ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଦ୍ରକ ସହର, ତିନି ଅବସ୍ଥାରେ ପୂଜା ପାଉଛନ୍ତି ଶ୍ରୀ ଗଜାନନ

ଭଦ୍ରକ: ବିଘ୍ନ ବିନାଶକ, ଲମ୍ବୋଦର, ଗୌରୀ ନନ୍ଦନ, ଗଜାନନ ଆଦି ଅନେକ ନାମରେ ପୂଜା ପାଇଥାନ୍ତି ଶ୍ରୀ ଗଣେଶ । ଶିଶୁ ରୂପେ ସେ ପିଲା ଗଣେଶ, ଯୁବାବସ୍ଥାରେ ସେ ଟୋକା ଗଣେଶ ଓ ବୃଦ୍ଧାବସ୍ଥାରେ ସେ ବୁଢା ଗଣେଶ ଅବିହିତ କରି ଶ୍ରୀ ଗଣେଶଙ୍କ ପୂଜାର୍ଚନା କରାଯାଉଛି ଭାଇ ଚାରାର ସହର ଭଦ୍ରକରେ । ତେବେ ଦୀର୍ଘ ୫୦୦ ବର୍ଷରୁ ଅଧିକ ସମୟ ଧରି ଗଣପତିଙ୍କ ଏହି ନିଆରା ପରମ୍ପରାକୁ ପାଳି ଆସୁଛନ୍ତି ଭାଇଚାରାର ସହର ଭଦ୍ରକର ପୁରୁଣା ବଜାରବାସୀ । ତେବେ ଐତିହାସିକ ବାବା ବୁଢା ଗଣେଶଙ୍କ ମଣ୍ଡପ ବହୁ ପୁରାତନ । ମୋଗଲ ଯୁଗରୁ ବାବା ବୁଢା ଗଣେଶଙ୍କ ବିଷୟରେ ବର୍ଣ୍ଣନା ରହିଛି ।

ଉଭୟ ସମ୍ପ୍ରଦାୟର ଶ୍ରଦ୍ଧାଳୁ ବାବା ବୁଢା ଗଣେଶଙ୍କ ପୂଜାରେ ସାମିଲ ହୁଅନ୍ତି । ପ୍ରତ୍ୟକ ବର୍ଷ ବୁଢା ଗଣେଶଙ୍କ ମୂର୍ତ୍ତି ସମାନ ଭାବେ ଗଢା ହେବା ହିଁ ଏହି ମଣ୍ଡପର ସ୍ୱତନ୍ତ୍ରତା । ଏଥିସହ ମାନସିକ ନଡିଆ ପୂଜା କରାଯାଏ ଏହି ଐତିହାସିକ ଗଣେଷଙ୍କ ପୀଠରେ । ତେଣୁ ଏଠାରେ ମାନସିକ କରି ନଡିଆ ଅର୍ପଣ କଲେ ସମସ୍ତ ମନୋସ୍କାମନା ପୂରଣ ହେବା ନେଇ ବିଶ୍ୱାସ ରହିଛି । ବାବା ଏକ ମାସ ଧରି ମଣ୍ଡପରେ ବିରାଜିତ ହୁଅନ୍ତି । ଏହି ସମୟରେ ଥିବା ସମସ୍ତ ପର୍ବପର୍ବାଣି ମଧ୍ୟ ସେଠାରେ ପାଳିତ ହୁଏ । ବନ୍ଧୁ ମିଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରେ ପୂଜା କମିଟି ।

ମାସେ ପରେ ଜାକ ଜମକରେ ହେବ ବିସର୍ଜନ ଶୋଭାଯାତ୍ରା । ତେବେ ଗଣେଶ ପୂଜାରେ ବୁଢା ଗଣେଶଙ୍କ କଳସ ଶୋଭାଯାତ୍ରା ମଧ୍ୟ ଚଳିତ ବର୍ଷ ବେଶ ଆଡମ୍ବରର ସହିତ ଅନୁଷ୍ଠିତ ହୋଇଛି । ପବିତ୍ର ସାଳନ୍ଦୀ ନଦୀରୁ ଜଳ ଆଣି ମଣ୍ଡପରେ କଳସ ସ୍ଥାପନ ପରେ ପୂଜା ଆରମ୍ଭ ହୋଇଛି । କଳସ ଶୋଭାଯାତ୍ରାରେ ଉଭୟ ହିନ୍ଦୁ ଓ ମୁସଲିମ ଲୋକମାନେ ସାମିଲ ହୋଇଥିଲେ । ଯାହା ଏକ ନିଆରା ନିଦର୍ଶନ ସୃଷ୍ଟି କରିଛି । ସେହିପରି ୧୯୭୦ ମସିହାରୁ ଭଦ୍ରକର ପୁରୁଣା ବଜାରରେ ପୂଜା ପାଇ ଆସୁଛନ୍ତି ଟୋକା ଗଣେଶ । ସାରା ଓଡିଶା ପ୍ରସିଦ୍ଧ ଚାନ୍ଦି ମେଢରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଟୋକା ଗଣେଶ ।

