ଭାତୃଭାବ ଭାଇଚାରାର ଅତୁଟ ସମ୍ପର୍କକୁ ସାଉଁଟି ରଖି ଆସୁଛି ମୁନସୀ ମେଲଣ

ସାଲେପୁର: ୧୯୨୬ ମସିହାରୁ ସଂସ୍କୃତି ଓ ପରମ୍ପରା ସହ ଭାତୃଭାବ ଭାଇଚାରାର ଅତୁଟ ସମ୍ପର୍କକୁ ସାଉଁଟି ରଖି ଆସୁଛି ମୁନସୀ ମେଲଣ । ଏଭଳି ନିଆରା ମେଲଣ ଅନୁଷ୍ଠିତ ହୁଏ ସାଲେପୁର ହାଟ ପଡ଼ିଆରେ । ଏ ହେଉଛି ସାଲେପୁରରେ ଅନୁଷ୍ଠିତ ମୁନସୀ ମେଲଣର ଦୃଶ୍ୟ । ଏହି ମେଲଣ ହୋଲି ରାତିରୁ ଆରମ୍ଭ ହୋଇଥାଏ ।

ଭାତୃଭାବ ଓ ସଂସ୍କୃତିର ମେଲଣ ଦେଖିବାକୁ ହଜାର, ହଜାର ଶ୍ରଦ୍ଧାଳୁଙ୍କ ଯୋଗୁଁ ସାଲେପୁର କୁଆଁପାଳ ରୋଡ଼ ଲୋକାରଣ୍ୟ ହୋଇ ଉଠେ । ବିଭାନରେ ରାଧାକୃଷ୍ଣ ସାଲେପୁର ମେଲଣ ପଡିଆକୁ ଯିବା ବେଳେ ସଂସ୍କୃତି, ପରମ୍ପରା ସହିତ ଆଧୁନିକତାର ଝଲକ ଦେଖିବାକୁ ମିଳେ। ମୁନସୀ ମେଳଣର ବିଶେଷତ୍ବ ହେଉଛି ସାଲେପୁର ଥାନାରେ ଯେକୌଣସି ସମ୍ପ୍ରଦାୟର ଭାରପ୍ରାପ୍ତ ଅଧିକାରୀ ରହିଥିବେ ସିଏ ମେଲଣର ମୁଖ୍ୟ ହୋଇ ଠାକୁରଙ୍କୁ ଭୋଗ ଖୁଆଇବେ । ସେଥିପାଇଁ ମୁନସୀ ମେଲଣକୁ ଭାତୃଭାବ ଓ ଭାଇଚାରାର ମେଲଣ କୁହାଯାଏ ।

ସଂସ୍କୃତି ଓ ପରମ୍ପରାକୁ କିଭଳି ସାଉଁଟି ରଖିଛନ୍ତି ଆପଣ ମାନେ ନିଜେ ଆଖିରେ ଦେଖିଲେ ବିଶ୍ୱାସ କରିବେ । ପ୍ରଥମେ ରାଧାକୃଷ୍ଣ ବିଭାନରେ ବାଜା ବଜାଇ ରୋଷଣୀ କରି ବାଣ ଫୁଟାଇ ଭକ୍ତ ମାନଙ୍କ ଗହଣରେ ଫଗୁ ଖେଳି ଆସିବା ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ନିର୍ମିତ ପିଣ୍ଡିରେ ସ୍ୱତନ୍ତ୍ର ରୀତିନୀତିରେ ସାଲେପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଭୋଗ ଖୁଆଇବେ ଏହାପରେ ମେଲଣ ପଡିଆରେ ଥିବା ହାଟ ଦୁର୍ଗା ମଣ୍ଡପରେ ବିଜେ ହେବେ।

Also Read:ଦାଦନ ଖଟିବାକୁ ଯାଇ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