ଉମାମହେଶ୍ୱର ଦେବଙ୍କ ଦଣ୍ଡଯାତ୍ରା ଆରମ୍ଭ, ୨୦ ଦିନ ବ୍ୟାପି ଚାଲିବ ଏହି ଯାତ୍ରା

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ପ୍ରସିଦ୍ଧ ଶ୍ରୀ ଉମାମହେଶ୍ୱର ଦେବ । ତାଙ୍କ ମହିମା ଅପାର । ତାଙ୍କ ଦର୍ଶନ ଟିକିଏ ପାଇବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସନ୍ତି ଭକ୍ତଗଣ । ଏହି ପୀଠରେ ସୃଷ୍ଟି ହୋଇଛି ପୁରା ଆଧ୍ୟାତ୍ମିକ ପରିବେଶ। ଶ୍ରୀ ଉମାମହେଶ୍ୱର ଦେବଙ୍କ ଦଣ୍ଡ ଉତ୍ସବ ଆରମ୍ଭ ହୋଇଯାଇଛି । ପାରମ୍ପରିକ ନୀତି ଅନୁଯାୟୀ ପାଟଭଗତା ଓ ଅନ୍ୟ ଭଗତାମାନଙ୍କ ଦ୍ୱାରା ଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠ ଠାରେ କାଳିକା ପୂଜା, କାମନା ପୂଜା, ସପ୍ତଋଷି ପୂଜା, ଦଶ ଦିଗପାଳ ପୂଜା ପରେ ଠାକୁରଙ୍କୁ ଆବିର୍ଭାବ କରାଯାଇଥିଲା । ଏହାପରେ ପାଣିତୋଳା ଉତ୍ସବ କରାଯାଇ ଦଣ୍ଡଠାକୁରଙ୍କୁ ନୂତନ ବସ୍ତ୍ର ଓ ଫୁଲରେ ସଜ୍ଜିତ କରାଯାଇଥିଲା ।

ସ୍ନାନ ତୁଠରେ ଶୈବ ପୂଜା, ପାପ ନାଶିନି ପୂଜା କରାଯିବା ପରେ ଦଣ୍ଡରେ ଅଗ୍ନି ସଂଯୋଗ କରାଯାଇଥିଲା । ସ୍ନାନ ତୁଠରେ ପୂଜାର୍ଚ୍ଚନା ସମ୍ପାଦନା ପରେ ପ୍ରଥମ ଥର ପାଇଁ ଦଣ୍ଡରେ ଯୋଗ ଦେଇଥିବା ଭଗତାମାନଙ୍କୁ ପଇତା ପ୍ରଦାନ କରାଯାଇଥିଲା । ଦଣ୍ଡ ଠାକୁର ଉମାମହେଶ୍ୱର ମନ୍ଦିରକୁ ବିଜେ କରି ଚଳତି ପ୍ରତିମା ଶ୍ରୀ ଉମାମହେଶ୍ୱର ଦେବଙ୍କ ଠାରୁ ଆଜ୍ଞାମାଳ ପାଇ ମନ୍ଦିରରୁ ବାହାରିଥିଲେ । ପରେ ବାଲୁଗାଁ ଅଞ୍ଚଳ ବୁଲି ପାଟଣା ସାହି ସ୍ଥିତ ଗାଦିଶ୍ୱର ମନ୍ଦିର ପୀଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଏହି ଦିନଠାରୁ ଆରମ୍ଭ କରି ଆଗାମୀ ୨୦ ଦିନ ପର୍ଯ୍ୟନ୍ତ ବିଭିନ୍ନ ଗାଁ ବୁଲି ବୁଲି ପାଣିତୋଳା ଉତ୍ସବ ସହ ଦଣ୍ଡନୃତ୍ୟ ପରିବେଷଣ କରାଯିବ । ୨୦ଦିନ ବ୍ୟାପି ଏହି ଦଣ୍ଡ ଉତ୍ସବ ଆଜି ଠାରୁ ପାଳିତ ହୋଇ ମେରୁ ବା ପଣା ସଂକ୍ରାନ୍ତି ଦିନ ଶେଷ ହେବ । ଦଣ୍ଡ ଠାକୁର ଆବିର୍ଭାବ ପରେ ସମଗ୍ର ବାଲୁଗାଁ ବାଣପୁର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ବିଶ୍ବାସ ରହିଛି ଉମାମହେଶ୍ୱର ଦେବଙ୍କୁ ଦୁଃଖ ଜଣାଇଲେ ସବୁ ମନସ୍କାମନା ପୂର୍ଣ୍ଣ କରନ୍ତି ପ୍ରଭୁ ।

 

Also Read:କେବେ ଏବଂ କିପରି କରିବେ ହନୁମାନ ଚାଳିଶା ପାଠ? ଜାଣନ୍ତୁ ସଠିକ୍ ନିୟମ