ରାଜବେଶରେ ଦର୍ଶନ ଦେଲେ ପ୍ରଭୁ ଶ୍ରୀ ଲକ୍ଷ୍ମୀବରାହ ଜୀଉ, ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଆଳି: ପରମ୍ପରା ଏବଂ ସଂସ୍କୃତିକୁ ବାନ୍ଧି ରଖିଥିବା ରାଜ୍ୟ ହେଉଛି ଆମ ରାଜ୍ୟ ଓଡ଼ିଶା । ଓଡ଼ିଶାର ଲୋକମାନଙ୍କ ଚଳଣି ସହିତ ଯୋଡ଼ି ହୋଇରହିଛି ଆମ ପର୍ବ ପର୍ବାଣି ଏବଂ ପରମ୍ପରା । ଓଡ଼ିଆମାନେ ପାଳନ କରନ୍ତି ବାରମାସରେ ତେର ପର୍ବ । ସେହି ମଧ୍ୟରୁ ବରାହ ଦ୍ଵାଦଶୀ ଅନ୍ୟତମ ।

ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ଆଳିର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଲକ୍ଷ୍ମୀ ବରାହଜୀଉଙ୍କ ଜନ୍ମ ଉତ୍ସବ ଗତକାଲି ବେଶ ଆଧ୍ୟାତ୍ମିକ ପରିବେଶ ଭିତରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳୁ ସଞ୍ଜ ଯାଏଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ବରାହକ୍ଷେତ୍ରରେ ଲାଗିରହିଥିଲା । ପ୍ରଭୁଙ୍କର ଏହି ସ୍ୱତନ୍ତ୍ର ରାଜବେଶ ଦେଖିବା ପାଇଁ ଲକ୍ଷାଧୀକ ଭକ୍ତଙ୍କ ସମାଗମ ହୋଇଥିଲା । ରଙ୍ଗବେରଙ୍ଗର ଆଲୋକମାଳା ସାଙ୍ଗକୁ ଭଜନ ସଂକୀର୍ତ୍ତନ, ଘଣ୍ଟଘଣ୍ଟା, ହୁଳହୁଳିରେ କମ୍ପି ଉଠୁଥିଲା ସାରା ପରିବେଶ ।

ସକାଳୁ ସକାଳୁ ବରାହଙ୍କ ସେବାୟତମାନେ ଠାକୁରଙ୍କ ନୀତିକ୍ରାନ୍ତି ଆରମ୍ଭ କରି ପୂଜାର୍ଚ୍ଚନା ସମାପନ କରିଥିଲେ। ଏହା ପରେ ପ୍ରଭୁ ଲକ୍ଷ୍ମୀବରାହ ଜୀଉଙ୍କୁ ଜନ୍ମବେଶ ବା ରାଜବେଶରେ ସୁସଜ୍ଜିତ କରାଯାଇଥିଲା । ବରାହ ଦ୍ଵାଦଶୀରେ ପ୍ରଭୁ ଯାଜପୁରରୁ ଆଳି ଆଗମନ କରିଥିବାରୁ ଏହି ଦିନକୁ ଲକ୍ଷ୍ମୀବରାହଙ୍କ ଜନ୍ମଉତ୍ସବ ଭାବେ ପାଳନ କରାଯାଇଥାଏ ।

ବରାହକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀ ଲକ୍ଷ୍ମୀ ବରାହଜୀଉଙ୍କ ଜନ୍ମ ଉତ୍ସବରେ ସାମିଲ୍ ହେବା ସହ ରାଜବେଶ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଆଡମ୍ବର ସହକାରେ ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ଆଳିର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଲକ୍ଷ୍ମୀ ବରାହଜୀଉଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥିଲା ।