ପିଲା ଅଧିକ ମୋବାଇଲ ବ୍ୟବହାର କରୁଥିଲେ ଆପଣାନ୍ତୁ ଏହି ଉପାୟ, ଆପେ ଛାଡ଼ିଯିବ ଫୋନ୍ ଅଭ୍ୟାସ

ଆଜିକାଲି ଲୋକଙ୍କ ଜୀବନରେ ମୋବାଇଲ ଫୋନ୍ ଏକ ଜରୁରୀ ବସ୍ତୁ ପାଲଟିଛି। ସକାଳୁ ରାତି ଯାଏ ସମସ୍ତଙ୍କୁ ଫୋନ୍ର ଆବଶ୍ୟକତା ପଡ଼ୁଛି। କେବଳ ବଡ଼ ଲୋକ ନୁହେଁ ଛୋଟ ପିଲା ମଧ୍ୟ ଧୀରେ ଧୀରେ ମୋବାଇଲ ଆଡିକ୍ଟେଡ୍ ହୋଇପଡ଼ୁଥିବା ଦେଖିବାକୁ ମିଳିଛି। ମାତ୍ର ପିଲାଙ୍କ ହାତରୁ ଫୋନ୍ ଛଡ଼ାଇବ କିଏ? ଛୁଆ ଛୋଟ ଥିବାରୁ ତାଙ୍କ ଠାରୁ ଫୋନ୍ ନେଲେ ସେମାନେ କାନ୍ଦିବାକୁ ଲାଗିଥାନ୍ତି। ଫଳରେ ବାଧ୍ୟ ହୋଇ ଅଭିଭାବକ ତାଙ୍କୁ ଫୋନ୍ ଦେଇ ଦେଇଥାନ୍ତି। କିନ୍ତୁ ଏହା ଛୁଆ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ତେବେ ଆପଣଙ୍କ ପିଲା ବି ଯଦି ଅଧିକ ମୋବାଇଲ ବ୍ୟବହାର କରୁଥାଏ ଆଜି ଆମେ କେତେକ ଏଭଳି ଉପାୟ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ଛୁଆଙ୍କର ଏହି ଅଭ୍ୟାସ ଛଡ଼ାଇପାରିବେ। ଆସନ୍ତୁ ଜାଣିବା କେମିତି…
ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଫୋନ୍ ଦିଅନ୍ତୁ:
ପିଲାମାନେ ଛୋଟ ବେଳୁ ମୋବାଇଲ ବ୍ୟବହାର କରିବା ଶିଖିଯାଇଥିବାରୁ ସେମାନେ ମୋବାଇଲକୁ ଛାଡ଼ି ଟିକେ ସମୟ ବି ରହିପାରୁନାହାନ୍ତି। ଏଭଳି ସ୍ଥିତିରେ ଆପଣ ପିଲାକୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ମୋବାଇଲ ଦିଅନ୍ତୁ। ପିଲାଙ୍କୁ କୁହନ୍ତୁ ଯେ ଦିନ ଭିତରେ କେବଳ ଘଣ୍ଟାଏ ପାଇଁ ସେ ମୋବାଇଲ ବ୍ୟବହାର କରିବ। ଯଦି ରାଜି ତେବେ ମୋବାଇଲ ଦିଅନ୍ତୁ, ନଚେତ୍ କିଛି ଦିନ ପାଇଁ ଜମା ଦିଅନ୍ତୁ ନାହିଁ। ଦେଖିବେ ତାର ଅଭ୍ୟାସ ବଦଳିବାରେ ଲାଗିବ।
ପାସଓ୍ଵାର୍ଡ ବଦଳାନ୍ତୁ:
ଆପଣଙ୍କ ପାସ୍ଓ୍ଵାର୍ଡ ଯଦି ଛୁଆ ଜାଣିଛି ଓ ଆପଣଙ୍କ ଅଜାଣତରେ ସବୁବେଳେ ଗେମ୍ ଖେଳୁଛି। ତେବେ ମୋବାଇଲର ପାସଓ୍ଵାର୍ଡ ବଦଳାଇ ଦିଅନ୍ତୁ। ସେ ଆଉ ଫୋନ୍ ବ୍ୟବହାର କରିପାରିବ ନାହିଁ।
ଭିଡିଓ ଦେଖାଇ ବୁଝାନ୍ତୁ:
ମଝିରେ ମଝିରେ ପିଲାଙ୍କୁ ଫୋନ୍ ବ୍ୟବହାର କଲେ କି କି କ୍ଷତି ହୁଏ ସେ ସମ୍ପର୍କରେ ବୁଝାନ୍ତୁ। ଭିଡିଓ ଦେଖାନ୍ତୁ। ଶରୀର ଉପରେ ମୋବାଇଲର କି କୁପ୍ରଭାବ ପଡ଼େ ତାହା ବୁଝାଇଲେ ହିଁ ସେ ଫୋନ୍ଠାରୁ ଦୂରେଇ ଯିବ।