ଜଗନ୍ନାଥଙ୍କ ୩୨ ବେଶ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ, ଗ୍ରାମୀଣ ମହୋତ୍ସବ ବୁଲି ମଜା ନେଉଛନ୍ତି ଲୋକେ

ଭାବର ଠାକୁର ହେଉଛନ୍ତି ଭାବ ବିନୋଦିଆ କଳା ଠାକୁର । ହାତ ଟେକି ଥରେ ହୃଦୟରୁ ଡାକିଦେଲେ ଭକ୍ତଙ୍କ ପାଖକୁ ଚାଲି ଆସନ୍ତି କଳା ସାଆନ୍ତ । ଗୋଟିଏ ସ୍ଥାନରେ ୩୨ଟି ଦୁର୍ଲଭ ବେଶରେ ଦର୍ଶନ ଦେଇଛନ୍ତି ଜଗତର ନାଥ ଶ୍ରୀ ଜଗନ୍ନାଥ । ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ କୋଟସାହି ପଞ୍ଚାୟତରେ ଆୟୋଜିତ ହୋଇଥିବା ଜଗନ୍ନାଥଙ୍କ ୩୨ ବେଶ ସହିତ ସୁବର୍ଣ୍ଣରେଖା ଗ୍ରାମୀଣ ମହୋତ୍ସବ ବୁଲି ମଜା ନେଉଛନ୍ତି ଲୋକେ ।

କୋଟସାହି ପଞ୍ଚାୟତର ସାନ ରାଉତପଡା ଗାଁର ସୁବର୍ଣ୍ଣରେଖା ନଦୀ ପଠାରେ ଆୟୋଜିତ ହୋଇଛି ସୁବର୍ଣ୍ଣରେଖା ଗ୍ରାମୀଣ ମହୋତ୍ସବ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ୩୨ ବେଶ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମହାପ୍ରଭୁଙ୍କ ସୁନା ବେଶ ସହିତ ୩୨ଟି ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଭାବ ବିନୋଦିଆ କଳା ଠାକୁର । ଲୋକମାନେ ମଧ୍ୟ ଠାକୁରଙ୍କ ସମସ୍ତ ବେଶକୁ ଗୋଟିଏ ସ୍ଥାନରେ ଦର୍ଶନ କରି ମହାପ୍ରଭୁଙ୍କ କୃପାଲାଭ କରୁଛନ୍ତି । ଯାହାଫଳରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ପାଇଁ  ସ୍ଥାନୀୟ ଅଞ୍ଚଳରେ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସ୍ଥାନୀୟ ଅଞ୍ଚଳ ସମେତ ଜଳେଶ୍ୱର, ବସ୍ତା, ବାଲିଆପାଳ ଏବଂ ପଡୋଶୀ ପଶ୍ଚିମବଙ୍ଗରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଛୁଟି ଆସୁଛନ୍ତି । ଅନେକ ଲୋକ ପୁରୀ ଯାଇ ଠାକୁରଙ୍କ ଦର୍ଶନ କରି ପାରନ୍ତି ନାହିଁ । ଜଗତର ନାଥଙ୍କୁ ଦର୍ଶନ ପାଇଁ ଆଗ୍ରହୀ ଥିଲେ ମଧ୍ୟ ପରିବାରିକ ପରିସ୍ଥିତି ଏବଂ ଆର୍ଥିକ ଅଭାବ ଅନଟନ ସେମାନଙ୍କୁ ବାଧା ଦେଉଥିଲା । ମାତ୍ର ଏଠାରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗୁଁ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି । ଗୋଟିଏ ସ୍ଥାନରେ ଗୋଟିଏ କି ଦୁଇଟି ବେଶ ନୁହେଁ ଏକାଥରକେ ୩୨ଟି ଅଲୌକିକ ବେଶ ଦର୍ଶନ କରି ପାରୁଥିବାରୁ ଶ୍ରଦ୍ଧାଳୁମାନେ ଖୁସି ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।

ସୁବର୍ଣ୍ଣରେଖା ନଦୀ ପଠାରେ ଆୟୋଜିତ ଗ୍ରାମୀଣ ମହୋତ୍ସବ ମାର୍ଚ୍ଚ ୭ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୧୭  ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ମହାପ୍ରଭୁଙ୍କ ୩୨ ବେଶ କାର୍ଯ୍ୟକ୍ରମ ସହିତ ସୁବର୍ଣ୍ଣରେଖା ଗ୍ରାମୀଣ ମହୋତ୍ସୋବର ଭରପୁର ମଜା ନେଉଛନ୍ତି ଦର୍ଶକ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଲୋକମାନେ ଜିନିଷ ପତ୍ର କିଣିବା ସହ ଚଟପଟି ଖାଦ୍ୟର ମଜା ନେଉଛନ୍ତି । ଶେଷ ଦିନରେ ନାମ ସଂକୀର୍ତ୍ତନ ଆରମ୍ଭ ହୋଇ ୨୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଆନନ୍ଦ ବଜାରର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ କୁହାଯାଇଛି ।

ଗ୍ରାମାଞ୍ଚଳରେ ଏଭଳି  ଜଗତର ନାଥ ଜଗନ୍ନାଥଙ୍କ ୩୨ ଟି ଅଲୌକିକ ବେଶ ଦର୍ଶନ ସାଙ୍ଗକୁ ଗ୍ରାମୀଣ ମହୋତ୍ସବ ଉପଭୋଗ କରିବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଛୁଟି ଆସୁଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Also Read: ବାଲୁକାଶିଳ୍ପୀ ସୁଦର୍ଶନଙ୍କ ନିଖୁଣ କଳାକୃତି, ବାଲୁକାକଳାରେ ଶୋଭା ପାଇଲେ ତିନି ଠାକୁର