ଫନି ପରେ ଖାଁ ଖାଁ ଶ୍ରୀକ୍ଷେତ୍ରର ପରିବେଶ : ସମୁଦ୍ର ନିକଟ ଅଞ୍ଚଳ ପାଲଟିଛି ମରୁଭୂମି, ହଜିଯାଇଛି ଝାଉଁ ବଣ

ଫନି ଫଁରେ ଛାରଖାର ପୁରୀ । ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ପାଲଟିଛି ମରୁଭୂମି। ଯୁଆଡ଼େ ଚାହିଁଲେ ବାଲିଚର। ଠିଆ ହୋଇଛନ୍ତି ଥୁଣ୍ଟା ଗଛ। ବଖାଣୁଛନ୍ତି ବାତ୍ୟା ବିଭୀଷିକାର କଥା। ଅସ୍ତିତ୍ୱ ହରାଇଛି ପୁରୀ-ମେରାଇନ୍ ଡ୍ରାଇଭରେ ଥିବା ବିସ୍ତୀର୍ଣ୍ଣ ଝାଉଁବଣ। ଶୁଖିଲା ବାଲିରେ ମୁଣ୍ ଡପିଟୁଛନ୍ତି ମତ୍ସଜୀବୀଙ୍କ ଜୀବନ ଜୀବିକାର ରାହା ଡଙ୍ଗା। ପବନ ମାଡ଼ରେ ବିକ୍ଷିପ୍ତ ହୋଇ କିଏ କୁଆଡ଼େ ଉଡ଼ିଯାଇଛନ୍ତି। ବାତ୍ୟାର ସପ୍ତାହେ ପରେ ବି ଶ୍ରୀହିନ ଶ୍ରୀକ୍ଷେତ୍ର। କିଛି ଅଞ୍ଚଳରେ ଯୁଦ୍ଧାକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ସଫେଇ ଓ ବିଦ୍ୟୁତ ପୁନରୁଦ୍ଧାର କାମ।
ବାତ୍ୟାର କରାଳ ରୂପରୁ ବର୍ତ୍ତି ନାହିଁ ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ। ବାତ୍ୟା ମାଡ଼ରେ ସମୁଦ୍ର ଛାତି ଉପରେ ଠିଆ ହୋଇଥିବା ସଂସ୍କୃତ ବିଶ୍ୱବିଦ୍ୟାଳୟର ସବୁଜ ବନାନୀ ହଜିଯାଇଛି। ବିଭିନ୍ନ ବିଲଡିଂ ବାଲିଚର। ଭାଙ୍ଗି ଯାଇଛି କବାଟ, ଝରକା, ବିଦ୍ୟୁତ ସାମଗ୍ରୀ ଓ ଆସବାବପତ୍ର। କୁଳପତି, କୁଳସଚିବଙ୍କ ଅଫିସ ସମେତ ପ୍ରଶାସନିକ ବ୍ଲକ, ଆକାଉଣ୍ଟ ଓ କମ୍ପୁଟର ସେକ୍ସନ, ପ୍ରାର୍ଥନା ଗୃହ, ଲାଇବ୍ରେରୀ, ଅଡିଟୋରିୟମ୍ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଛି। ବିଶ୍ୱବିଦ୍ୟାଳୟର ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଓ କାଗଜପତ୍ର ବି ଓଦା। ପ୍ରାଥମିକ ଆକଳନ ଅନୁସାରେ ବିଶ୍ୱବିଦ୍ୟାଳୟର ୨୨ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଛି।
ବାତ୍ୟାରେ ବସ୍ତିବାସିନ୍ଦାଙ୍କ ସ୍ୱପ୍ନର ଘର ଧୂଳିସାତ। ଘର ଭିତରୁ ଦିଶୁଛି ଜହ୍ନ ତାରା। ଖରାରେ ସିଝୁଛି ଜୀବନ। ମୁଣ୍ଡ ଉପରେ ଚାଳ ନଥିବା ବେଳେ ଖାଇବାକୁ ପାଖରେ କିଛି ନାହିଁ। ପିଇବାକୁ ମିଳୁନି ପାଣି। ଅଭିଯୋଗ ହେଉଛି, ଠିକରେ ରିଲିଫ ମିଳୁ ନାହିଁ । କେବଳ ନାହିଁ ନାହିଁରେ ଭିତରେ ବିତୁଛି ରେଳ ଷ୍ଟେସନ ନିକଟରେ ଥିବା ରାମଚଣ୍ଡୀ ଉପରବାଲି ବସ୍ତି ବାସିନ୍ଦାଙ୍କ ଜୀବନ।
ବାତ୍ୟା ପରେ ଶ୍ରୀହୀନ ଶ୍ରୀକ୍ଷେତ୍ର। ଆଗଭଳି ପର୍ଯ୍ୟଟକଙ୍କ ଗହଳି ଚହଳି ନାହିଁ । ବେଳାଭୂମି ବି ଶୂନଶାନ ଲାଗୁଛି। ଜଗାର ଘର ବି ଫାଙ୍କା ଫାଙ୍କା। ବାତ୍ୟା ମାଡ଼ରେ ପର୍ଯ୍ୟଟନ ସହର ଧ୍ୱସ୍ତ ବିଧ୍ୱସ୍ତ। ୩୦ ବର୍ଷ ତଳକୁ ଫେରିଗଲା ଶ୍ରୀକ୍ଷେତ୍ରର ଶିରି।