ବଢ଼ି ଚାଲିଛି ପଜିଟିଭଙ୍କ ସଂଖ୍ୟା; ଚିଲିକା ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ

ଟାଙ୍ଗୀ (କେ ନ୍ୟୁଜ୍‌) : କରୋନା ସଂକ୍ରମଣ ଧୀରେ ଧୀରେ ରାଜ୍ୟରେ ବଢ଼ିବାରେ ଲାଗିଥିବା ବେଳେ ପ୍ରଥମ ସ୍ଥାନରେ ଗଞ୍ଜାମ ଓ ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲା ରହିଛି । ଖୋର୍ଦ୍ଧା ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଏବେ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପୁଣି ହଟସ୍ପଟ ପାଲଟିଛି ଚିଲିକା ନିର୍ବାଚନ ମଣ୍ଡଳୀ ।
ଗତ କିଛି ଦିନ ତଳେ ବଡକୁଳ ପଞ୍ଚାୟତ ଅଫିସରେ ଡୁଙ୍ଗମାଳ ପଞ୍ଚାୟତର ପୂର୍ବତନ ପିଇଓଙ୍କ ବିଦାୟକାଳୀନ ଭୋଜି ଯୋଗୁଁ ଚିଲିକା ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର ଆଶଙ୍କା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗତ ୩୧ ତାରିଖରେ ବଡକୁଳ-ଡୁଙ୍ଗମାଳ ପଞ୍ଚାୟତ ଅଫିସ୍ରେ ଜଣେ ପଞ୍ଚାୟତ କାର‌୍ୟ୍ୟନିର୍ବାହୀ ଅଧିକାରୀଙ୍କ ବିଦାୟକାଳୀନ ଭୋଜିରେ ପ୍ରାୟ ୫୦ ଜଣ ଲୋକ ସାମିଲ୍ ହୋଇଥିଲେ । ଏହି ଭୋଜିରେ ସାମିଲ୍ ଥିବା ଡୁଙ୍ଗମାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧିଙ୍କର ଗତ ୬ ତାରିଖରେ ପଜିଟିଭ୍ ରିପୋର୍ଟ ମିଳିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା । ସେ ଯୋଗ ଦେଇଥିବା ପଞ୍ଚାୟତ ଅଫିସ୍ ଭୋଜିରେ ପ୍ରାୟ ୩୯ ଜଣଙ୍କର ସ୍ବାବ୍ ଟେଷ୍ଟ କରାଯାଇଥିଲା । ଆଜି ସେହି ୩୯ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ରିପୋର୍ଟ ପିଜିଟିଭ୍ ଆସିଥିବାର ସୂଚନା ମିଳିଛି । ଏହି ଆଠ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ, ଜିଆରଏସ୍, ଓ୍ବାର୍ଡ ମେମ୍ବର ଏବଂ ସ୍ଥାନୀୟ ବ୍ୟକ୍ତି ଥିବା କୁହାଯାଉଛି ।

TANGI-2ସେହିପରି ପାଞ୍ଚଜଣ ଆକ୍ରାନ୍ତଙ୍କ ମଧ୍ୟରେ ବାଲୁଗାଁ ଏନଏସିରୁ ଦୁଇଜଣ ରହିଥିବା ବେଳେ ଆଙ୍କୁଲା ପଞ୍ଚାୟତରୁ ଦୁଇଜଣ ଓ ହରିପୁର ପଞ୍ଚାୟତରୁ ଜଣେ ଲେଖାଏଁ ପିଜେଟିଭ ଚିହ୍ନଟ କରି ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ଗତକାଲି ବାଲୁଗାଁ ମାଛ ମାର୍କେଟ୍ରୁ ଜଣେ ବ୍ୟବସାୟୀ ପଜିଟିଭ୍ ଚିହ୍ନଟ ହେବା ପରେ ମାଛ ମାର୍କେଟ୍କୁ ସାତ ଦିନ ପାଇଁ ଜିଲ୍ଲାପାଳ ସିଲ୍ କରିଛନ୍ତି । ଅନୁରୂପେ ଭାବରେ ଗତ କିଛି ଦିନ ତଳେ ବାଣପୁର ସବ୍‌-ଜେଲରୁ ଜଣେ ବିଚାରାଧୀନ କଏଦୀ ଜାମିନରେ ଘରକୁ ଗଲା ପରେ ତାର ରିପୋର୍ଟ ପଜିଟିଭ ଆସିଥିଲା । ସେହି ଆଧାରରେ ଗତ ୧୪ ତାରିଖରେ ବାଣପୁର ସବ୍‌ଜେଲରୁ ୩୫ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଜି ଜଣେ ବିଚାରାଧୀନ କଏଦୀ ଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ ଗଞ୍ଜାମ ଜିଲ୍ଲା କୋଦଳା ଜେଲରୁ ବାଣପୁରସବ୍‌ଜେଲକୁ ସ୍ଥାନାନ୍ତର ହୋଇଥିଲେ।

TANGI-4

ସେହିପରି ବାଣପୁର ବ୍ଲକ୍ ରୁ ୪ ଜଣ କରୋନା ପଜିଟିଭି ବାହାରିଥିବା ସୂଚନା ମିଳିଛି। ସେଥିରୁ ଦୁଇ ଜଣ କ୍ବାରେଣ୍ଟିନରେ ଥିବା ବେଳେ ଦୁଇଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି। ସ୍ଥାନୀୟ ଆକ୍ରାନ୍ତ ଜଣକ ତୁମୁରାପୁଟ ପଞ୍ଚାୟତ ରାଣୀପଡା ଗ୍ରାମର ବୋଲି ସରପଞ୍ଚ ଶଶି ପ୍ରଧାନ ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ବାଣପୁର ଏନ.ଏ.ସି ୧୦ ନମ୍ବର ୱାର୍ଡରୁ ଜଣେ ବ୍ୟକ୍ତି ପୂର୍ବରୁ ଭୁବନେଶ୍ୱର ସ୍ଥିତ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ରିପୋର୍ଟ ଆଜି ପଜିଟିଭ ଆସିଥିବା ସୂଚନା ରହିଛି।

TANGI-3ଏହି ସବ୍‌ଡିଭିଜନ୍‌ରେ ଏଭଳି ସ୍ଥିତି ଯୋଗୁଁ ଗତ କାଲିଠାରୁ ଆସନ୍ତା ୩୧ ତାରିଖ ପର‌୍ୟ୍ୟନ୍ତ ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେତେକ ଅମାନିଆ ବିନା କାରଣରେ ଯାନବାହନ ଧରି ବଜାରରେ ବୁଲାବୁଲି କରୁଥିବାରୁ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଅଛି । ତେଣୁ ପୋଲିସ ପାଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରି ସବୁ ପ୍ରବେଶ ପଥରେ ବ୍ୟାରିକେଡ୍ କରିବାକୁ ଦାବି ହୋଇଛି ।