କାଗଜପତ୍ରରେ ହୋଇଯାଇଛି ଅଭିରାମଙ୍କର ମୃତ୍ୟୁ, ବନ୍ଦ କରିଦିଆଗଲା ମିଳୁଥିବା ଚାଉଳ

ଢେଙ୍କାନାଳ (କେନ୍ୟୁଜ୍‌) : ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଳକ ଅନ୍ତର୍ଗତ ବଳରାମପୁର ଗ୍ରାମର ଅଭିରାମ ଜେନା ଜନ୍ମରୁ ଭିନ୍ନକ୍ଷମ। ସରକାରଙ୍କ ପକ୍ଷରୁ ତାଙ୍କୁ ୯୦ ପ୍ରତିଶତ ଭିନ୍ନକ୍ଷମ ବୋଲି ପ୍ରମାଣପତ୍ର ଦିଆଯାଇଛି। ସେଥିପାଇଁ ସେ ଭିନ୍ନକ୍ଷମ ଭତ୍ତା ମଧ୍ୟ ପାଉଛନ୍ତି। ଏହା ସହିତ ମାସକୁ ଯୋଗାଣ ବିଭାଗ ପକ୍ଷରୁ ପାଞ୍ଚ କେଜି ଟଙ୍କିକିଆ ଚାଉଳ ମଧ୍ୟ ପାଉଥିଲେ। ତେବେ ଗତ ଜାନୁଆରୀ ମାସରୁ ତାଙ୍କର ଏହି ଚାଉଳ ବନ୍ଦ କରି ଦିଆଯାଇଛି। ଏ ସମ୍ପର୍କରେ କିଛି ସହୃଦୟ ବ୍ଯକ୍ତି ବ୍ଳକ କାର୍ଯ୍ଯାଳୟ ଯାଇ ବୁଝିବାରୁ କାଗଜପତ୍ରରେ ଅଭିରାମଙ୍କର ମୃତ୍ୟୁ ହୋଇଥିବାରୁ ତାଙ୍କର ଚାଉଳ ଯୋଗାଣ ବନ୍ଦ ହୋଇଯାଇଛି ବୋଲି ଜଣାପଡିଥିଲା।

ଗତ ଜାନୁଆରୀ ମାସରୁ ଅଭିରାମଙ୍କ ଚାଉଳ ଯୋଗାଣ ବନ୍ଦ କରି ଦିଆଯାଇଥିବା ଘଟଣାକୁ ବ୍ଳକ ପ୍ରଶାସନ ସ୍ୱୀକାର କରିଛନ୍ତି। ଏ ସମ୍ପର୍କରେ କୌଣସି ଅଭିଯୋଗ ଆସି ନ ଥିବାରୁ ତାଙ୍କୁ ବିଗତ ସାତ ମାସ ଧରି ଚାଉଳ ଦିଆ ଯାଇ ନାହିଁ। ନିକଟରେ ଏକ ଅଭିଯୋଗ ଆସିବା ପରେ ତଦନ୍ତ ପାଇଁ ବ୍ଳକ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ତୁରନ୍ତ ଚାଉଳ ଯୋଗାଇ ଦେବା ସହିତ ଅଧିକାରୀଙ୍କର ଭୁଲ ଥିଲେ ଗତ ସାତ ମାସର ଚାଉଳ ଯୋଗାଇ ଦେବା ପାଇଁ ବିଡ଼ିଓ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏହି ଘଟଣାରେ ଦୋଷୀ ବ୍ଯକ୍ତିଙ୍କୁ ଚିହ୍ନଟ କରି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଗଲେ ଆଗାମୀ ଦିନରେ ଏହାର ପୁନରାବୃତ୍ତି ହେବନାହିଁ।