ଅତି ଆକାର୍ଷଣୀୟ ମହାପ୍ରଭୁଙ୍କ ୨୫ ବେଶ, ଯାହାକୁ ଦେଖି ଭାବବିହ୍ୱଳ ହେଉଛନ୍ତି ଭକ୍ତ
ଗୋଟିଏ ସ୍ଥାନରେ ଏକାସାଙ୍ଗରେ ମହାପ୍ରଭୁଙ୍କ ୨୫ ବେଶ । ଶ୍ରୀକ୍ଷେତ୍ରରେ ଜଗନ୍ନାଥ ବଲ୍ଳଭରେ ମହାପ୍ରଭୁଙ୍କ ଏହି ୨୫ ପ୍ରକାର ବେଶ ଦେଖି ଆତ୍ମ ବିଭୋର ହେଉଛନ୍ତି ଭକ୍ତ । ଯେଉଁ ଦୁର୍ଲଭ ବେଶ ସବୁକୁ ଭକ୍ତ ଶ୍ରଦ୍ଧାଳୁ ବିଭିନ୍ନ ସମୟରେ ଦେଖିପାରନ୍ତି ନାହିଁ ସେସବୁକୁ ଏକାଠି ଦେଖିବାର ମିଳିଛି ଅପୂର୍ବ ସୁଯୋଗ ।

ପୁରୀ (କେନ୍ୟୁଜ): ଗୋଟିଏ ସ୍ଥାନରେ ଏକାସାଙ୍ଗରେ ମହାପ୍ରଭୁଙ୍କ ୨୫ ବେଶ । ଶ୍ରୀକ୍ଷେତ୍ରରେ ଜଗନ୍ନାଥ ବଲ୍ଳଭରେ ମହାପ୍ରଭୁଙ୍କ ଏହି ୨୫ ପ୍ରକାର ବେଶ ଦେଖି ଆତ୍ମ ବିଭୋର ହେଉଛନ୍ତି ଭକ୍ତ । ଯେଉଁ ଦୁର୍ଲଭ ବେଶ ସବୁକୁ ଭକ୍ତ ଶ୍ରଦ୍ଧାଳୁ ବିଭିନ୍ନ ସମୟରେ ଦେଖିପାରନ୍ତି ନାହିଁ ସେସବୁକୁ ଏକାଠି ଦେଖିବାର ମିଳିଛି ଅପୂର୍ବ ସୁଯୋଗ । ପ୍ରାୟ ଏକମାସ ଧରି ଏହି ଦୁର୍ଲଭ ବେଶ ଗୁଡ଼ିକ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ।
ଶ୍ରୀ ଜଗନ୍ନାଥ ବଲ୍ଳଭ ମଠ ପରିସରରେ ଶୋଭା ପାଉଛି ମହାପ୍ରଭୁଙ୍କ ବିଭିନ୍ନ ବେଶ ଶୃଙ୍ଗାର। ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ବୈଶାଖ ମାସ ରୁ ଚୈତ୍ର ମାସ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ୨୫ପ୍ରକାର ବେଶକୁ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଦର୍ଶନ କରିବାର ସୁଯୋଗ ପାଉଛନ୍ତି ଭକ୍ତ ଶ୍ରଦ୍ଧାଳୁ । ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଭବ୍ୟ ଉତ୍ସବ ଅବସରରେ ଏହି ବେଶକୁ ଦର୍ଶନ କରୁଛନ୍ତି । ଉତ୍ସବକୁ ଆହୁରି ସୁନ୍ଦର ସରସ କରିବା ଲାଗି ବିଭିନ୍ନ ପ୍ରକାର ଆୟୋଜନ କରାଯାଇଛି । ତେବେ ଭକ୍ତଙ୍କୁ ନୂତନ ଅନୁଭୂତି ଦେବାଲାଗି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ନିଆରା ଆୟୋଜନ। ଶ୍ରୀ ମନ୍ଦିର ରେ ମହାପ୍ରଭୁଙ୍କ ଦୈନଦିନ ନୀତି କାନ୍ତି ସହ ପର୍ବପର୍ବାଣି ରେ ଅନୁଷ୍ଠିତ ହେଉଥିବା ବେଶକୁ ଚର୍ମ ଚକ୍ଷୁରେ ଦର୍ଶନ କରୁଛନ୍ତି ଭକ୍ତ ।
ଜଗନ୍ନାଥ ବଲ୍ଳଭ ମଠ ପରିସରରେ ମହାପ୍ରଭୁଙ୍କ ସମସ୍ତ ବେଶକୁ ଅତି ଆକାର୍ଷଣୀୟ ଭାବେ ପ୍ରଦର୍ଶନ କରାଯାଉଛି । ୨୫ ପ୍ରକାର ବେଶଗୁଡ଼ିକ ମଧ୍ୟରେ ରହିଛି ଅବକାଶ ବେଶ (ତଡ଼ପ ଉତ୍ତରି ବେଶ), ସାଧା ବେଶ, ବଡ଼ସିଂହାର ବେଶ, ଗଜାନନ ବା ହାତୀବେଶ, ରାଜାଧିରାଜ ବେଶ (ସୁନାବେଶ), ବନଭୋଜୀ ବେଶ, କାଳୀୟଦଳନ ବେଶ, ପ୍ରଳମ୍ବାସୁର ବଧ ବେଶ, କୃଷ୍ଣ ବଳରାମ ବେଶ, ବାମନ ବେଶ, ରାଧାଦାମୋଦର ବେଶ, ଲକ୍ଷ୍ମୀନାରାୟଣ ବେଶ (ଠିଆକିଆ), ବାଙ୍କଚୂଡ଼ ବେଶ, ତ୍ରିବିକ୍ରମ ବେଶ (ଡାଳିକିଆ ବେଶ), ଲକ୍ଷ୍ମୀନୃସିଂହ ବେଶ (ଆଡ଼କିଆ ବେଶ), ନାଗାର୍ଜୁନ ବେଶ, ଶ୍ରାଦ୍ଧ ବେଶ, ଘୋଡ଼ଲାଗି ବେଶ, ଜାମାଲାଗି ବେଶ, ନବାଙ୍କ ବେଶ, ପଦ୍ମମୁଖ ବେଶ, ଗଜଉଦ୍ଧାରଣ ବେଶ, ଚାଚେଡ଼ି ବେଶ, ରଘୁନାଥ ବେଶ (ରାମାଭିଷେକ) ବେଶ ଓ ଚନ୍ଦନଲାଗି ବେଶ ଆଦି ଭକ୍ତ ମାନେ ଦର୍ଶନ କରୁଛନ୍ତି ।
ମହାପ୍ରଭୁଙ୍କ ବିଭିନ୍ନ ବେଶ ପ୍ରସ୍ତୁତ କରୁଥିବା ଶିଳ୍ପୀ ବସନ୍ତ ରଣା ଏହି ସବୁ ବେଶ ତିଆରି କରିଛନ୍ତି । ଏଥିପାଇଁ ୩ ଫୁଟ ଉଚ୍ଚତାର ଜଗନ୍ନାଥ ଓ ବଳରାମଙ୍କ ମୂର୍ତ୍ତି ତିଆରି କରାଯାଇଥିବାବେଳେ ୨.୫ ଫୁଟ ଉଚ୍ଚର ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି ରହିଛି । ପ୍ରାୟ ୪ ଫୁଟର ସିଂହାସନ ଉପରେ ଠାକୁରଙ୍କର ଏହି ବେଶ ସବୁ ରହିଛି ।
ମନ୍ଦିରରେ ଯେଉଁଭଳି ଠାକୁରଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଏ ସେହିଭଳି ବେଶ କରାଯାଇଛି । ଜରି, ଜମ୍ବୁରା, ସୋଲ, ଅଠା, ବିଭିନ୍ନ ପ୍ରକାର ମାଳି, କାର୍ଡବୋଡ ଆଦିରେ ଅଳଙ୍କାର ଓ ସାଜସଜ୍ଜା ସବୁରେ ତିଆରି କରିଛନ୍ତି କାରିଗର । ଏଥିସହ ତିନି ରଥ ର ଚକ ଏବଂ ମହାପ୍ରଭୁ ଙ୍କ ସେବାରେ ବ୍ୟବହୃତ ହେଉଥିବା ପୁଷ୍ପ, ମାଟି ପାତ୍ର, ଏବଂ ଭୋଗ ଥାଳି ସହ ବିଭିନ୍ନ ସାମଗ୍ରୀକୁ ଦେଖିବାରେ ସୁଯୋଗ ପାଇଥିବା ଭକ୍ତ ମାନେ ଖୁସି ବ୍ୟକ୍ତ କରିଛନ୍ତି। ଭକ୍ତ ମାନେ ବିଭିନ୍ନ ସମୟରେ ଶ୍ରୀ ମନ୍ଦିର ରେ ମହାପ୍ରଭୁଙ୍କ ଏହି ର୍ଦୁଲଭ ବେଶ ଦେଖିବାର ସୁଯୋଗ ପାଇନଥିବା ବେଳେ ଏହି ପଦର୍ଶନି ଦ୍ୱାରା ସମସ୍ତ ବେଶ କୁ ଗୋଟିଏ ସ୍ଥାନରେ ଦେଖି ଆତ୍ମବିଭୋର ହୋଇଛନ୍ତି ଭକ୍ତ ଶ୍ରଦ୍ଧାଳୁ।