ଖୋର୍ଦ୍ଧା : ପ୍ରତିଶୋଧରୁ ଅପରାଧ, ବାର ବର୍ଷ ପରେ ଭଉଣୀ ପ୍ରେମିକକୁ ହତ୍ୟାକଲା ଭାଇ

ଖୋର୍ଦ୍ଧା (କେନ୍ୟୁଜ୍‌) : ଦୀର୍ଘ ୧୨ ବର୍ଷ ପରେ ମୃତ ଭଉଣୀର ପ୍ରେମିକକୁ ହତ୍ୟା କରି ଭାଇ ନେଇଛି ପ୍ରତିଶୋଧ। ଏଭଳି ଏକ ଭୟଙ୍କର ଘଟଣା ଘଟିଛି ଖୋର୍ଦ୍ଧା ଥାନା ଅନ୍ତର୍ଗତ ଠାକୁରପଡା ଗାଁରେ। ଗତକାଲି ରାତିରେ ସେହି ଗାଁର ଉମାକାନ୍ତ ସାହୁ ନାମକ ଜଣେ ଯୁବକକୁ ତାଙ୍କ ପଡୋଶୀ ହତ୍ୟା କରିଛି । ନୃସିଂହ ସାହୁଙ୍କ ପୁଅ ଅମୂଲ୍ୟ ସାହୁ, ପତ୍ନୀ ସୁଲୋଚନା ଏବଂ ସାନ ଝିଅ ମମତା ମିଶି ଷ୍ଟିଲ ରଡ୍‌ରେ ଉମାକାନ୍ତଙ୍କୁ ଆକ୍ରମଣ କରିଛନ୍ତି। ଫଳରେ ଘଟଣା ସ୍ଥଳରେ ଉମାକାନ୍ତର ମୃତ୍ୟୁ ଘଟିଥିଲା।

khordha 1

ସୂଚନା ଅନୁସାରେ, ନୃସିଂହଙ୍କ ଝିଅ ପ୍ରଭାସିନୀଙ୍କ ସହ ଉମାକାନ୍ତର ପ୍ରେମ ସମ୍ପର୍କ ଥିଲା। ପରେ ଉମାକାନ୍ତ ବାହା ହେବାକୁ ମନା କରିବାରୁ ପ୍ରଭାସିନୀ ଆତ୍ମହତ୍ୟା କରି ଦେଇଥିଲେ । ୨୦୦୮ ମସିହାରେ ଏହି ଘଟଣା ଘଟିଥିଲା। ଉମାକାନ୍ତ ଗାଁରୁ ଚାଲିଯାଇ କୋଲକତାରେ ଆଉ ଜଣେ ଝିଅକୁ ବାହା ହୋଇ ଘର ସଂସାର କରି ରହିଥିଲେ। ତେବେ ଦୁଇ ଦିନ ତଳେ ଉମାକାନ୍ତ ଗାଁକୁ ଆସିଥିଲେ। ତାଙ୍କୁ ଦେଖି ନୃସିଂହ ପରିବାର ନିଜ ଝିଅ ପ୍ରତି ହୋଇଥିବା ଅନ୍ୟାୟକୁ ମନେ ପକାଇ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ । ଆଉ ସମସ୍ତେ ମିଣି ପ୍ରତିଶୋଧ ନେଇଥିଲେ ବୋଲି ଅଭିଯୋଗ ହୋଇଛି। ଅମୂଲ୍ୟ, ମା ସୁଲୋଚନା, ସାନ ଭଉଣୀ ମମତା ମିଶି ଉମାକାନ୍ତଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିଥିଲେ। ଖୋର୍ଦ୍ଧା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରିଛି।