ମହାଆଡମ୍ବରରେ ଉଦଯାପିତ ହେଲା ହରିରାଜପୁର ମେଲଣ, ଏକାଠି ହେଲେ ୫ଲକ୍ଷ ଶ୍ରଦ୍ଧାଳୁ

ପିପିଲି: ଧାଡ଼ି ହୋଇ ବସିଛନ୍ତି ଦୋଳ ବିମାନ । ସୁସଜ୍ଜିତ ଦୋଳ ବିମାନ ମଧ୍ୟରେ ବସିଛନ୍ତି ଦେବ ଦେବ ମହାଦେବ ପ୍ରଭୁ ଲୀଳାମୟ ଭୋଳା ଶଙ୍କର । ରାଜ୍ୟର କୋଣ ଅନୁକୋଣର ୭୬ଟି ଗ୍ରାମର ଆରାଧ୍ୟ ଠାକୁର ଏକତ୍ରିତ ହୋଇ ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ । ଭକ୍ତ ବି ଏତେ ଠାକୁରଙ୍କୁ ଏକାଠି ପାଇବାର ସୁଯୋଗକୁ ବା ହାତ ଛଡ଼ା କରନ୍ତା କିପିରି । ସେଥିପାଇଁ ତ ନାଲି, ନୀଳ, ହଳଦିଆ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ରଙ୍ଗର ଅବିରରେ ରଙ୍ଗେଉଛି ତା’ର ସେହି ପ୍ରୀୟ ଠାକୁରଙ୍କୁ ।

ଠାକୁରଙ୍କୁ ଏଭଳି ରଙ୍ଗେଇବାର ଅବକାଶ ହୁଏ ତ ଆଉ ଜୀବନରେ ମିଳିବ କି ନାହିଁ । ସେଥିପାଇଁ ଖରା ତରାକୁ ଖାତିର ନ କରି ଲାଗି ପଡ଼ିଛି ମହାପ୍ରଭୁଙ୍କ ଏହି ମହାନ ସେବାରେ । ଭକ୍ତର ହାତର ଅବିରର ସ୍ପର୍ଶ ପାଇବାକୁ ଯେପରି ଅପେକ୍ଷା କରି ରହିଥିଲେ ଭଗବାନ ଶଙ୍କର ପାର୍ବତୀଙ୍କ ସହିତ ରାଧା କୃଷ୍ଣ । ଭକ୍ତ ଓ ଭଗବାନଙ୍କର ଏପରି ଏକ ଭକ୍ତି ଭାବ ଭରା ଅପୂର୍ବ ମିଳନ ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା ଡ଼େଲାଙ୍ଗ ସ୍ଥିତ ହରିରାଜପୁର ମେଲଣରେ ।

ମେଲଣର ଥାନପତି ମହାପ୍ରଭୁ ପଶ୍ଚିମାଶମ୍ଭୁ ସୋମନାଥଦେବ । ଠାକୁରଙ୍କର ଏହା ହେଉଛି ସବୁଠାରୁ ବଡ଼ ପର୍ବ । ଦୀର୍ଘ ପାଞ୍ଚ ଦିନ ଧରି ଏହି ମେଲଣ ଚାଲିଥାଏ । ଶେଷ ଦିନ ସଂଧ୍ୟାରେ ଠାକୁରଙ୍କ ନିକଟରେ ହାଣ୍ଡିରେ ଭୋଗ ଲାଗି କରାଯିବା ପରେ ଠାକୁର ନିଜ ଆସ୍ଥାନକୁ ଫେରିବା ସମୟରେ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥାଏ । ପ୍ରତ୍ୟକ ଠାକୁର ପରସ୍ପର ମଧ୍ୟରେ ହରିହର ଭେଟ ହୋଇଥାନ୍ତି । ଏହି ସମୟରେ ଠାକୁରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଥାଏ ଭକ୍ତ ମାନଙ୍କର ।

ସେଥିପାଇଁ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ । ଠାକୁରଙ୍କ ଦର୍ଶନ ସାଙ୍ଗକୁ ଘରକରଣା ଜିନିଷ କିଣାବିକା ବେଶ ଜୋରଦାର ଚାଲିଥିଲା ଏଠାରେ । ଖାଇବା ପିଇବା ପାଇଁ ମଧ୍ୟ ବେଶ ଭିଡ଼ ପରିଲିଖିତ ହୋଇଥିଲା ।

ଓଡ଼ିଶା ପ୍ରସିଦ୍ଧ ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ ହରିରାଜପୁର ମେଲଣ ଉଦଯାପିତ ହୋଇଯାଇଛି । ଅନ୍ତିମ ଦିବସରେ ପାଞ୍ଚ ଲକ୍ଷ ଶ୍ରଦ୍ଧାଳୁଙ୍କ ଫଗୁ ରଙ୍ଗରେ ରଙ୍ଗିନ ହୋଇ ଯାଇଥିଲା ପରିବେଶ । ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହି ଉତ୍ସବ ସଂସ୍କୃତି ଏବଂ ପରମ୍ପରାକୁ ଉଜ୍ଜିବିତ କରିବ ନିଶ୍ଚୟ ।

ଆହୁରି ପଢନ୍ତୁ: ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ଜମାଣ ଉତ୍ସବ, ହେଲା ଲକ୍ଷାଧିକ ଲୋକଙ୍କ ଜନ ସମାଗମ