ମାଧିପୁର ଗ୍ରାମର ଦୋଳ ବିମାନରେ ମହାପ୍ରଭୁଙ୍କ ହରିହର ଭେଟ, ତିନି ଦିନ ଧରି ଚାଲିଲା ନାମ ଯଜ୍ଞ

ପିପିଲି: ଚାଲିଛି ହରିନାମ । ନାମ ସଂକୀର୍ତନରେ ଫାଟି ପଡ଼ୁଛି ମନ୍ଦିର ସମ୍ମୁଖ । ତିନି ଦିନ ଧରି ଠାକୁର ନିକଟରେ କରାଯାଇଥିଲା ଏଭଳି ଭକ୍ତି ଭାବର କାର୍ଯ୍ୟକ୍ରମ । ମହିଳାମାନଙ୍କ ଠାରୁ ଆରମ୍ଭ କରି ପୁରୁଷମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇ ଭାଗବାନଙ୍କ ନାମ ଉଚ୍ଚାରଣରେ ଲାଗି ପଡ଼ିଥିଲେ । ଏଦୃଶ୍ୟ ହେଉଛି ପୁରୀ ଜିଲ୍ଲା ପିପିଲି ବ୍ଲକ ମାଧିପୁର ଗ୍ରାମର । ଗ୍ରାମରେ ପୂଜା ପାଉଥିବା ଶ୍ରୀ ଜଗନ୍ନାଥଙ୍କ ସହିତ ଚତୁର୍ଦ୍ଧାମୂର୍ତୀଙ୍କର ପ୍ରତିବର୍ଷ ନାମ ଯଜ୍ଞ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ତିନି ଦିନ ଧରି ବ୍ରାହ୍ମଣ ପଣ୍ଡିତଙ୍କ ବେଦ ମନ୍ତ୍ର ଉଚ୍ଚାରଣରେ ହୋମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦୋଳ ବିମାନରେ ଠାକୁରଙ୍କ ହରିହର ଭେଟ ବେଶ ମନମୁଗ୍ଧକର ହୋଇଥିଲା ।

ପ୍ରତିବର୍ଷ ଠାକୁରଙ୍କର ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଉଥିବାବେଳେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଦୀର୍ଘ ତିନି ଦିନ ଧରି ଆୟୋଜିତ ହୋଇଥିଲା ଘୃତ ଯଜ୍ଞର ଆୟୋଜନ । ଗ୍ରାମବାସୀ ସ୍ଥାନୀୟ ଦୟା ନଦୀର ପାବନ ଜଳରୁ କଳସ ଉଠାଇଥିଲେ । ଠାକୁରଙ୍କ ଯଜ୍ଞ ଉତ୍ସବ ଶେଷ ନହେବା ଯାଏ ଗ୍ରାମରେ ଆମିଷ ପ୍ରବେଶ ହୋଇନଥାଏ । ସମସ୍ତେ ହବିଷାନ୍ନ ଭକ୍ଷଣ କରି ରହିଥାନ୍ତି । ଏହି ଉତ୍ସବ ସେମାନଙ୍କର ମୁଖ୍ୟ ଉତ୍ସବ ବୋଲି ସେମାନେ କହିଥିବାବେଳେ ଏଥିରେ ସାମିଲ ହୋଇ ଭଗବାନଙ୍କ ସାନିଧ୍ୟ ପାଇବା ସହିତ ଭଗବତ ପ୍ରେମରେ ତଲିନ ହୋଇଥିବାର ଶ୍ରଦ୍ଧାଳୁମାନେ କହିଛନ୍ତିି ।

ଗ୍ରାମର ଗ୍ରାମବାସୀମାନେ ଏକତ୍ରିତ ହୋଇ ଏହି ମନ୍ଦିରର ଉନ୍ନତି କରିବା ସହିତ ଲୋକମାନଙ୍କୁ ଭାଇଚାରା ସମ୍ପର୍କରେ ବାନ୍ଧି ରଖିବା ପାଇଁ ଏଭଳି ଏକ ଉତ୍ସବର ଆୟୋଜନ କରାଯାଇଥାଏ । ଜାତି ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆଖ ପାଖ ଅଂଚଳର ଶ୍ରଦ୍ଧାଳୁଙ୍କର ବେଶ ଭିଡ଼ ଜିମିଥିଲା ଏହି ପୀଠରେ । ହରିବୋଲ ଏବଂ ହୁଳହୁଳି ନାଦରେ ପରିବେଶ ହୋଇ ଉଠିଥିଲା ଭଗବତମୟ ।

ଗାଁରେ ଭାଇଚାର ସହିତ ସ୍ନେହ ଆଉ ସମ୍ପର୍କର ଏକତା ଡ଼େରିରେ ବାନ୍ଧି ରଖିବା ପାଇଁ ଏପରି ଉତ୍ସବ ନିଶ୍ଚିତ ଭାବେ ସ୍ଵାଗତଯୋଗ୍ୟ ପଦକ୍ଷେପ । ତେବେ ଭକ୍ତି ଭାବନା ଜାଗ୍ରତ କରି ଠାକୁରଙ୍କ ସ୍ମରଣ କଲେ ସେ ଦୁଃଖ ଶୁଣିବା ସହିତ କଷ୍ଟ ଲାଘବ କରିଥାନ୍ତି ବୋଲି ବିଶ୍ଵାସ ରହିଛି ଶ୍ରଦ୍ଧାଳୁଙ୍କର ।

ଆହୁରି ପଢନ୍ତୁ : ମାଆ ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା