ଜାଣିଛନ୍ତି କି କୋଇଲି ଓଷାର ପରମ୍ପରା? ଖୁବ ନିଆରା ଏହି ପର୍ବ

କୋଇଲି ଓଷା, ନାଁ ଯେମିତି ପରମ୍ପରା ବି ସେମିତି । କୁନି କୁନି ପିଲାଙ୍କ ମେଳରେ ଚାଲିଛି କୋଇଲି ଓଷା । ଦର୍ଶକ ବନ୍ଧୁ ଆପଣ ବିଭିନ୍ନ ପରମ୍ପରା ବିଷୟରେ ଶୁଣିଥିବେ ଜାଣିଥିବେ ନିଶ୍ଚୟ କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ପରମ୍ପରା ବିଷୟରେ କହୁଚୁ ତାହା ସମ୍ପୂର୍ଣ୍ଣ ଭିନ୍ନ । ମାଟିରେ ତିଆରି ହୋଇଛି କୁନି କୁନି କୋଇଲି । ଆଉ ରଙ୍ଗ ତୁଳୀରେ ଶୋଭା ପାଉଛି ସେମାନଙ୍କ ବସା । ଗାଁର ଝିଅମାନେ କୋଇଲି ଆଉ ତା ବସାକୁ ସଜେଇବାରେ ବ୍ୟସ୍ତ । କିଛି ପିଲା ମିଠା ଭାର ଧରି ଅପେକ୍ଷା ବି କରିଛନ୍ତି । ତେବେ ଆସନ୍ତୁ ଜାଣିବା ପିଲାମାନେ କରୁଥିବା ଏହି ପରମ୍ପରା ପଛରେ କଣ କାରଣ ରହିଛି ।

ଓଡ଼ିଆମାନେ ବାର ମାସରେ ତେର ପର୍ବ ପାଳନ୍ତି । ଯାନି ଜାତ ଆସିଲେ ଗାଁ ଠୁ ସହର ସବୁଠି ହୋଇଉଠେ ଚଳଚଞ୍ଚଳ । ତେର ପର୍ବ ମଧ୍ୟରେ ଖାସ ପର୍ବ ହେଉଛି କୋଇଲି ଓଷା । କାହିଁ କେଉଁ ଅନାଦି କାଳରୁ ପାଖାପାଖି ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଏହି ଓଷା ପାଳିତ ହେଉଛି । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଶରୀପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁଶ ଗଡିଆ ଗାଁରେ ଏହି ଓଷାକୁ ଧୁମ୍ ଧାମରେ ପାଳନ କରାଯାଇଛି ।

ଖାସ କରି ଗାଁର କୁଆଁରୀ ଝିଅମାନେ ଏହି ପର୍ବକୁ ଧୁମଧାମରେ ପାଳନ କରିଥାନ୍ତି । ଆଗାମୀ ଦିନ ପାଇଁ ମନରେ ଥିବା ଅସୁମାରୀ ଆଶା ଓ ସ୍ୱପ୍ନକୁ ପୂରଣ କରିବା ସହ ବିଶେଷ କରି ତାଙ୍କ ଭାଇର ଶୁଭ ମନାସିବା ଉଦ୍ଦେଶ୍ୟ ନେଇ ଝିଅମାନେ ଏହି ଓଷାକୁ ପାଳନ କରନ୍ତି । ଭାଇ ମାନଙ୍କ ହାତରେ ରାଖୀ ବାନ୍ଧି ଭଉଣୀମାନେ ରକ୍ଷା ବନ୍ଧନ ପାଳନ କରନ୍ତି । ସମାନ ଭାବେ ଏହି କୋଇଲି ଓଷା କରିବା ଦ୍ୱାରା ଭାଇର ଦୀର୍ଘାୟୁ କାମନା କରନ୍ତି ଭଉଣୀ ।

ପବିତ୍ର ଓଡ଼ିଆ ନବ ବର୍ଷ ତଥା ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ପ୍ରତି ବର୍ଷ ଝିଅମାନେ ଏ ପର୍ବ ପାଳନ କରିଥାନ୍ତି । ଏହି ଅବସରରେ ପର୍ବର ୭ ଦିନ ପୂର୍ବରୁ ଝିଅମାନେ ମାଟିରେ କୋଇଲି ତିଆରି କରି ପରମ୍ପରା ଅନୁଯାୟୀ ତାଙ୍କୁ ପୂଜା କରନ୍ତି । ପର୍ବର ଶେଷ ଦିନ ତଥା ବିଷୁବ ସଂକ୍ରାନ୍ତି ଦିନ ମାଟିର ପ୍ରସ୍ତୁତ କୋଇଲିଗୁଡିକୁ ପୂଜା କରି ସେହି ଗ୍ରାମରେ ଏକ ଆମ୍ବ ଗଛରେ କୋଇଲିଙ୍କୁ ଆଶ୍ରୟ ଦେବାର ପ୍ରଥା ରହିଛି । ଏନେଇ ଆଜି କୁଶ ଗଡ଼ିଆ ଗ୍ରାମରେ କୋଇଲି ଓଷା କରାଯାଇଛି ।

ପ୍ରଥମେ କୋଇଲିଗୁଡିକୁ ରଙ୍ଗ ତୁଳୀରେ ସଜା ଯାଇଥିଲା । ପରେ ଗାଁ ମୁଣ୍ଡରେ ଥିବା ଆମ୍ବ ଗଛକୁ ସଜାଇବା ପାଇଁ ଝିଅମାନେ ବିଭିନ୍ନ ପ୍ରକାର ଫୁଲ ଫଳ ଦେଇ ପୂଜା କରିଥିଲେ । ଭାରରେ ମିଠା ଧରିଥିଲେ ଭାଇମାନେ ଆଉ ଶେଷରେ ଘଣ୍ଟଘଣ୍ଟା ହୁଳହୁଳିରେ କୋଇଲିଗୁଡିକୁ ଆମ୍ବ ଗଛ ନିକଟକୁ ନିଆଯାଇଥିଲା । ଆମ୍ବ ଗଛରେ କୋଇଲି ବସାକୁ ରଖିବା ପରେ ଓଷା ସମାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।

Also read: ଚୈତ୍ର ପୂର୍ଣ୍ଣମୀରେ ଶହ ଶହ ଡ଼ଙ୍ଗା ପୂଜା କରିବା ସହ ମା’ ବାସେଳୀଙ୍କୁ ଆରାଧନା କଲେ କୈବର୍ତ ପରିବାର