ଅଳଙ୍କାର ମଧ୍ୟ ଚାନ୍ଦିରେ ନିର୍ମିତ ହୋଇଛି । ତେବେ ଆଗାମୀ ଦିନରେ ଏହି ମେଢ଼କୁ ଆହୁରି ଆକର୍ଷଣୀୟ କରିବା ପାଇଁ ପ୍ରୟାସ କରୁଛନ୍ତି ପୂଜା କମିଟି । ଏଠାରେ ମଧ୍ୟ ଏକ ମାସ ଧରି ବେଶ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପୂଜା ପାଇବେ ଟୋକା ଗଣେଶ । ଏହି ସମୟରେ ବିଭିନ୍ନ ସେବା ମୂଳକ କାର୍ଯ୍ୟ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆଡମ୍ବର ସହିତ ଅନୁଷ୍ଠିତ ହେବ । ସେହିପରି ଭଦ୍ରକ ସହରର କୁଆଁସରେ ୧୯୯୩ରୁ ପିଲା ଗଣେଶଙ୍କ ପୂଜା କରାଯାଇ ଆସୁଛି । ଏଠାରେ ପୂଜା ମଣ୍ଡପରେ ପୂଜା ପାଇବେ ପିଲା ଗଣେଶ । ମାସେ ଧରି ଆମିଷ ନଖାଇ ପିଲା ଗଣେଶଙ୍କୁ ପୂଜା କରିବେ ଏଠାକାର ବାସିନ୍ଦା ।

ପିଲା ଗଣେଶ କମିଟି ଏଥର ପୂଜା ପାଇଁ ତୋରଣକୁ ବେଶ ଆକର୍ଷଣୀୟ ଢଙ୍ଗରେ କରିଛି । ରାତିର ଝିଲିମିଲ ଅଲୋକ ସଜା ପୂଜାର ମାହୋଲକୁ ଦ୍ବିଗୁଣିତ କରୁଛି । କୁନିକୁନି ପିଲାଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜନ କରିବ ଏହି ଗଣେଶ ପୂଜା କମିଟି । ତେବେ ଏହି ତିନି ଗଣେଶଙ୍କ ପୂଜା ସହିତ ଭଦ୍ରକରେ ଯୋଡି ହୋଇଛି ବାଲ ଗଣେଶ । ବାଲ ଗଣେଶ ପୂଜା ୧୫ ବର୍ଷ ହେବ ଆରମ୍ଭ ହୋଇଥିବା ବେଳେ କାଞ୍ଚନ ଗଣେଶଙ୍କ ପୂଜା ୩୩ ବର୍ଷ ହେଲା ହୋଇଆସୁଛି । ସେହି ସବୁ ପୂଜା ମଣ୍ଡପରେ ମଧ୍ୟ ସ୍ୱତନ୍ତ୍ର ଭାବେ ଗଜାନନଙ୍କୁ ପୂଜା କରାଯାଉଛି ।

ତେବେ ଚଳିତ ବର୍ଷ ବେଶ ଆଡମ୍ବରର ସହିତ ପାଳନ ହେଉଛି ଏହି ପୂଜା । ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ ଭାବେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟ ପନ୍ଥା ଗ୍ରହଣ କରାଯାଇଛି । ଏହି ତିନି ଗଣେଶଙ୍କ ଭସାଣି ଉତ୍ସବ କିପରି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେଥିପ୍ରତି ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ବସି ନିଷ୍ପତି ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଏସପି । ମାସକ ପରେ ଏହି ତିନି ଗଣେଶଙ୍କୁ ବିଦାୟ ଦେବ ଭାଇଚାରାର ସହର ଭଦ୍ରକ । ଆଉ ସେହି ଆକର୍ଷଣୀୟ ଭସାଣି ଉତ୍ସବକୁ ଦେଖିବା ପାଇଁ ଅନାଇ ରହିଛନ୍ତି ସହରବାସୀ ।

Also read: ଗଣେଶ ବିସର୍ଜନର ଶୁଭ ମୂହୁର୍ତ୍ତ, ଜ୍ୟୋତିଷ ଶାସ୍ତ୍ରନୁସାରେ ଏଭଳି କଲେ ମିଳିବ ଶୁଭଫଳ