ମା’ କ୍ଷେତ୍ରପାଳୀଙ୍କ ନୂତନ ମନ୍ଦିର ନିର୍ମାଣ କରି ବିଗ୍ରହ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ

ପିପିଲି: ଆମ ରାଜ୍ୟରେ ବିଭିନ୍ନ ଗାଁ ରହିଛି । ଯେଉଁ ଗାଁରେ ଦେଖିବାକୁ ମିଳିଥାଏ ଅନେକ ମଠ ମନ୍ଦିର । ସେଥିମଧ୍ୟରୁ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ପୁରାତନ ମନ୍ଦିର ଭାଙ୍ଗିରୁଜି ଯାଉଥିବା ବେଳେ ଏହାର ପୁନରୁଦ୍ଧାର ଗାଁ ଲୋକମାନେ କରୁଛନ୍ତି । ପୁରୀ ଜିଲ୍ଲା ପିପିଲି ଭାଲିଆବିଲି ଗାଁରେ ମା’ କ୍ଷେତ୍ରପାଳୀଙ୍କ ନୂତନ ମନ୍ଦିର ନିର୍ମାଣ କରି ବିଗ୍ରହ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ଚୁଡ଼ାରେ ସ୍ଥାପନା କରାଯାଉଛି କଳସ । ବନ୍ଧା ଯାଉଛି ନେତ। ମନ୍ଦିର ବିଶ୍ଵକର୍ମାଙ୍କ ସହିତ ବ୍ରାହ୍ମଣ ଏବଂ ଗ୍ରାମବାସୀଙ୍କ ଦ୍ଵାରା ମନ୍ଦିର ଉପରେ କଳସ ବନ୍ଧା କାର୍ଯ୍ୟକ୍ରମ ଚାଲୁ ରହିଛି ।
ସେପଟେ ତଳେ ଠିଆ ହୋଇ ଶ୍ରଦ୍ଧାଳୁମାନେ ହରିବୋଲ ଏବଂ ହୁଳହୁଳି ଦେଇ ଠାକୁରଙ୍କୁ ସ୍ମରଣ କରୁଛନ୍ତି । କଳାକାରମାନଙ୍କ ଦ୍ଵାରା ସଂକୀର୍ତ୍ତନ ମଧ୍ୟ ଚାଲୁ ରହିଛି । ସୃଷ୍ଟି ହେଉଛି ଏକ ଭାବ ଭକ୍ତିମୟ ପରିବେଶ । ଏଭଳି ଏକ ଭଗବତମୟ ପରିବେଶ ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା ଜିଲ୍ଲା ପିପିଲି ଭାଲିଆବିଲି ଗାଁରେ । ନୂତନ ଭାବରେ ନିର୍ମାଣ କରାଯାଇଥିବା ମା’ କ୍ଷେତ୍ରପାଳୀଙ୍କ ଭବ୍ୟ ମନ୍ଦିର କାହିଁ କେଉଁ ଆବହମାନ କାଳରୁ ବର୍ଷ ବର୍ଷ ଧରି ଭଙ୍ଗା ଘରେ ପୂଜା ପାଉଥିଲେ ମା’। ଏବେ ନୂତନ ମନ୍ଦିର ନିର୍ମାଣ କରି ମା’ଙ୍କୁ ମନ୍ଦିର ଭିତରେ ସ୍ଥାପନ କରିପାରିଥିବାରୁ ବେଶ ଖୁସି ଥିବା କହିଛନ୍ତି ଗାଁ ଲୋକେ ।
ନୂତନ ବିଗ୍ରହ ସ୍ଥାପନ କାର୍ଯ୍ୟ ବ୍ରାହ୍ମଣ ଏବଂ ପଣ୍ଡିତମାନଙ୍କ ଦ୍ଵାରା ବେଦ ମନ୍ତ୍ର ଉଚ୍ଚାରଣ କରାଯାଇ କଳସ ସ୍ଥାପନ ସହ ମା’ କ୍ଷେତ୍ରପାଳୀଙ୍କୁ ସ୍ଥାପନା କରାଯିବା ପରେ ପାର୍ଶ୍ଵ ଦେବତା ଭାବରେ ବାରାହୀ, ନାରସିଂହୀ, ଚାମୁଣ୍ଡା ଦ୍ଵାର ପାଳ ଭାବରେ ବ୍ୟାଘ୍ର ମୂଖୀ ସିଂହମୁଖୀ ଦଶମହାବିଦ୍ୟା ପ୍ରତିଷ୍ଠା କରାଯାଇଥିଲା । ପ୍ରତିଷ୍ଠା ପରେ ଠାକୁରାଣୀ ମା’ କ୍ଷେତ୍ରପାଳୀଙ୍କୁ ମନ୍ଦିରରେ ସ୍ଥାପନା କରାଯାଇଥିଲା । ଗାଁରେ ଦୀର୍ଘ ବର୍ଷ ପରେ ଜୀର୍ଣ୍ଣ ଭାବରେ ପଡ଼ି ରହିଥିବା ମା’ଙ୍କୁ ନେଇ ମା’ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଥିବାରୁ ଭକ୍ତମାନଙ୍କ ମନରେ ବେଶ ଆଗ୍ରହ ଦେଖା ଦେଇଥିଲା । ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ନିର୍ମାଣ କରାଯାଉଥିବା ପ୍ରଥମ ଥର ପାଇଁ ମା’ କ୍ଷେତ୍ରପାଳୀଙ୍କ ମନ୍ଦିର ପ୍ରତଷ୍ଠା ହୋଇଥିବାରୁ ଗାଁର ଲୋକମାନେ ବେଶ ଖୁସି ଅନୁଭବ କରିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ମା’ଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
Also Read:ସିଆରପିଏଫ୍ ଯବାନଙ୍କୁ ଚୁନା, ଆପାର୍ଟମେଣ୍ଟ ଦେବା ନାଁରେ ଠକି ନେଲେ ୨୮ଲକ୍ଷ