ଏଠାରେ ତେଲୁଗୁ ଏବଂ ଓଡିଆ ସଂପ୍ରଦାୟର ଲୋକେ ନିଆରା ଢଙ୍ଗରେ ପାଳନ କରନ୍ତି ମକର ପର୍ବ

ଗଜପତି: ମକର ସଂକ୍ରାନ୍ତି ହିନ୍ଦୁ ସଂସ୍କୃତିର ବେଶ ମହତ୍ୱ ରଖେ । ବିଭିନ୍ନ ରାଜ୍ୟରେ ବିଭିନ୍ନ ସଂପ୍ରଦାୟର ଲୋକେ ଏହି ଦିନକୁ ନିଜ ପରମ୍ପରା ଅନୁସାରେ ପାଳନ କରିଥାନ୍ତି । ବିଶେଷ କରି ତେଲୁଗୁ ସଂପ୍ରଦାୟର ଲୋକେ ଏହି ଅବସରରେ ପୋଙ୍ଗଲ ଉତ୍ସବ ପାଳନ କରିଥାନ୍ତି । ଗଜପତି ଜିଲ୍ଲାରେ ଉଭୟ ତେଲୁଗୁ ଏବଂ ଓଡିଆ ସଂପ୍ରଦାୟର ଲୋକେ ରହୁଥିବାରୁ ଏଠାରେ ଖୁବ ଆନନ୍ଦର ସହ ଏହି ଦିନକୁ ମିଳିତ ଭାବେ ପାଳନ କରିଥାନ୍ତି ।

ଏଥିପାଇଁ ତେଲୁଗୁ ସଂପ୍ରଦାୟର ଲୋକେ ଯିଏ ଯେଉଁଠି ଥିଲେ ମଧ୍ୟ ଏହି ଉତ୍ସବରେ ସାମିଲ ହେବା ପାଇଁ ସମସ୍ତେ ଘର ମୁହାଁ ହୋଇଥାନ୍ତି । ଉଭୟ ତେଲୁଗୁ ଏବଂ ଓଡିଆ ଭାଷାଭାଷୀର ଲୋକେ ମଧ୍ୟରେ ରହିଛି ଭାଇଚାରାର ସଂପର୍କ  । ଉଭୟେ ଉଭୟଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେଇ ମିଳିମିଶି ପାଳନ କରିଥାନ୍ତି ଏହି ମକର ପର୍ବ ।

ତେବେ ଏହି ସମୟରେ ତେଲୁଗୁ ସଂପ୍ରଦାୟର ମୁଖ୍ୟ ପର୍ବ ଭାବେ ପରିଚିତ ପୋଙ୍ଗାଲକୁ ତେଲୁଗୁ ମାନେ ଖୁବ ଧୁମ ଧାମରେ ପାଳନ କରୁଥିବା ବେଳେ ଓଡିଆମାନେ ମଧ୍ୟ ଏହାକୁ ପାଳନ କରିଥାନ୍ତି । ଏହି ପର୍ବର ପ୍ରଥମ ଦିନକୁ ଭୋଗି କୁହାଯାଇଥାଏ । ଏହି ଦିନ ବଡ ବଡ କାଠଗଣ୍ଡିରେ ନିଆଁ ଲଗାଇ ଅଗ୍ନି ଦେବତାଙ୍କୁ ପୂଜାର୍ଚ୍ଚାନା କରାଯାଉଥିବା ବେଳେ ଦ୍ୱିତୀୟ ଦିନରେ ପାଣ୍ଡୁକୁ ପାଳନ କରିଥାନ୍ତି  ।  ଏହି ଦିନ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ । ସେହିଭଳି ତୃତୀୟ ଓ ଚତୁର୍ଥ ଦିନ କାନୁମୁ ଓ ମୁକାନୁମୁ ପାଳନ ହୋଇଥାଏ । ଏହି ସମୟରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖାଇବାର ମଜା ଉଠାଇଥାନ୍ତି  ।

ଏହି ଉତ୍ସବ ପାଳନର ଦୁଇଟି କାରଣ ରହିଥିବା କୁହାଯାଏ । ଗୋଟିଏ ପିତୃ ପୁରୁଷଙ୍କ ପିଣ୍ଡଦାନ ପାଇଁ କାରାଯାଉଥିବା ବେଳେ ଅନ୍ୟ କାରଣଟି ହେଉଛି ଚାଷୀମାନେ ହାଡଭଙ୍ଗା ଶୀତରେ କଷ୍ଟ କରି ଅମଳ କରିସାରିବା ପରେ ମଜା କରିବା ପାଇଁ ଏହାକୁ ପାଳନ କରାଯାଉଥିବା ମଧ୍ୟ କୁହାଯାଏ । ନୂତନ ଭାବେ ଅମଳ ହୋଇଥିବା ଫସଲକୁ ଠାକୁର ଏବଂ ପିତୃ ପୁରୁଷଙ୍କ ନିକଟରେ ଲାଗି କରିଥାନ୍ତି । ଏହା ବନ୍ଧୁ ମିଳନର ଅନ୍ୟ ଏକ ମାଧ୍ୟମ ହୋଇଥିବାରୁ ସମସ୍ତେ ଏହାକୁ ପାଳନ କରିବା ପାଇଁ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥାନ୍ତି  ।

ସଂସ୍କୃତି ଓ ପରମ୍ପରାର ସହର ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଂଚଳରେ ଉଭୟ ତେଲୁଗୁ ଏବଂ ଓଡିଆ ସଂପ୍ରଦାୟର ଲୋକେ ବିଶେଷ ଭାବେ ବସବାସ କରିଥାନ୍ତି  । ତେଣୁ ଏହି ସବୁ ଅଂଚଳରେ ଉଭୟ ଉଭୟଙ୍କ ସଂସ୍କୃତି ଓ ପରମ୍ପରାକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବାରୁ ଉଭୟଙ୍କ ମଧ୍ୟରେ ଏକ ଭାଇଚାରର ସଂପର୍କ ରହିଆସୁଛି ।