ପ୍ରେମ ବିବାହକୁ ବିରୋଧ କରୁଛନ୍ତି କି ବାପା-ମା’? ଏହି ଉପାୟରେ ତାଙ୍କୁ ମନାନ୍ତୁ…

ସମୟ ସହ ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଘଟିଛି। ଖାସ୍ କରି ବିବାହକୁ ନେଇ ପୂର୍ବରୁ ଲୋକଙ୍କ ମନରେ ଥିବା ଭ୍ରାନ୍ତଧାରଣା ଏବେ ବଦଳିବାରେ ଲାଗିଛି। ଲୋକମାନେ ପୂର୍ବରୁ ଆରେଞ୍ଜ ମ୍ୟାରେଜ୍କୁ ପ୍ରାଧାନ୍ୟ ଦେଉଥିବା ବେଳେ ଏବେ ଲଭ୍ ମ୍ୟାରେଜ୍କୁ ବି ଗ୍ରୀନ୍ ସିଗ୍ନାଲ ଦେଖାଉଛନ୍ତି। ତଥାପି ଏବେ ମଧ୍ୟ ଏମିତି କିଛି ପରିବାର ଅଛନ୍ତି ଯେଉଁମାନେ ଲଭ୍ ମ୍ୟାରେଜ୍ ପାଇଁ ରାଜି ହେଉନାହାନ୍ତି। ଯଦି ଆପଣଙ୍କ ପରିବାର ଲୋକଙ୍କର ମଧ୍ୟ ଚିନ୍ତାଧାରା ସେଭଳି ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ କହିବୁ ଯାହା ଅଭିଭାବକଙ୍କୁ ମନାଇବାରେ କାମରେ ଆସିପାରେ। ଆସନ୍ତୁ ଜାଣିବା କ’ଣ ତାହା…
ଠିକ୍ ସମୟରେ କୁହନ୍ତୁ:
ଯଦି ଆପଣ ଜାଣିଛନ୍ତି ଯେ ପରିବାର ଲୋକ ପ୍ରେମ ବିବାହକୁ ସମର୍ଥନ କରିବେ ନାହିଁ ତେବେ ଏଭଳି ସ୍ଥିତିରେ ତାଙ୍କୁ ନିଜ ପ୍ରେମ ସମ୍ପର୍କ ବିଷୟରେ କହିବାକୁ ଠିକ୍ ସମୟକୁ ଅପେକ୍ଷା କରନ୍ତୁ। ବାପା ମା’ଙ୍କ ମନ ଭଲ ଥିବା ବେଳେ ଏହି କଥା ଉଠାନ୍ତୁ। କଥାରେ କଥାରେ ତାଙ୍କୁ କୁହନ୍ତୁ ଆପଣଙ୍କ ଜୀବନରେ କେହି ସ୍ପେଶାଲ ଅଛନ୍ତି ଯାହା ସହ ଆପଣ ସାରା ଜୀବନ କାଟିବାକୁ ଚାହୁଁଛନ୍ତି।
ବନ୍ଧୁଙ୍କ ସାହାଯ୍ୟ ନିଅନ୍ତୁ:
ପରିବାରରେ ଯଦି କେହି ସେଭଳି ବନ୍ଧୁବାନ୍ଧବ ଅଛନ୍ତି ଯାହା କଥାକୁ ବାପା ମା’ ଶୁଣନ୍ତି ଓ ମାନନ୍ତି, ତେବେ ସେମାନଙ୍କ ସାହାଯ୍ୟ ନେଇପାରିବେ। ତାଙ୍କୁ ପ୍ରଥମେ ନିଜ ମନ କଥା କୁହନ୍ତୁ। ଫଳରେ ସେ ସମୟ ସୁବିଧା ଦେଖି ଅଭିଭାବକଙ୍କୁ ଏ ବିଷୟରେ କହିବେ।
ପାର୍ଟନରଙ୍କ ବିଷୟରେ ଭଲ କଥା କୁହନ୍ତୁ:
ଆପଣ ଯାହାକୁ ନିଜ ଜୀବନସାଥୀ ବନାଇବାକୁ ଚାହୁଁଛନ୍ତି ତାଙ୍କ ବିଷୟରେ ଅଭିଭାବକଙ୍କୁ କୁହନ୍ତୁ। ତାଙ୍କ କଥାବାର୍ତ୍ତା ହାବଭାବ କେମିତି ସେ ସମ୍ପର୍କରେ ଘରେ ଖୋଲାଖୋଲି କଥା ହୁଅନ୍ତୁ। ସେ ଆପଣଙ୍କ ଘର ପାଇଁ କେମିତି ପରଫେକ୍ଟ ସେ ବିଷୟରେ ମଧ୍ୟ କୁହନ୍ତୁ। ଆପଣଙ୍କ କଠିନ ସମୟ ବେଳେ ସେ କିଭଳି ଭାବେ ସାଥ୍ ଦେଇଥିଲେ ତାହା ବି କୁହନ୍ତୁ। ଏହା ଦ୍ୱାରା ପ୍ରେମ ବିବାହକୁ ନେଇ ପରିବାର ଲୋକଙ୍କର ଚିନ୍ତାଧାରା ବଦଳିପାରେ।
ଧୈର୍ଯ୍ୟ ଧରନ୍ତୁ:
ପରିବାର ସାମ୍ନାରେ ପାର୍ଟନରଙ୍କ ବିଷୟରେ କହିବା ବେଳେ ଧୈର୍ଯ୍ୟ ଧରନ୍ତୁ। ହୁଏ ତ ପ୍ରଥମେ ସେ ଆପଣଙ୍କ କଥାକୁ ନ ମାନି ପାରନ୍ତି। କିନ୍ତୁ ପରେ ଆପଣଙ୍କ ଖୁସି ପାଇଁ ସେ ଜିଦ୍ଦି ଛାଡ଼ିପାରନ୍ତି। ଏଣୁ ଏସବୁ ବିଷୟରେ କଥା ହେବା ବେଳେ ଧୈର୍ଯ୍ୟ ଧରନ୍ତୁ ଓ ପରିବାରକୁ ସମୟ ଦିଅନ୍ତୁ।