ପାଖେଇ ଆସିଲାଣି ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା, ବିଘ୍ନନାଶକଙ୍କ ଆଗମନ ଅପେକ୍ଷାରେ ଭକ୍ତ

ପାଖେଇ ଆସିଲାଣି ପାର୍ବଣ ୠତୁ, ଆଉ ଦିନ କେଇଟା ପରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା । ବିଘ୍ନନାଶକଙ୍କ ଆଗମନ ଅପେକ୍ଷାରେ ଭକ୍ତ । ତେଣୁ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପ ଠାରୁ ଆରମ୍ଭ କରି ଘରେ ଘରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଭାରତରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳିତ ହୁଏ ଗଣେଶ ପୂଜା । ଏ ଅବସରରେ ୧୦ ଦିନ ଧରି ଗଣପତି ବପ୍ପାଙ୍କୁ ଶ୍ରଦ୍ଧାଳୁମାନେ ପୂଜା କରିଥାନ୍ତି । ଏହି ପୂଜାରେ ଗଣେଶଙ୍କୁ ବିଭିନ୍ନ ପ୍ରକାରର ଭୋଗ ମଧ୍ୟ ଲାଗି କରାଯାଏ । ଚଳିତ ବର୍ଷ ଗଣେଶ ଚତୁର୍ଥୀ ଉତ୍ସବ ୭ ସେପ୍ଟେମ୍ବରରେ ପଡୁଛି ।

ଧାର୍ମିକ ବିଶ୍ୱାସ ଅନୁଯାୟୀ ଭଗବାନ ଗଣେଶ ଭାଦ୍ରବ ମାସରେ ଶୁକ୍ଳ ପକ୍ଷ ଚତୁର୍ଥୀରେ ସମୟରେ ଜନ୍ମଗ୍ରହଣ କରିଥିଲେ । ହିନ୍ଦୁ ଧର୍ମ ଅନୁସାରେ ଶ୍ରୀଗଣେଷଙ୍କର ଆଶୀର୍ବାଦରେ ଜୀବନର ସବୁ କାର୍ଯ୍ୟ ସମ୍ଭବ ହୋଇଥାଏ । ଏହି କାରଣରୁ ତାଙ୍କୁ ବିଘ୍ନହର୍ତା ମଧ୍ୟ କୁହାଯାଇଥାଏ । କିମ୍ବଦନ୍ତୀ ଅନୁଯାୟୀ, ମାତା ପାର୍ବତୀ ଚନ୍ଦନରୁ ବୁଦ୍ଧି, ଜ୍ଞାନ ଏବଂ ସମୃଦ୍ଧିଦାତା ଭଗବାନ ଗଣେଶଙ୍କୁ ସୃଷ୍ଟି କରିଥିଲେ । ହିନ୍ଦୁ ଧର୍ମରେ ଗଣେଶ ପୂଜାର ବିଶେଷ ମହତ୍ୱ ରହିଛି । ଭଗବାନ ଗଣେଷଙ୍କୁ ପ୍ରସନ୍ନ କରିବା ପାଇଁ ବିନାୟକ ଚତୁର୍ଥୀ ଏବଂ ସଂକଷ୍ଟୀ ଚତୁର୍ଥୀର ବ୍ରତ ଏବଂ ପୂଜା ମଧ୍ୟ କରାଯାଇଥାଏ ।

ଶ୍ରୀଗଣେଷଙ୍କର ପୂଜା କଲେ ଘରେ ସୁଖ-ସମୃଦ୍ଧି, ଧନ-ଦୌଲତ, ଆର୍ଥିକ ସମ୍ପନ୍ନତା ସହିତ ଜ୍ଞାନ ଏବଂ ବୁଦ୍ଧି ପ୍ରାପ୍ତି ହୋଇଥାଏ । ମାନ୍ୟତା ରହିଛି ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ଶ୍ରୀଗଣେଷ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ । ହିନ୍ଦୁ ଧର୍ମରେ ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ୱପୂର୍ଣ୍ଣ । ବିଘ୍ନ ବିନାଶକ, ଗଜାନନ, ପୁଣି ସେ ଗୌରୀ ନନ୍ଦନ । ଗଜାନନଙ୍କ ଅନେକ ରୂପ ରହିଛି, ଯେଉଁଥିରେ ସେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଚାରି ଯୁଗରେ ଚାରୋଟି ଅବତାରରେ ପୂଜା ପାଇ ଆସୁଛନ୍ତି ଅଗ୍ରପୂଜ୍ୟ ଗଣେଶ । ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଭଗବାନ ଗଣେଶଙ୍କ ସ୍ଥାନ ସ୍ୱତନ୍ତ୍ର ଆଉ ପ୍ରଥମ ।

କୌଣସି ବି ଶୁଭ ବା ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଗଣେଶଙ୍କୁ ପୂଜା କରାଯାଇଥାଏ, ଯେପରି ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହୋଇପାରିବ । ଗଣେଶଙ୍କ ପ୍ରିୟ ପ୍ରସାଦ ହେଉଛି ଲଡ଼ୁ । ଛୋଟ ଛୋଟ ବୁନ୍ଦିକୁ ଏକାଠି କରି ଗୋଲାକାର ଆକୃତିରେ ଏହାକୁ ପ୍ରସ୍ତୁତ କରାଯାଏ । ଏହା ଏକତା ଓ ସମୃଦ୍ଧିର ପ୍ରତୀକ । ଏଣୁ ଗଣେଶଙ୍କ ପ୍ରିୟ ଲଡୁ ଆମକୁ ଶିକ୍ଷା ଦିଏ ଯେ ସମାଜକୁ ଆଗକୁ ବଢାଇବାକୁ ହେଲେ ସବୁ ଗୋଷ୍ଠୀବାଦକୁ ପଛରେ ପକାଇ ଆମେ ଏକତାର ସୂତ୍ରରେ ବାନ୍ଧି ହେବା ଉଚିତ । ଏହା ଦ୍ୱାରା ହିଁ ଆମେ ଜୀବନରେ ଆଗକୁ ବଢ଼ିପାରିବା ।