କାହିଁକି ପ୍ରଥମେ ଖୋଲେ ହୀରାକୁଦର ୭ ନମ୍ବର ଗେଟ୍?

ସମ୍ବଲପୁର: ଖୋଲିଲା ହୀରାକୁଦ ଗେଟ୍ । ଜଳଭଣ୍ଡାରରୁ ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ୧୪ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି । ପର୍ଯ୍ୟାୟ କ୍ରମେ ଖୋଲିବ ମୋଟ୍ ୨୦ଟି ସ୍ଲୁଇସ୍ ଗେଟ୍ । ହୀରାକୁଦ ପଟୁ ୧୪ ଓ ବୁର୍ଲା ପଟୁ ୬ଟି ଗେଟ୍ ଖୋଲାଯିବ ।
ଏବେ ବାମ ପଟୁ ୧୦ଟି ଡାହାଣ ପଟୁ ୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୩ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୯୦ ହଜ଼ାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୧ ଲକ୍ଷ ୫୦ହଜାର କ୍ୟୁସେକ ଜଳ । ସ୍ଥିତି ଉପର ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି । ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ, ଅନୁଗୁଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି ।
ପ୍ରଥମେ ବିଧି ମୁତାବକ ସକାଳ ୯ଟା ୧୫ମିନିଟରେ ଖୋଲାଯାଇଥିଲା ବାମ ପାର୍ଶ୍ୱର ୭ନମ୍ବର ଗେଟ୍:
ତେବେ ହୀରାକୁଦ ଛାଡିଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମେ ବିଧି ମୁତାବକ ସକାଳ ୯ଟା ୧୫ମିନିଟରେ ଖୋଲାଯାଇଥିଲା ବାମ ପାର୍ଶ୍ୱର ୭ନମ୍ବର ଗେଟ୍ । ଜାଣିଛନ୍ତି ସବୁ ବର୍ଷ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମେ ଏହି ୭ନମ୍ବର ଗେଟଟି ହିଁ ଖୋଲାଯାଇଥାଏ । କତୃପକ୍ଷ ୭ ନମ୍ବରଟିକୁ ଶୁଭ ମାନୁ ଥିବାରୁ ଦୀର୍ଘ ବର୍ଷ ହେବ ଏହି ୭ ନମ୍ବର ଗେଟଟିକୁ ହିଁ ପ୍ରଥମେ ଖୋଲା ଯାଇଥାଏ । ତେବେ ଚଳିତ ବର୍ଷ ବି ସେହି ପରମ୍ପରା ଜାରି ରହିଥିବା ଦେଖିବାକୁ ମିଳିଛି ।
ତେବେ ଏହି ବନ୍ୟାଜଳ ମୁଣ୍ଡଳୀରେ ପହଁଚିବା ପାଇଁ ୪୮ ଘଣ୍ଚା ସମୟ ଲାଗିବ ବୋଲି ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା କହିଛନ୍ତି । ସେପଟେ ଏହି ୧୦ ଟି ଗେଟ ଆସନ୍ତା ୨ଦିନ ଧରି ରହିବ । ଯଦି ଉପର ମୁଣ୍ଡରେ ବର୍ଷା ଲାଗି ରହେ ତେବେ ଆଉ ଅଧିକ ଗେଟ ଖୋଲା ଯାଇପାରେ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି । ତେବେ ବର୍ଷା ଜଳ ନିଷ୍କାସନ ପରେ କୌଣସି ଭୟ ନଥିବା କୁହାଯାଇଛି ।
ଆଜି ହୀରାକୁଦ ଗେଟ୍ ଖୋଲିବା ପରେ ବନ୍ୟାଜଳ ଦେଖିବା ପାଇଁ ହୀରାକୁଦ ତଥା ମହାନଦୀରେ ଲୋକଙ୍କ ଭିଡ ଲାଗି ରହିଥିବାବେଳେ, ଲୋକେ ବିଭିନ୍ନ ସ୍ଥାନରୁ ଆସି ମଜା ନେଉଛନ୍ତି । ଏହାସହ ପରିବାର ସହିତ ଆସି ଲୋକେ ବନ୍ୟାଜଳ ଦେଖିବା ସହ ସେଲଫି ନେଇ ଭିଡିଓ କରୁଥିବା ବି ନଜର ଆସିଛି ।