ମହାଶିବରାତ୍ରିରେ ଉଜାଗର ରହି ପ୍ରଭୁଙ୍କ ଆଶିଷ ଲାଭ କଲେ ଭକ୍ତ

ଶିବ- ଶକ୍ତି । ତାଙ୍କ ପୂଜାର ବହୁତ ମହତ୍ତ୍ବ ରହିଛି । ଭଗବାନ ଶିବ କଲ୍ୟାଣକାରୀ । ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଶକ୍ତି-ଶିବଲିଙ୍ଗରେ ଅଭିଷେକ ସମାହିତ ରହିଥାଏ । ସମସ୍ତ ଦୁଃଖକୁ ଦୂର କରିଦିଅନ୍ତି । ଶିବ ରାତ୍ରୀକୁ ପ୍ରଭୁ ଶିବଙ୍କର ରାତ୍ରୀ ବୋଲି କୁହାଯାଇଥାଏ ।

ପୌରାଣିକ କଥା ଅନୁଯାୟୀ, ଫାଲ୍ଗୁନ କୃଷ୍ଣପକ୍ଷର ଚତୁର୍ଦ୍ଧଶୀ ତିଥିରେ ଏହି ଜାଗର ଉତ୍ସବ ପାଳନ କରାଯାଇଥାଏ । ଏହି ରାତ୍ରିଟି ପ୍ରଭୁ ଶିବଙ୍କର ପୂଜା କରିବାର ଏକ ବିଶେଷ ରାତ୍ରି ହୋଇଥାଏ । ଅନ୍ୟ ଦେବାଦେବୀ ମାନଙ୍କର ପୂଜା ଆଦି କାର୍ଯ୍ୟ ଦିନ ବେଳେ ଅନୁଷ୍ଠିତ ହୋଇଥିବା ବେଳେ ଶିବରାତ୍ରୀ ପୂଜାରେ ମହାଦେବଙ୍କର ରାତିରେ ବିଶେଷ ଭାବେ ପୂଜା ଆରାଧନା କରାଯାଇଥାଏ । ଭଗବାନ ଶିବ ହିଁ ବ୍ରହ୍ମାଣ୍ଡର ଆଦି କାରଣ ଅଟନ୍ତି । ଚଳିତ ଥର ଜାଗର ଉପଲକ୍ଷେ ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଥିଲା। ଏହାରି ମଧ୍ୟରେ ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ମଝିଆଗୁଡି ଜଗନ୍ନାଥ ମନ୍ଦିର ପରିସରରେ ଥିବା ପ୍ରଭୁ ଧବଳେଶ୍ଵର ମହାଦେବଙ୍କ ମନ୍ଦିରରେ ମହା ସମାରୋହରେ ପାଳିତ ହୋଇଛି ମହାଶିବରାତ୍ରି ।

ପ୍ରଭୁ ଧବଳେଶ୍ଵର ମହାଦେବଙ୍କ ମନ୍ଦରିରେ ଗତକାଲିଠାରୁ ଆଜି ଯାଏଁ ଭକ୍ତଙ୍କ ଗହଳି ଲାଗି ରହିଛି । ଗତରାତ୍ରୀ ୧୦ଟା ସମୟରେ ମହାଦୀପ ଉଠିଥଲା । ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ମନ୍ଦିର ପରିବେଶ । ମହାଦୀପ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗିରହିଥିଲା। ବିଶେଷ କରି ମହିଳା ଭକ୍ତମାନେ ଜାଗର ଦୀପଜାଳି ରାତି ତମାମ ଉଜାଗର ରହି ପ୍ରଭୁ ଶିବଙ୍କ ଆଶିଷ ଲାଭ କରିଥିବାରୁ ମହିଳାମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଅପରପକ୍ଷେ, ମହାଶିବରାତ୍ରିରେ ଭକ୍ତଙ୍କ ଶୃଂଖଳିତ ଦର୍ଶନ ପାଇଁ ମନ୍ଦିର ପରିଚାଳନା କତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।