କଟକରେ ବଢୁଛି କରୋନା ଆରୋଗ୍ୟ ହାର, କାଲିଠାରୁ ସଦ୍ଗୁରୁ ହସ୍ପିଟାଲ ହେବ କାର୍ଯ୍ୟକ୍ଷମ

କେନ୍ୟୁଜ୍(ବ୍ୟୁରୋ): କଟକରେ କରୋନା ଆରୋଗ୍ୟ ହାର ବଢୁଛି । ଅଧିକ ସଂଖ୍ୟାରେ ଟେଷ୍ଟିଂ ହେଉଥିବାରୁ ସଂକ୍ରମଣ ହାର ମଧ୍ୟ ଅଧିକ ଆସୁଛି । ତଥାପି ଆକ୍ଟିଭ୍ କେସ୍ ତୁଳନାରେ ସୁସ୍ଥ ହାର ଅଧିକ ଅଛି । ଜିଲ୍ଲାରେ ଏବେ ସୁସ୍ଥ ହାର ରହିଛି ୬୫.୭୭ ପ୍ରତିଶତ । ଜିଲ୍ଲାରେ ମୋଟ୍ ସଂକ୍ରମଣ ୫ ହଜାର ୩୩୨ ଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୧୮୮୯ । ଆରୋଗ୍ୟ ହୋଇଛନ୍ତି ୩ ହଜାର ୪୧୫ ।
ସେହିଭଳି ସିଏମ୍ସି ଅଞ୍ଚଳରେ ଆକ୍ଟିଭ୍ କେସ୍ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ । ଗତ ସପ୍ତାହ ଅପେକ୍ଷା ଚଳିତ ସପ୍ତାହରେ ଅଧିକ ଟେଷ୍ଟିଂ କରାଯାଇଛି । ଏସପ୍ତାହରେ ଏସ୍ସିବି ମେଡିକାଲରେ ୨୧ ଜିଲ୍ଲାରୁ ୧ ଲକ୍ଷ ୪୪ ହଜାର ୭୮୨ ଟେଷ୍ଟ ହୋଇଛି । ୧୬୮ ଜଣଙ୍କଠୁ ପ୍ଳାଜମା ସଂଗ୍ରହ କରାଯାଇଛି । ୩୩୬ ୟୁନିଟ୍ରୁ ୨୮୭ୟୁନିଟ୍ ପ୍ଲାଜ୍ମା ବ୍ୟବହାର ହୋଇଛି । ଜିଲ୍ଲାରେ ଆକ୍ରାନ୍ତ ୪୫୦ କୋଭିଡ ଯୋଦ୍ଧାଙ୍କ ମଧ୍ୟରୁ ୧୩୨ ଜଣ ଚିକିତ୍ସାଧୀନ ଅଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ।
ସେହିଭଳି କଟକରେ କରୋନା ମୁକାବିଲା ଲାଗି ସହରରେ ଆଜିଯାଏଁ ଅଶ୍ୱିନୀ ହସ୍ପିଟାଲ, ଭିମ୍ସାର ହେଲଥ୍ ସେଣ୍ଟର କାର୍ଯ୍ୟକରୁଥିବା ବେଳେ କାଲିଠାରୁ ସଦ୍ଗୁରୁ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସଦ୍ଗୁରୁ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଯିବା ପରେ କଟକରେ କରୋନା ରୋଗୀଙ୍କ ପାଇ ଚିକିତ୍ସା ସୁବିଧା ଆହୁରି ସହଜ ହୋଇଯିବ। ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇସାରିଛନ୍ତି। ସଦ୍ଗୁରୁ ହସ୍ପିଟାଲରେ ୧୫୦ ବେଡ ରହିଛି। ସବୁଠାରୁ ବଡ଼ କଥା ହେଲା ଯେ, ଏହି ହସ୍ପିଟାଲରେ ଡାଇଲିସିସି ଓ ପ୍ରସୂତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି