ବିପଦ ସମୟରେ ପଥଚାରୀ ମାନଙ୍କୁ ଘୋଡ଼ାଚଢ଼ି ବାଟେଇ ଦିଅନ୍ତି ମା’ ବଡ ବନ୍ଧିଆଣି

ଆଠଗଡ଼: ଡାକିଲେ ଓ କରନ୍ତି, ରାସ୍ତା ଦେଇ ଯାଉଥିବା ପଥଚାରୀଙ୍କୁ ଅନ୍ଧାର ରାତିରେ ଆଗେ ଆଗେ ଯାଇ ବାଟେଇ ଦିଅନ୍ତି । ବିଶ୍ଵାସର ସହିତ ମନସ୍କାମନା ଯାଚିଲେ ପୂରଣ କରନ୍ତି । ସବୁ ସମୟରେ ଯିଏ ସାହା ହୁଅନ୍ତି । ସେ ଆଉ କେହି ନୁହନ୍ତି ଆଠଗଡ଼ ତିଗିରିଆ ଏବଂ ବାଙ୍କୀ ଅଞ୍ଚଳର ଆରାଧ୍ୟ ଦେବୀ ମା ବଡ ବନ୍ଧିଆଣୀ । ସ୍ଥାନୀୟ ଅଞ୍ଚଳର ପୁରୁଖା ଲୋକ ମାନଙ୍କ କହିବା ଅନୁଯାୟୀ ୧୮୬୫ ମସିହାରେ ମାଙ୍କୁ ପାଇଥିଲେ ତିଗିରିଆ ସୋମପଡ଼ା ଗାଁର ମତ୍ସ୍ୟଜିବୀ ଦୈତାରି ବେହେରା ।
ଯେତେବେଳେ ନୟାଗଡ଼ ଦଶପଲ୍ଲାରେ ଅତ୍ୟଧିକ ବର୍ଷା ବନ୍ୟା ସୃଷ୍ଟି ହେଲା ସେହି ସମୟରେ ଦଶପଲ୍ଲାରେ ରାଜୁତି କରୁଥିବା ରାଜାଙ୍କ ଆରାଧ୍ୟ ଦେବୀ ମହାନଦୀରେ ଭାସି ଆସିଲେ । ଉତ୍ତର ବାଙ୍କୀର ସୁବର୍ଣ୍ଣପୁର ଘୋଡାବର ନିକଟରେ ଥିବା ହୁଳୁହୁଳା ପୋଲୋ ଦେଇ ସୋମପଡ଼ାରୁ ଖଣ୍ଡହତାକୁ ସଂଯୋଗ କରୁଥିବା ବଡ଼ବନ୍ଧ ଜୋରରେ ଲାଗିଲେ । ସେହି ସମୟରେ ସୋମପଡା ଗାଁର ମାଛ ଧରାଳି ଦୈତାରି ବେହେରା ନାଲି ଛିଟ ଓ ସିନ୍ଦୁର ଲାଗିଥିବା ଏକ କାଠଖଣ୍ଡକୁ ଦେଖିଲେ ପରେ ପରେ ହାତରେ ଟେକି ଧରି ପୁଣି ସେହି ବଡ଼ବନ୍ଧ ଜୋରର ଗଭୀର ସ୍ରୋତରେ ପକାଇ ଦେଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ବାରମ୍ଵାର ସେହି କାଠଖଣ୍ଡ ସ୍ରୋତରେ ଭାସି ଯିବା ବଦଳରେ ବିପରୀତ ଦିଗକୁ ଉଠି ଆସି ଦୈତାରି ବେହେରାଙ୍କ ହାତରେ ଲାଗିଲେ।
ଏଭଳି ବାରମ୍ଵାର ହେବା ପରେ ଦୈତାରି ସେହି କାଠଖଣ୍ଡକୁ ବନ୍ଧର କୂଳରେ ଥିବା ଏକ ସାହାଡ଼ା ଗଛ ମୂଳରେ ରଖିଦେଇ ସନ୍ଧ୍ୟାରେ ଘରକୁ ଫେରିଲେ । ଆଉ ସେହି ରାତିର ଦୈତାରି ବେହେରାଙ୍କୁ ସ୍ୱପ୍ନାଦେଶ ହେଲା ଯେ ମୋତେ ଯେଉଁଠି ରଖିଛୁ ସେହି ସ୍ଥାନରେ ମୋତେ ଆସ୍ଥାନ ଦେଇ ପୂଜା କରିବୁ । ମୁଁ କାଲି ଠାରୁ ଏହି ସ୍ଥାନରେ ରହିବିରେ ଦୈତାରି । ରାତି ସାରା ଦୈତାରି ବେହେରାଙ୍କୁ ଆଉ କି ନିଦ ହୁଏ । ସକାଳୁ ସକାଳୁ ଦୈତାରି ହାତରେ ଫୁଲ, ଚନ୍ଦନ, ଶଙ୍ଖାଚୁଡି, ସିନ୍ଦୂର ଧରି ପହଞ୍ଚି ଗଲେ ସେହି ସ୍ଥାନକୁ । ଆଉ ମା ଙ୍କୁ ହାତ ଟେକି ବଡବନ୍ଧ ଜୋର ନାମରେ ମା’ ଙ୍କ ନାମ ବଡ ବନ୍ଧିଆଣି ନାମରେ ପୂଜାର୍ଚ୍ଚନା କଲେ । ଦୁଇ ଶହ ବର୍ଷରୁ ଅଧିକ ଧରି ଚାଲି ଆସୁଛି ସେହି ପୂଜା ବୋଲି କୁହନ୍ତି ଗାଁ ର ପୁରୁଖା ଲୋକ ।
ସେହି ଦିନଠାରୁ ମାଙ୍କ ମହିମା ସାରା ଅଞ୍ଚଳରେ ପ୍ରସିଦ୍ଧ ହେବାକୁ ଲାଗିଲା । ସୋମପଡାରୁ ଖଣ୍ଡହତାକୁ ସଂଯୋଗ କରୁଥିବା ଏହି ରାସ୍ତା ଶୂନ ଶାନ ଅଞ୍ଚଳ ହୋଇଥିବା ବେଳେ ସେହି ସମୟରେ ଅନେକ ବିପଦର ସମ୍ମୁଖିନ ହେଉଥିବା କୁହାଯାଏ । ସେହି ରାସ୍ତାରେ ମାଙ୍କୁ ବିସ୍ଥାପନ ପରେ ବିପଦ ସମୟରେ ମା ବଡ ବନ୍ଧିଆଣିଙ୍କୁ ଡ଼ାକି ଗଲେ ମା ପଥଚାରୀ ମାନଙ୍କୁ ଆଗରେ ଘୋଡ଼ାଚଢ଼ି ବାଟେଇ ଦିଅନ୍ତି ବୋଲି କିଛି ଲୋକ ଅନୁଭବ କରୁଥିବା ଚର୍ଚ୍ଚା ମାଙ୍କ ମହିମାଙ୍କୁ ଅଧିକ ଚର୍ଚ୍ଚିତ କରିଥିଲା। ପରେ ପରେ ଆରମ୍ଭ ହୋଇଥିଲା ଆଖପାଖ ଗାଁ ମାନଙ୍କର ମୂରବୀ ମାନଙ୍କୁ ନେଇ ଏକ ପୂଜା କମିଟି । ଆରମ୍ଭ ହେଲା ପବିତ୍ର ମକର ସଂକ୍ରାନ୍ତିରେ ମାଙ୍କ ଯାତ୍ରା ଯାହା ଆଜକୁ ତିରିଶ ବର୍ଷ ଧରି ଚାଲୁ ରହିଛି । ଅନ୍ୟ ପକ୍ଷରେ ଯାତ୍ରା ଦିନ ମାଙ୍କୁ ଯାଚୁଥିବା କିଛି ଭକ୍ତ ମାନଙ୍କର ମନସ୍କାମନା ପୂରଣ ହୋଇଥିବାରୁ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ସୁଅ ଛୁଟିଥିଲା ମାଙ୍କର ଏହି ପବିତ୍ର ପୀଠକୁ । କେହି କେହି ମାନସିକ ପୂରଣ ହୋଇଥିବାରୁ ଧାଇଁ ଆସିଲେ ତ ଆଉ କେହି ମାନସିକ କରିବା ପାଇଁ ।
ମକର ସଂକ୍ରାନ୍ତି ଯାତ୍ରାରେ ଏହି ପବିତ୍ର ସ୍ଥାନରେ ଦୁଇ ଦୁଇଟି ପ୍ରଶାସନ ନିଜକୁ ନିୟୋଜିତ କରି ମାଙ୍କ ପୂଜାକୁ ସାଫଲ୍ୟ କରି ଆସୁଛନ୍ତି । ଗୋଟିଏ ପଟେ ବାଙ୍କୀ ପ୍ରଶାସନ ରହିଥିବା ବେଳେ ଅନ୍ୟ ପଟେ ଆଠଗଡର ତିଗିରିଆ ପ୍ରଶାସନ ।