ରାଜଧାନୀ ଏବଂ କଟକର ଅଧିକାଂଶ ସ୍ଥାନକୁ ଆସିଲାଣି ବିଜୁଳି, ଫୋକସରେ ରହିଛି ପୁରୀ : ସ୍ୱାଭାବିକ ହେଉଛି ଟେଲି ଓ ବ୍ୟାଙ୍କିଂ ସେବା

ଭୁବନେଶ୍ୱର ସହରର ଅଧିକାଂଶ ସ୍ଥାନକୁ ବିଜୁଳି ସଂଯୋଗ ଆସିଗଲାଣି । କଟକ ସହରରେ ରାତି ସୁଦ୍ଧା ସ୍ୱାଭାବିକ ହେବ ବୋଲି ଅନୁମାନ କରାଯାଉଛି । ପୁରୀ ଜିଲ୍ଲାରେ ବିଦ୍ୟୁତ ସରାବରାହ ସ୍ୱାଭାବିକ ହେବାକୁ ସମୟ ଲାଗିବ। ପୁରୀରେ ଗତକାଲି ବଡ଼ଦାଣ୍ଡକୁ ବିଦ୍ୟୁତ ସଂଯୋଗ ହୋଇଥିଲା ।
ରାଜଧାନୀର ଅଧିକାଂଶ ଅଂଚଳକୁ ବିଦ୍ୟୁତ ସେବା ମିଳି ପାରିଛି। ଆଉ ଅଳ୍ପ କିଛି ବାକି ଅଛି। କାଲି ସୁଦ୍ଧା ସଂପୂର୍ଣ୍ଣ ହୋଇଯିବ ବୋଲି ଅନୁମାନ କରାଯାଉଛି। ଏବେ ଫୋକସରେ ପୁରୀ ସହ ବାତ୍ୟା ପ୍ରଭାବିତ ଜିଲ୍ଲାର ଗ୍ରାମାଞ୍ଚଳ। ବାହାର ରାଜ୍ୟରୁ ଅଧିକ ସଂଖ୍ୟାରେ ବିଦ୍ୟୁତ କର୍ମଚାରୀ ପହଞ୍ଚୁଛନ୍ତି। ତେଲେଙ୍ଗାନ ଓ କେରଳରୁ ଆଜି ଆହୁରି କର୍ମଚାରୀ ପହଞ୍ଚିଥିଲେ। ସମାଗ୍ରୀ ଧରି ପ୍ରଭାବିତ ଅଂଚଳକୁ ବାହାରି ପଡିଛନ୍ତି।
କଟକ ସହରରେ ସମସ୍ତ ଅଂଚଳକୁ ରାତି ସୁଦ୍ଧା ବିଦ୍ୟୁତ ସେବା ମିଳିବ। ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିବାରୁ କାମ ଚଳାଭାବେ ବାଉଁଶ ମାଧ୍ୟମରେ କେବୁଲ ବନ୍ଧାଯାଇଛି। ମରାମତି ପାଇଁ ଆଉ କିଛି ଦିନ ଲାଗି ବୋଲି ସେସୁ ପକ୍ଷରୁ କୁହାଯାଇଛି। ସେପଟେ ନିଆଳି ଓ କଣ୍ଟାପଡା ଅଂଚଳରେ ବିଦ୍ୟୁତ ସେବା କେବେ ସ୍ୱାଭାବିକ ହେବ ବିଦ୍ୟୁତ ବିଭାଗ କହି ପାରୁ ନାହିଁ। ତେବେ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।
ସେପଟେ ପୁରୀରେ ବଡ଼ଦାଣ୍ଡକୁ ବିଜୁଳି ସଂଯୋଗ ହୋଇଛି। ଗତକାଲି ଜଳିଥିଲା ଷ୍ଟ୍ରିଟ୍ ଲାଇଟ୍। ପୁରୀ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେଣୁ ମରାମତି ପାଇଁ ଅଧିକ ସମୟ ଲାଗିବ। ଜିଲ୍ଲାର ଅନ୍ୟ ସ୍ଥାନଗୁଡିକୁ ୧୫ ତାରିଖରୁ ବିଦ୍ୟୁତ ଯୋଗାଣ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି।
ଫନି ପ୍ରଭାବିତ ପୁରୀରେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ୟ୍ୟ ଚାଲିଛି । ବିଦ୍ୟୁତ ସେବା ସ୍ୱାଭାବିକ କରିବା ପାଇଁ ଏନଡିଆରଏଫ, ଓଡ୍ରାଫ ଓ ବିଦ୍ୟୁତ ବିଭାଗ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଖାଉଟି କାର୍ଡ ଥାଉ କିମ୍ବା ନଥାଇ ପ୍ରତି ବିପନ୍ନ ପରିବାରକୁ ୨ଦଶମିକ ୫ ଲିଟର ଲେଖାଏଁ କିରୋସିନ ଯୋଗାଇଦିଆଯିବ । ବିପନ୍ନଙ୍କୁ ପଲିଥିନ ଯୋଗାଇ ଦିଆଯାଉଛି । ସପ୍ତାହେ ଭିତରେ ସବୁ ପ୍ରଭାବିତଙ୍କୁ ଚାଉଳ ବଣ୍ଟନ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।