ଗର୍ଭନିରୋଧକ ବଟିକା ଖାଇବା ଦ୍ୱାରା ଶରୀରରେ ଦେଖାଦିଏ ଏସବୁ ଗମ୍ଭୀର ସମସ୍ୟା, ଏବେଠୁ ହୁଅନ୍ତୁ ସଚେତନ

ଆମ ଦେଶରେ ଏବେ ବି ଗର୍ଭନିରୋଧ ପାଇଁ ମହିଳାଙ୍କୁ ମେଡିସିନ୍ ଖାଇବାକୁ କିମ୍ବା ଅପରେସନ୍ କରିବାକୁ ପଡ଼ିଥାଏ। ପୁରୁଷମାନେ ଏହି ଦାୟିତ୍ୱ ନେବାକୁ ଚାହୁଁନଥିବାରୁ ମହିଳାଙ୍କୁ ଏସବୁ କାମ କରିବାକୁ ପଡ଼ିଥାଏ। ଅନିଚ୍ଛାକୃତ ଗର୍ଭଧାରଣରୁ ବର୍ତ୍ତିବା ପାଇଁ ମହିଳାମାନେ ପ୍ରତିଦିନ ଗର୍ଭନିରୋଧକ ବା ବାର୍ଥ କଣ୍ଟ୍ରୋଲ ମେଡିସିନ୍ ସେବନ କରିଥାନ୍ତି, ଯାହାର ସାଇଡ୍ ଇଫେକ୍ଟ ରହିଛି। ଏହି ସାଇଡ୍ ଇଫେକ୍ଟ ଏତେ ସାଂଘାତିକ ଯେ ମହିଳାଙ୍କ ମୃତ୍ୟୁ ମଧ୍ୟ ଘଟିପାରେ। ଆଜି ଆସନ୍ତୁ ଜାଣିବା ଗର୍ଭନିରୋଧକ ଔଷଧ ଖାଇବା ଦ୍ୱାରା ଶରୀର ଉପରେ କି କି କୁପ୍ରଭାବ ପଡ଼ିଥାଏ…
- ଗର୍ଭନିରୋଧକ ଔଷଧ ସେବନ ଦ୍ୱାରା ଅସମୟରେ ମଧ୍ୟ ରକ୍ତସ୍ରାବ ହୋଇଥାଏ। ଏହା ଏକ ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ ଅଧିକ ବ୍ଲିଡିଂ ହେଲେ ହରମୋନ୍ ଅସନ୍ତୁଳିତ ହେବା ଆଶଙ୍କା ରହିଛି।
- ପ୍ରଥମ ଥର ପାଇଁ ଗର୍ଭନିରୋଧକ ଔଷଧ ସେବନ କରୁଥିବା ମହିଳାଙ୍କ ଠାରେ ମୁଣ୍ଡ ବୁଲାଇ ହେବା, ହୃଦସ୍ପନ୍ଦନ ହଠାତ୍ ବଢ଼ିଯିବା, ବାନ୍ତି ହେବା, ଦେହ ବୁଲାଇ ହେବା ଆଦି ସମସ୍ୟା ଦେଖାଯାଏ। କିନ୍ତୁ ୩ ମାସ ପରେ ବି ଯଦି ଏସବୁ ସମସ୍ୟା ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
- ଗର୍ଭନିରୋଧକ ଔଷଧରେ ଥିବା ହରମୋନ୍ ଯୋଗୁ ମୁଣ୍ଡବିନ୍ଧା ଓ ମାଇଗ୍ରେନ୍ ସମସ୍ୟା ବୃଦ୍ଧିପାଏ।
- ଏକ ରିସର୍ଚ୍ଚ ମୁତାବକ ଗର୍ଭନିରୋଧକ ମେଡିସିନ୍ ଖାଇବା ଦ୍ୱାରା ଓଜନ ମଧ୍ୟ ବୃଦ୍ଧିପାଏ। ୬ରୁ ୧୨ ମାସ ପର୍ଯ୍ୟନ୍ତ ପ୍ରୋଜେଷ୍ଟୋରେନ୍ ଯୁକ୍ତ ଗର୍ଭନିରୋଧକ ମେଡିସିନ୍ ସେବନ କରୁଥିବା ମହିଳାଙ୍କ ଓଜନ ୨ କେଜି ପର୍ଯ୍ୟନ୍ତ ବଢ଼ିଥାଏ।
- ନିୟମିତ ଗର୍ଭନିରୋଧକ ଔଷଧ ଖାଉଥିଲେ ମଧ୍ୟ ବେଳେ ବେଳେ ମହିଳାଙ୍କ ପିରିୟଡ୍ସ ମିସ୍ ହୋଇଯାଏ। ଏହାର କାରଣ ଷ୍ଟ୍ରେସ୍, ରୋଗ, ହରମୋନ୍ ଇମ୍ବାଲାନ୍ସ, ଥାଇରଏଡ୍ ଆଦି ହୋଇପାରେ। ମେଡିସିନ୍ ନେବା ପରେ ବି ଯଦି ମାସିକ ଧର୍ମ ହେଉନାହିଁ ତେବେ ପରୀକ୍ଷା କରାଇନିଅନ୍ତୁ।
- ଗର୍ଭନିରୋଧକ ମେଡିସିନ୍ ଖାଇବା ଦ୍ୱାରା ସେଥିରେ ଥିବା ହରମୋନ୍ ଯୋଗୁ କେତେକ ମହିଳାଙ୍କ ଯୌନ ଇଚ୍ଛା କମିଯାଏ। ସମସ୍ତଙ୍କ ସହ ଏଭଳି ହେଉନଥିବା ବେଳେ କିଛି ମହିଳାଙ୍କ ଠାରେ ଏହି ସମସ୍ୟା ଦେଖାଯାଏ। ଯଦି ଅଧିକ ଦିନ ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହୁଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।