ଏଠାରେ ପ୍ରଥମ ଥର ପାଇଁ ଟଣା ହେବ ରଥ, ଉତ୍ସାହିତ ଅଛନ୍ତି ଗାଁ ଲୋକେ

ଦଶପଲ୍ଲା(କେନ୍ୟୁଜ): ମହାବୀରକ୍ଷେତ୍ର କୁଞ୍ଜବନଗଡ଼ ଦଶପଲ୍ଲାର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ ଭାବରେ ପରିଚିତ ସାତପାଟଣାରେ ବିରାଜିତ ପ୍ରଭୁ । ଅନିବନ୍ଧନ ବାନ୍ଧବ ପତିତପାବନ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ପରେ ଏବର୍ଷ ନୂତନ ଭାବରେ ରଥ ଯାତ୍ରା ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପରିଚାଳନା କମିଟି ଓ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ରୀତିନୀତି ଓ ପରମ୍ପରାକୁ ବଜାୟ ରଖି ୩ ରଥ ନିର୍ମାଣ ଚାଲିଛି ।

ଗତ ମାଘ ଶୁକ୍ଲପକ୍ଷ ପଞ୍ଚମୀ ବା ବସନ୍ତ ପଞ୍ଚମୀ ଦିନଠାରୁ ସ୍ୱତ୍ରୀୟ କର୍ମକାଣ୍ଡି ବ୍ରାହ୍ମଣମାନଙ୍କ ପୂଜାର୍ଚ୍ଚନା ପରେ ଭୋଇ ସେବକମାନଙ୍କ ଦ୍ଵାରା ରଥପାଇଁ ଦାରୁ ଛେଦନ କରାଯାଇଥିଲା । ଏହାପରେ ପବିତ୍ର ଅକ୍ଷୟ ତୃତୀୟା ଦିନ ଦାରୁଙ୍କୁ ପୁନଃ ପୂଜାର୍ଚ୍ଚନା ପରେ ମହାରଣା ସେବକମାନଙ୍କ ଦ୍ବାରା ରଥକାର୍ଯ୍ୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ସିଂହାସନ ପାରାଭାଡି ପର୍ଯ୍ୟନ୍ତ ସମାପିତ ହୋଇସାରିଥିବା ବେଳେ ଆସନ୍ତା ଆଷାଢ଼ ଅମାବାସ୍ୟା ସୁଦ୍ଧା ରୂପକାର ସେବକମାନଙ୍କ ଦ୍ଵାରା ରଙ୍ଗକାମ , ସାରଥି,ଅଶ୍ଵ,ପାର୍ଶ୍ଵ ଦେବାଦେବୀ ଓ କନା , ଜରୀ, ଜମ୍ବୁରା କାମ ସମାପନ ହେବ ବୋଲି ଆଶା କରାଯାଉଛି ।

ପରିଚାଳନା କମିଟି ସଦସ୍ୟଙ୍କ କହିବା ଅନୁଯାୟୀ ଦେବୀ ସୁଭଦ୍ରାଙ୍କ ଦେବଦଳନ ବା ଦର୍ପଦଳନ ରଥକୁ କେବଳ ମହିଳାମାନେ ଟାଣିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ୪ ବେଦ ଆଧାରରେ ୩ ଗୋଟି ରଥର ୪ ଟି ଲେଖାଏଁ ଚକ ରହିଛି । ୩ ରଥର ବାଡ଼ଗ୍ରାହି ସେବକମାନେ ଏହି ରଥକୁ ପରିଚାଳନା କରିବେ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଏହି ବର୍ଷ ନେତ୍ରୋତ୍ସବ , ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ରୀତିନୀତିରେ କିଛିଟା ବିଳମ୍ବ ହେବବୋଲି ପୂର୍ବାନୁମାନ କରାଯାଉଛି । ଏହି ଦିବସରେ ମଧ୍ୟ ନୂତନ ଗୁଣ୍ଡିଚା ମଣ୍ଡପ ପ୍ରତିଷ୍ଠା କରାଯିବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

ଦଶପଲ୍ଲା ସାତପାଟଣାରେ ଅନୁଷ୍ଠିତ ହେବାକୁ ଥିବା ଏହି ନବଦିନାତ୍ମକ ଯାତ୍ରାରେ ମାଉସୀ ମାଆ ମନ୍ଦିରରେ ନବଦିନ ବ୍ୟାପୀ ଅନ୍ନ ବ୍ୟଞ୍ଜନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସମାରୋହ ପ୍ରବଚନ କାର୍ଯ୍ୟକ୍ରମ ପ୍ରଭୃତି ଅନୁଷ୍ଠିତ ହେବ ବୋଲି କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଛନ୍ତି । ବାହୁଡ଼ା ଦିବସରେ ନବରତ୍ନ ଛେନା ପୋଡ଼ପିଠା ଲାଗି ହେବ ।