ରତ୍ୟେକ ପୂଜାର ରହିଛି ଭିନ୍ନ ମାହାତ୍ମ୍ୟ । ଲୋକଙ୍କ ବିଶ୍ୱାସ ଓ ପରମ୍ପରାକୁ ନେଇ ପାଳିତ ହୁଏ ଏହି ସବୁ ପୂଜା । ସମସ୍ତ ପୂଜା ମଧ୍ୟରୁ ଲକ୍ଷ୍ମୀ ପୂଜାର ରହିଛି ଭିନ୍ନ ମହତ୍ୱ । କାରଣ ମା’ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ଧନଦାତ୍ରୀଙ୍କ ପୂଜା ପାଇଁ ଗାଁ ଠୁ ସହର ଉତ୍ସବ ମୁଖର ।  ସବୁଠି ପାଳିତ ହୋଇଯାଇଛି ଗଜଲକ୍ଷ୍ମୀ ପୂଜା । ରଙ୍ଗିନ ଆଲୋକରେ ଝଲସି ଉଠିଛି ପୁରପଲ୍ଲୀ ।

ଏହି ଅବସରରେ ବଲାଙ୍ଗିରରେ ଜମିଛି ଗଜଲକ୍ଷ୍ମୀ ପୂଜା । ବଲାଙ୍ଗିର ସହରର ନାଳକଣ୍ଡି ପଡାରେ ପରମ୍ପରା ରୀତିନୀତି ଅନୁସାରେ ମା’ ଲକ୍ଷ୍ମୀଙ୍କ ପୂଜା ହୋଇଛି । ତେବେ ଏହି ପୂଜାରେ ସବୁଠୁ ଆକର୍ଷଣର ବିଷୟ ଥିଲା ମା’ଙ୍କ ପାଖରେ ଲାଗି ହୋଇଥିବା ୧୦୮ ପ୍ରକାର ଭୋଗ । ଯାହାକୁ ଲାଗି କରିଥିଲେ ଭକ୍ତମାନେ । ମିଠା, ପିଠା ଠାରୁ ଆରମ୍ଭ କରି ଫଳମୂଳ ମା’ଙ୍କୁ ସମର୍ପି ଦେଇଥିଲେ ଭକ୍ତମାନେ । ଏହି ଅବସର ରେ ବଲାଙ୍ଗିର ପୈୖାରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିଲେ । ଏହି ପୂଜା ମଣ୍ଡପରେ ୫୨ବର୍ଷ ହେବ ମା’ଙ୍କ ପୂଜା ହୋଇଆସୁଛି ।

ଗଜଲକ୍ଷ୍ମୀ ପୂଜାକୁ ନେଇ ଉସବ ମୁଖର ବଲାଙ୍ଗିର ଜିଲ୍ଲା । ଯାହାକୁ ନେଇ  ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ମନରେ ଭରି ଉଠିଛି ଖୁସିର ଲହରୀ । ପୂଜା ସାଙ୍ଗକୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ମନ ଭରି ଉପଭୋଗ କରିଛନ୍ତି ଅଞ୍ଚଳବାସୀ । ମା’ଙ୍କ ଉପରେ ରହିଛି ଅଗାଢ ବିଶ୍ୱାସ । ଏନେଇ ମା’ଙ୍କ ଏହି ପୂଜା ଖୁବ ଧୁମଧାମରେ ପାଳିତ ହୁଏ । ମା’ଙ୍କ କୃପାଲାଭ କରିବା ସହ ବୁଲା ବୁଲି କରି ଭରପୁର ମଜା ଉଠାଉଛନ୍ତି ଦର୍ଶକ । ପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ସ୍ଥାନୀୟ ପୂଜା କମିଟି ଓ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।