ଏଠି ରଥକୁ ଦଉଡି ନୁହେଁ ବରଂ ଲୁହାର ଜଞ୍ଜିରରେ ଟଣା ଯାଇଥାଏ

ମହାକାଳପଡା: ଜନ୍ମବେଦୀ ଅଭିମୁଖେ ମହାପ୍ରଭୁ । କାଳିଆ ସାଆନ୍ତେ ରତ୍ନ ସିଂହାସନ ଛାଡି ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ହୋଇଛନ୍ତି ରଥାରୁଢ଼ା । ଏହି ଅବସରରେ ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ କରି ବିଶ୍ୱର ବିଭିନ୍ନ ସ୍ଥାନରେ ପାଳନ ହେଉଛି ଏହି ପବିତ୍ର ପର୍ବ । ତେବେ ସବୁ ସ୍ଥାନରେ ନନ୍ଦିଘୋଷ ରଥକୁ ଦଉଡିରେ ଟଣା ଯାଉଥିବା ବେଳେ ଏଭଳି ଏକ ସ୍ଥାନ ଅଛି ଯେଉଁଠି ରଥକୁ ଦଉଡି ନୁହେଁ ବରଂ ଲୁହାର ଜଞ୍ଜିରରେ ଟଣା ହୋଇଥାଏ । ଏହାର ପଛରେ ରହିଛି ଏକ କାହାଣୀ ।
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବଢ଼ିହି ପଂଚାୟତର କାକଟପୁର ଗାଁ । ଏହି ଗାଁରେ ଏମିତି ଏକ ପରମ୍ପରା ଦେଖିବାକୁ ମିଳେ । ବହୁ ବର୍ଷ ପୂର୍ବେ ଚମ୍ପାଗଡ଼ ଅଞ୍ଚଳ ସମୁଦ୍ରରେ ଲୀନ ହୋଇଯିବାରୁ କାଳିଆ ସାଆନ୍ତେ ରଥାରୁଢ଼ ଅବସ୍ଥାରେ କାକଟପୁର ପଡିଆରେ ଉଭା ହୋଇଥିଲେ । ସକାଳୁ ସକାଳୁ କିଛି ମଇଁଷି ଚରାଳି ରଥକୁ ଦେଖିବାକୁ ପାଇଥିଲେ । କାଳେ କାକଟପୁର ଛାଡ଼ି ସାଆନ୍ତେ ଅନ୍ୟ କୁଆଡେ ଚାଲିଯିବେ ସେଥିପାଇଁ ତାଙ୍କୁ ଭାବର ଡୋରୀରେ ଲୁହାର ଶିକୁଳିରେ ବାନ୍ଧି ରଖାଯାଇଥାଏ ।
ଅନ୍ୟ ଏକ ଲୋକକଥା ଶୁଣିବାକୁ ମିଳେ କି, ସମୁଦ୍ର ପଥରେ ବିଦେଶୀ ଜାହାଜ ଇଂଜିନ ଖରାପ ହୋଇଯିବାରୁ ଆଉ ଆଗକୁ ଯାତ୍ରା କରିପାରିଲା ନାହିଁ । ପ୍ରଭୁ ଙ୍କୁ ସ୍ମରଣ କରିବାରୁ ଅଚଳ ଇଂଜିନ ଚାଲିବାରୁ ଜାହାଜରେ ଥିବା ଦୁଇ ଗୋଟି ଲୁହାର ଜଞ୍ଜିରକୁ ମନ୍ଦିରକୁ ଦାନ କରି ଦେଇଥିଲେ । ସେବେ ଠାରୁ ସେଇ ଲୁହାର ଜଞ୍ଜିରରେ ରଥ ଟଣା ପରମ୍ପରା ଦେଖିବାକୁ ମିଳୁଛି ।
ଫାଭିଓ: ତେବେ କାକଟପୁରର ଏହି ରଥ ଯାତ୍ରା ୯ ଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ । ଗୁଣ୍ଡିଚା ଯାତ୍ରା ଦିନ ରଥ ମାଉସୀ ମା’ ଘର ଯାଏ ରଥ ଟଣା ହୋଇ ହୋଇଥାଏ । ସେଠାରେ ନଅ ଦିନ ବ୍ୟାପି ପୂଜାର୍ଚ୍ଚନା ଲାଗିରହିଥାଏ । ପୁଣି ବାହୁଡାରେ ମାଉସୀ ମା’ ଘରୁ ବାହାରି ମନ୍ଦିରକୁ ବାହୁଡି ଥାଆନ୍ତି ମହାପ୍ରଭୁ । ଏହି ରଥ ଯାତ୍ରାରେ ଆଖପାଖ ଅଂଚଳର ହଜାର ହଜାର ଭକ୍ତ ଯୋଗ ଦେଇଥାନ୍ତି । ଶାନ୍ତି ଶୃଙ୍ଖଳା ପାଇଁ ସ୍ଥାନୀୟ ତନ୍ତିଆପାଳ ସାମୁଦ୍ରୀକ ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା କରିଥାଏ ।