ମହାଳୟା ଅବସରରେ ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଯାଜପୁର ଟାଉନ : ପବିତ୍ର ମହାଳୟା ଅବସରରେ ଚଳଚଞ୍ଚଳ ବିରଜାକ୍ଷେତ୍ର । ଏହି ମହାଳୟା ତିଥି ପିତୃପକ୍ଷର ଶେଷ ଦିନରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ବିଶେଷକରି ଆଜିର ଦିନରେ ପିଣ୍ଡଦାନ କଲେ ପିତୃପୁରଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜା ପୀଠରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
ତେବେ ବିରଜା ମନ୍ଦିରର ନାଭିଗୟା ପୀଠରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି କାହିଁ କେଉଁ କାଳରୁ ବିଶ୍ୱାସ ରହିଆସିଛି । ଏଥିପାଇଁ ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଳା ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ପିଣ୍ଡଦାନ କରି ମାଆ ବିରଜାଙ୍କୁ ଦର୍ଶନ କରିଛନ୍ତି । ଏଭଳି ତିଥିରେ ପିଣ୍ଡଦାନ କରି ଶ୍ରଦ୍ଧାଳୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ଚଳିତ ବର୍ଷ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି ।
ପିତୃପୁରୁଷଙ୍କ ପିଣ୍ଡଦାନର ପରମ୍ପରା ରହି ଆସିଛି ଆବାହମାନକାଳରୁ । ବିଶେଷକରି ପିତୃପକ୍ଷ ଅର୍ଥାତ ଇନ୍ଦୁ ପୂର୍ଣ୍ଣିମା ଠାରୁ ମହାଳୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଏ । କିନ୍ତୁ ମହାଳୟା ତିଥିରେ ଓ ନାଭିଗୟାରେ ପିଣ୍ଡଦାନ ନେଇ ରହିଛି ଅନେକ ପୌରାଣିକ ମତ ।
ସେଥିପାଇଁ ନାଭିଗୟାରେ ପିଣ୍ଡଦାନ ପାଇଁ କାହିଁ କେତେ ଦୂରରୁ ଛୁଟିଆସନ୍ତି ଶ୍ରଦ୍ଧାଳୁ । ପିଣ୍ଡଦାନ ପରେ ମାଆ ବିରଜାଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହେବାର ବିଶ୍ୱାସ ରହିଛି । ଆଜି ପ୍ରବଳ ଭିଡକୁ ଲକ୍ଷରେ ରଖି ପୋଲିସ୍ ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।
ପିଣ୍ଡଦାନ ପରେ ମାଆଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିବାବେଳେ, ଆସନ୍ତାକାଲି ଠାରୁ ମାଆଙ୍କ ନବ ଦିନାତ୍ମକ ରଥଯାତ୍ରା ଆରମ୍ଭ ହେବାର ବି ରହିଛି ପରମ୍ପରା ।