ଅନାବୃଷ୍ଟି ତଥା ଗ୍ରାମବାସୀଙ୍କ ମଙ୍ଗଳ ନିମିତ୍ତ ଅନୁଷ୍ଠିତ ହେଲା ଇନ୍ଦ୍ର ପୂଜା, ସଂକୀର୍ତ୍ତନରେ କମ୍ପିଲା ଗାଁ ଦାଣ୍ଡ

ଇନ୍ଦ୍ର ବା ଇନ୍ଦ୍ରଦେବ, ହିନ୍ଦୁ ଧର୍ମରେ ସମସ୍ତ ଦେବଦେବୀଙ୍କ ରାଜା ବା ଦେବରାଜ ରୂପେ ସେ ପୂଜିତ । ବର୍ଷାର ଅଧିପତି ଦେବତାଭାବେ ଇନ୍ଦ୍ର ସର୍ବମାନ୍ୟ । କୃଷିପ୍ରଧାନ ଭାରତବର୍ଷରେ ବର୍ଷାର ଦେବତା ଇନ୍ଦ୍ରଙ୍କୁ ପ୍ରାଧାନ୍ୟ ଦେଇ ବହୁ ପ୍ରାଚୀନ କାଳରୁ ଇନ୍ଦ୍ରଦେବଙ୍କ ପୂଜା ଅନୁଷ୍ଠିତ ହୋଇଆସୁଅଛି । ତେବେ କେବଳ ସାରା ଭାରତବର୍ଷ ତା’ ନୁହେଁ ଏପରିକି ପୃଥିବୀର କେତେକ ସ୍ଥାନରେ ମଧ୍ୟ ଇନ୍ଦ୍ରପୂଜାର ପ୍ରସିଦ୍ଧି ରହିଛି । ଧରାପୃଷ୍ଠରେ ଇନ୍ଦ୍ରଦେବ ବର୍ଷାର ଦେବତା ବୋଲି ମାନ୍ୟତା ରହିଛି ।
ତେବେ ଏହି ଅବସରରେ ରେଢ଼ାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ ମହୁଲମୁଣ୍ଡା ଗ୍ରାମରେ ଇନ୍ଦ୍ର ପୂଜା ଅନୁଷ୍ଠିତ ହୋଇଯାଇଛି । ଅନାବୃଷ୍ଟି ଓ ରୋଗପୋକ ଦାଉରୁ ଫସଲ ରକ୍ଷା, ଅଧିକ ବର୍ଷା ହେବା ସହିତ ଗ୍ରାମବାସୀଙ୍କ ମଙ୍ଗଳ ନିମିତ୍ତ ଏହି ପୂଜା ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ହେଲା ଏଠାରେ ପାଳିତ ହୋଇ ଆସୁଛି ବୋଲି ଗ୍ରାମବାସୀ କହିଛନ୍ତି । ଏଥିରେ ଗ୍ରାମର ଜଳନ୍ଧର ପ୍ରଧାନ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପଣ୍ଡିତ ସଦାନନ୍ଦ ଷଡଙ୍ଗୀ ପୂଜାର୍ଚ୍ଚନା କରିଥିଲେ । ଶିବୁନ ସାହୁ ରୁଶ୍ୟଶୃଙ୍ଗ ମୁନି ଅଭିନୟ କରିଥିଲେ ।
ପୁରାଣ ବର୍ଣ୍ଣିତ ରୀତିନୀତି ମୁତାବକ ଦିନତମାମ ଆଦ୍ୟ କାଣ୍ଡ ପଠନ, ବିଲ୍ୱବରଣ, ଘରକୁ ଘର ବନ୍ଦାଣ ଆଦି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା । ରାତିରେ ଭାଗବତ ଟୁଙ୍ଗୀରେ ନାମ ସଙ୍କୀର୍ତ୍ତନ ସହ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥିଲା । ଗାଁର ସଭାପତି ମନରଞ୍ଜନ ସାହୁ, ସମ୍ପାଦକ ଯୁଧିଷ୍ଠିର ସାହୁ, ପ୍ରହଲ୍ଲାଦ ଚରଣ ସାହୁ, ଶୁବଳ ପ୍ରଧାନ, ରାମଚନ୍ଦ୍ର ସାହୁ, ବିଦେଶୀ ପ୍ରଧାନ, କଷ୍ଟ ଚରଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ପୂଜାରେ ଗ୍ରାମବାସୀମାନେ ମଧ୍ୟ ସହଯୋଗ କରିଥିଲେ ।