ଏହି ସବୁ କାରଣରୁ ହୋଇପାରେ ଡାଇବେଟିସ; ଏବେଠୁ ରୁହନ୍ତୁ ସତର୍କ

ଆଜିକାଲି ପ୍ରତ୍ୟେକ ଘରେ ଡାଇବେଟିସ ବା ମଧୁମେହରେ ପୀଡିତ ସଦସ୍ୟଙ୍କୁ ଦେଖିବାକୁ ମିଳୁଛି। ବୈଜ୍ଞାନିକ ମାନେ ଆଜି ଯାଏଁ ଏହି ରୋଗର କୌଣସି ସମାଧାନ ପାଇନାହାଁନ୍ତି। କିନ୍ତୁ ଆପଣ ମଧୁମେହର କାରଣ ଜାଣିଥିଲେ ଏଥିରୁ ନିଜକୁ ଦୂରେଇ ରଖିପାରିବେ।

ମଧୁମେହ ଏଭଳି ଏକ ଗମ୍ଭୀର ରୋଗ ଯାହା ଥରେ କୌଣସି ବ୍ୟକ୍ତିଙ୍କୁ ହେଲେ ଏହା ସାରା ଜୀବନ ପିଛା ଛାଡି ନଥାଏ। ଏହି ରୋଗ ହେବା ଦ୍ୱାରା ଶରୀରରେ ଇନ୍‌ସୁଲିନର ମାତ୍ରା କମି ଯାଇଥାଏ। ଶରୀର ଆବଶ୍ୟକ ମୁତାବକ ଇନ୍‌ସୁଲିନ ପାଉନଥିବାରୁ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଏ।

ଶରୀରରେ ଇନ୍‌ସୁଲିନ ମାତ୍ରା କମିବା ଦ୍ୱାରା କୋଷ ଓ ଅନ୍ୟାନ୍ୟ ଅଙ୍ଗ ଉପରେ ପ୍ରଭାବ ପଡିଥାଏ। ମଧୁମେହ ପ୍ରଭାବରେ ହାର୍ଟ ଆଟାକ, ଦୃଷ୍ଟିଶକ୍ତି କମିଯିବା ଓ କିଡନୀ ଜନିତ ସମସ୍ୟା ଦେଖାଦିଏ। ତେବେ ଆସନ୍ତୁ ଜାଣିବା ମଧୁମେହର ୪ଟି କାରଣ।

୧. ଜେନେଟିକ୍‌ କାରଣ

ରିସର୍ଚ୍ଚ ମୁତାବକ, ଯଦି ପୂର୍ବ ପୁରୁଷ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଛନ୍ତି ତେବେ ଆପଣଙ୍କୁ ଏହି ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଏହା ଏକ ଜେନେଟିକ ରୋଗ ଯାହା ପିଢି ପରେ ପିଢିକୁ ହୋଇଥାଏ।

୨.ଖରାପ ଲାଇଫଷ୍ଟାଇଲ

ଆମ ଶରୀର ସବୁବେଳେ ଆକ୍ଟିଭ ରହିବା ନିହାତି ଆବଶ୍ୟକ। ଏଥିପାଇଁ ପ୍ରତିଦିନ ବ୍ୟାୟାମ କରିବା ଉଚିତ୍‌। ଯେଉଁମାନେ ବ୍ୟାୟାମ କରନ୍ତି ନାହିଁ ବୟସ ବଢିବା ସହ ସେମାନଙ୍କୁ ବିଭିନ୍ନ ରୋଗ ହେବାର ଆଶଙ୍କା ରହିଥାଏ ଯେପରିକି ମଧୁମେହ। ଏଥିପାଇଁ ପ୍ରତିଦିନ ଏକ ଘଣ୍ଟା ବ୍ୟାୟାମ କରନ୍ତୁ।

୩.ମାତ୍ରାଧିକ ମିଠା ଖାଇବା

କିଛି ଲୋକ ମିଠା ଖାଇବାକୁ ବହୁତ ପସନ୍ଦ କରନ୍ତି। କିନ୍ତୁ ଜାଣି ରଖିବା ଉଚିତ୍‌ ଯେ ଅଧିକ ମିଠା ଖାଇବା ଦ୍ୱାରା ଶରୀରରେ କ୍ୟାଲୋରୀର ମାତ୍ରା ବୃଦ୍ଧି ପାଏ। ଯାହା ଫଳରେ ମଧୁମେହ ରୋଗ ହୋଇଥାଏ। ଏଥିପାଇଁ ସୀମିତ ପରିମାଣରେମିଠା ଜାତୀୟ ଖାଦ୍ୟ ଖାଆନ୍ତୁ।

୪.ମୋଟାପଣ ବୃଦ୍ଧି

ଯଦି ଆପଣଙ୍କର ଓଜନ ଲଗାତାର ଭାବରେ ବୃଦ୍ଧି ପାଉଛି ତେବେ ଆଜିଠାରୁ ବ୍ୟାୟାମ କରିବା ଆରମ୍ଭ କରିଦିଅନ୍ତୁ। କାରଣ ମୋଟାପଣ ବଢିବା ଦ୍ୱାରା ଶରୀରରେ ବ୍ଲଡ ସୁଗାର ନିୟନ୍ତ୍ରଣ ହୁଏ ନାହିଁ ଓ ଏହା ମଧୁମେହର ରୂପ ନିଏ।
ଯଦି ମଧୁମେହ ହେଉ ବୋଲି ଚାହୁଁନାହାନ୍ତି ତେବେ ଆଜିଠାରୁ ଏହି ସବୁ ବିଷୟ ପ୍ରତି ସତର୍କ ରୁହନ୍ତୁ। ଖରାପ ଲାଇଫଷ୍ଟାଇଲ ଛାଡି ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ମଧୁମେହରୁ ଦୂରେଇ ରହିବା ପାଇଁ ଶରୀର ବ୍ୟାୟାମ ଆବଶ୍ୟକ କରେ। ଯାହା ଶରୀରରେ କ୍ୟାଲୋରୀର ମାତ୍ରା କମାଇବାରେ ସାହାଯ୍ୟ କରିଥାଏ।