ଆସନ୍ତାକାଲି ବିଶ୍ୱକର୍ମା ପୂଜା, ଆଗକୁ ଆସୁଛି ଦଶହରା

ପାରାଦୀପ(କେନ୍ଯୁଜ୍): ଆସନ୍ତାକାଲି ବିଶ୍ୱକର୍ମା ପୂଜା । ଦେବଶିଳ୍ପୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ହେଲାଣି ବିଭିନ୍ନ ଶିଳ୍ପ ନଗରୀ । ପାରାଦୀପରେ ଜୋରଦାର ପ୍ରସ୍ତୁତି ଚାଲିଛି । ଚଳିତ ବର୍ଷ ପାରାଦୀପରେ ଛୋଟବଡ଼ ୧୦୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଦେବଶିଳ୍ପୀ । ତୋରଣ ଓ ମୂର୍ତ୍ତି କାରିଗରମାନେ ଶେଷ ସ୍ପର୍ଶ ଦେଉଛନ୍ତି । ଏଥର ବିଭିନ୍ନ ସମସ୍ୟା ସଂପର୍କିତ ଫଟୋଚିତ୍ର ସାଜସଜାରେ ସ୍ଥାନ ପାଇଛି । ସେହିପରି ଆୟୋଜକମାନେ ରାଜ୍ୟ ତଥା ରାଜ୍ୟ ବାହାର କଳାକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରିବା ଯୋଜନା ରଖିଛନ୍ତି ।
ଆସୁଛି ଦଶହରା
ପାଖେଇ ଆସୁଛି ଦଶହରା। ମାଆ ଦୁର୍ଗାଙ୍କୁ ସ୍ୱାଗତ କରିବା ପାଇଁ ସବୁଠି ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। କଟକରେ ଜମିଲାଣି ପୂଜା ମାହୋଲ। ବିଭିନ୍ନ ପୂଜା ମଣ୍ଡପ ମାଆଙ୍କ ମୂର୍ଣ୍ମୟୀ ମୂର୍ତ୍ତି ତିଆରି କରିବା ପାଇଁ ମାଟି ସଂଗ୍ରହ କରିବା ପରେ ଏବେ ନଡାବନ୍ଧା କାମ ଚାଲିଛି। ଖାନନଗର ପୂଜା ମଣ୍ଡପ ପରିସରରେ ମୂର୍ତ୍ତି କାରିଗରମାନେ ମୂର୍ତ୍ତିର ଆକାରକୁ ନେଇ ନଡା ବାନ୍ଧୁଛନ୍ତି। ଏହାପରେ ନଡା ଛାଞ୍ଚ ଉପରେ ଦୋ ମାଟିଆ ଲେପ ଦିଆଯିବ। ଚାନ୍ଦିନୀ ଚୌକ ପୂଜା ମଣ୍ଡପ ସହ ଅନ୍ୟ ମଣ୍ଡପ ଗୁଡିକରେ ମଧ୍ୟ ଜୋରସୋରରେ ଚାଲିଛି ମୂର୍ତ୍ତି ନିର୍ମାଣ କାମ। ସେପଟେ ତୋରଣ ସଜ୍ଜାକୁ ନେଇ ବିଭିନ୍ନ ମଣ୍ଡପରେ ଚାଲିଛି ପ୍ରତିଯୋଗୀତା।