ସାରୁଅରେ ଦଳିତ ବର୍ଗଙ୍କ ଜମି ହଡ଼ପ ଘଟଣା: ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସହଯୋଗ କରିବାକୁ ନିହାର ଭୁୟାଁଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ସାରୁଅରେ ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ହାଇକୋର୍ଟରେ ଓଡ଼ିଶା ଇନଫ୍ରାଟେକର ଅନ୍ୟତମ ନିର୍ଦ୍ଦେଶକ ନିହାର ରଞ୍ଜନ ଭୂୟାଁଙ୍କ ଆବେଦନର ଶୁଣାଣି ହୋଇଛି। ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସହଯୋଗ କରିବାକୁ ନିହାର ଭୁୟାଁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜାନୁଆରୀ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ଜାନୁଆରୀ ୮ତାରିଖ ପର୍ଯ୍ୟନ୍ତ ନିହାର ଭୂୟାଁଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଛି।
ପୂର୍ବରୁ ଏହି ମାମଲାର ଶୁଣାଣି କରି ଆଜି ପର୍ଯ୍ୟନ୍ତ ନିହାର ଭୂୟାଁଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ହାଇକୋର୍ଟ। ୨୨ ଜଣ କ୍ଷତିଗ୍ରସ୍ତ ଏହି ଜମି ହଡ଼ପ ଘଟଣାରେ କ୍ଷତି ସହିଥିବା ବେଳେ ଗତ ଶୁଣାଣି ସମୟରେ ୭ ଜଣ କ୍ଷତିଗ୍ରସ୍ତ ଅଦାଲତରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ । କମ୍ପାନୀର ଜଣେ ଡ୍ରାଇଭର ରବିନ୍ଦ୍ର ସେଠୀଙ୍କୁ ମୋହରା କରି ଏହି ଜମି ହଡ଼ପ କରିଥିବା ବେଳେ ରବିନ୍ଦ୍ର ଏହି ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି । ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ହାଇକୋର୍ଟ ଗତ ୨୦ ତାରିଖରେ ଅନ୍ୟ ଏକ ଆବେଦନର ରାୟ ପ୍ରକାଶ କରି ଜଗି ମଙ୍ଗତ ଓ ବୈଜୟନ୍ତ ପଣ୍ଡାଙ୍କ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ।