ନୂଆ ବର୍ଷରେ ରାଜ୍ୟର ବିଭିନ୍ନ ମନ୍ଦିରରେ ପ୍ରବଳ ଭିଡ଼, ପରିବାର ସହ ଶୁଭ ମନାସି ଦର୍ଶନ କରୁଛନ୍ତି ଭକ୍ତ

କାକଟପୁର/ଘଟଗାଁ/ଚାନ୍ଦାବାଲି/ବାରିପଦା/କଟକ/ସମ୍ବଲପୁର/ସୁବର୍ଣ୍ଣପୁର/ଟାଙ୍ଗି: ଓଲଟିଛି କ୍ୟାଲେଣ୍ଡର ପୃଷ୍ଠା । ବିଦାୟ ନେଇଛି ୨୦୨୪ । ଆସିଛି ନୂଆବର୍ଷ । ଧରାପୃଷ୍ଠରେ ଏବେ ୨୦୨୫ର ରାଜୁତି । ନୂଆ ବର୍ଷରେ ନୂଆ ଉତ୍ସାହ, ଉଦ୍ଦୀପନା । ତେବେ ଏହି ଇଂରାଜୀ ନବବର୍ଷରେ ଭଗବାନଙ୍କ କୃପା ଭିକ୍ଷା କରିବାକୁ ରାଜ୍ୟର ବିଭିନ୍ନ ମନ୍ଦିରରେ ଦେଖିବାକୁ ମିଳିଛି ଭକ୍ତଙ୍କ ପ୍ରବଳ ଭିଡ । ଏହି ଅବସରରେ କାକଟପୁର ବାସିନୀ ମାଆ ମଙ୍ଗଳାଙ୍କ ମନ୍ଦିରରେ ଶ୍ରଦ୍ଧାଳୁମାନେ ପହଁଚି ପୂଜା ଅର୍ଚ୍ଚନା କରିଛନ୍ତି । ବର୍ଷର ଆରମ୍ଭରେ ମାଆ ମଙ୍ଗଳାଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ମାନଙ୍କ ଭିଡକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ ମାଧ୍ୟମରେ ଧାଡି ଦର୍ଶନର ବ୍ୟବସ୍ଥା କରାଯାଇଛି ।
ସେହିପରି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କୁ ୨୦୨୫ ନୂଆ ବର୍ଷରେ ଦର୍ଶନ କରିବା ପାଇଁ ନୂଆ ବର୍ଷର ପହିଲି ସକାଳରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗି ରହିଛି । ଆଜି ଭୋର ୩ଟାରୁ ମନ୍ଦିର ପୂଜକ ମାନେ ମାଆଙ୍କ ସମସ୍ତ ନୀତିକାନ୍ତି କରି ମାଆଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ । ଭୋର ୪ଟାରେ ମାଆଙ୍କ ମଙ୍ଗଳ ଆଳତି ସମାପନ ପରେ ୫ଘଣ୍ଟିକାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା ।
ନବବର୍ଷ ଅବସରରେ ମାଆଙ୍କ ସୁନାବେଶ ଦର୍ଶନ କରିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ଆସୁଥିବା ଭକ୍ତ ମାନଙ୍କୁ ନଡିଆ ଲଡୁ ଦିଆଯାଉଛି । ଏଥିସହିତ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା କରିବା ସହ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ ଭାବରେ ପୋଲିସ ନିୟୋଜିତ କରାଯାଇଛି ।
ସେହିଭଳି ଚାନ୍ଦାବାଲି ନୂତନ ବର୍ଷର ପ୍ରଥମ ଦିନରେ ବାବାମଣିଙ୍କ ଦର୍ଶନ କରି ଦିନ ଆରମ୍ଭ କଲେ ବର୍ଷ ତମାମ ଶୁଭ ହେବ । ଏହି ବିଶ୍ୱାସ ପାଇଁ ଆଜି ଆରଡ଼ି ଆଖଣ୍ଡଳମଣି ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଛି । ଭକ୍ତ ମାନେ ବ୍ୟାରିକେଡ଼ରେ ଲମ୍ବା ଲାଇନରେ ଆସି ବାବାମଣିଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରୁଛନ୍ତି । ସକାଳୁ ସକାଳୁ ଭକ୍ତମାନେ ଭିଡ଼ ଜମାଇଛନ୍ତି । ନୂତନ ବର୍ଷ ପାଇଁ ଆଜି ଭୋର ୪ଟାରେ ମନ୍ଦିର ପହୁଡ ଖୋଲା ହେବା ପରେ ପ୍ରଥମେ ମଙ୍ଗଳ ଆଳତୀ କରାଯାଇଥିଲା । ପରେ ଭକ୍ତଙ୍କ ପାଇଁ ସାହାଣ ମେଳା କରାଯାଇଥିଲା ।
ଏପଟେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୂଆ ବର୍ଷକୁ ସ୍ଵାଗତ କରିବାକୁ ବାରିପଦାର ଅଧିଷ୍ଠାତ୍ରୀ ଦେବୀ ମାଆ ଅମ୍ୱିକାଙ୍କ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଠାକୁରଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରି ପରିବାରର ମଙ୍ଗଳ କାମନା କରି ନୂଆ ବର୍ଷ ଆରମ୍ଭ କରିଛନ୍ତି ସହରବାସୀ ।
ନୂତନ ବର୍ଷ ୨୦୨୫କୁ ବେଶ ଧୁମଧାମରେ ପାଳନ କରିଛନ୍ତି କଟକ ବାସୀ । ନୂଆ ବର୍ଷ ସକାଳୁ ଦେଖିବାକୁ ମିଳିଛି କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ମନ୍ଦିରରେ ଭକ୍ତଙ୍କ ଭିଡ । ନୂତନ ବର୍ଷ କିଭଳି ଭଲରେ ଓ ମଙ୍ଗଳ ରେ କଟିବ ମାଆଙ୍କ ପାଖରେ କରିଛନ୍ତି ପ୍ରାର୍ଥନା ।
ନବବର୍ଷରେ ମାଆ ସମଲେଶ୍ୱରୀଙ୍କ ଦର୍ଶନରୁ ଦିନ ଆରମ୍ଭ କରିବା ପାଇଁ ସକାଳୁ ସକାଳୁ ମାଆଙ୍କ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭୋର ପାଞ୍ଚଟାରେ ମଙ୍ଗଳ ଆଳତୀ କରାଯାଇଥିଲା । ଶ୍ରଦ୍ଧାଳୁ ମାନଙ୍କ ପାଇଁ ସକାଳ ୬ଟା ରେ ମନ୍ଦିର ଗେଟ ଖୋଲା ଯାଇଥିଲା । ଭକ୍ତ ମାନେ ଯେପରି ମାଆଙ୍କ ଦର୍ଶନ ଭଲ ଭାବେ କରି ପାରିବେ ସେନେଇ ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ମାଆ ଙ୍କ ନିକଟରେ ଭୋଗ ସମ୍ପୂର୍ଣ ଚଢା ଯାଉଛି । ସନ୍ଧ୍ୟା ସମୟରେ ମଧ୍ୟ ପ୍ରବଳ ଭିଡ଼ ହୋଇଛି ।
ଯାଇଛି ପୁରୁଣା ବର୍ଷ ୨୦୨୪ । ଅସିଛି ନୂଆ ବର୍ଷ ୨୦୨୫ । ନୂଆ ବର୍ଷକୁ ସ୍ୱାଗତ କରିବାକୁ ସବୁଠି ଚାଲିଛି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ । ତେବେ ଏସବୁ ଭିତରେ ବିଭିନ୍ନ ଦେବାଦେବୀଙ୍କ ପୀଠରେ ଲାଗିଛି ଭକ୍ତଙ୍କ ଭିଡ । ଏହି ବର୍ଷଟି କିଭଳି ନିଜ ଓ ନିଜ ପରିବାରର ଶୁଭଙ୍କର ହେବ ସେନେଇ ଚାଲିଛି ମହାପ୍ରଭୁଙ୍କ ପାଖରେ ଗୁହାରୀ । ଆଜି ବର୍ଷର ପ୍ରଥମ ଦିନରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ପୀଠ ତଥା ଜଗନ୍ନାଥଙ୍କ ଅନନ୍ୟ ଧାମ ପାତାଳୀ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଦାଳୁମାନେ ପାତାଳୀ ଶ୍ରୀକ୍ଷେତ୍ର ପହଂଚି ସକାଳୁ ସାକାଳି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ସେହିଭଳି ମାଁ ମେଟାକାନୀ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମାଁ ସୁରେଶ୍ୱରୀ ମନ୍ଦିରରେ ମଧ୍ୟ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ବର୍ଷର ପ୍ରଥମ ଦିନରେ ମାଁଙ୍କ ଦର୍ଶନକରି ଆଶିର୍ବାଦ ନେଉଛନ୍ତି ଶ୍ରଦ୍ଧାଳୁ ।
ନୂତନ ବର୍ଷ ସମସ୍ତଙ୍କ ଜୀବନରେ ଆଣିଦେଉ ଖୁସିର ଆସର । ଏଥିପାଇଁ ସକାଳୁ ସକାଳୁ ଶହ ଶହ ସଂଖ୍ୟାରେ ଭକ୍ତମାନେ ଛୁଟି ଆସୁଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ପ୍ରତିଷ୍ଠିତ ତନ୍ତ୍ର ପୀଠ ମାଆ ଉଗ୍ରତାରାଙ୍କ ନିକଟକୁ । ପିଲା ଠାରୁ ବୁଢ଼ା ସହିତ ମାଆ ମାଉସୀମାନେ ହାତରେ ଖଣ୍ଡେ ଖଣ୍ଡେ ଦୀପ ଜାଳି ମାଆଙ୍କୁ ଜଣାଉଛନ୍ତି ନିଜର ଗୁହାରୀ । ସେପଟେ ଲମ୍ବା ଧାଡି ରେ ମନସ୍କାମନା ପୂଜା ପାଇଁ ଭକ୍ତମାନେ ଅପେକ୍ଷା କରିଛନ୍ତି ଦର୍ଶନ ପାଇଁ । କୁନି ସଙ୍କୀର୍ତ୍ତନ ମଣ୍ଡଳୀ ହରି ନାମରେ ମଝି ଯାଇଛନ୍ତି । ଆସିଛି ନୂଆବର୍ଷ ୨୦୨୫ । ଆଣିଛି ନୂଆ ଆଶା ଓ ନୂଆ ଉତ୍ସାହ । ନୂଆବର୍ଷର ପ୍ରଥମ ଦିନକୁ ମନଭରି ଉପଭୋଗ କରିଛନ୍ତି ଲୋକ । ସମସ୍ତଙ୍କ ମନରେ ଗୋଟିଏ ଭାବନା ଯେ, ନବ ବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେଉ ।