ମାଟ୍ରିମୋନିଆଲ ସାଇଟ୍ରେ ପ୍ରୋଫାଇଲ୍ ଅସଲି ନା ନକଲି ଜାଣିବାକୁ ଅବଲମ୍ବନ କରନ୍ତୁ ଏହି ଉପାୟ

ଆଜିର ଯୁବପିଢ଼ି ପ୍ରେମ ବିବାହ କରିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ କିଛି ଲୋକଙ୍କୁ ଲାଗୁଛି ଯେ ବାପା ମା’ ତାଙ୍କ ପାଇଁ ସଠିକ୍ ପାର୍ଟନର ବାଛିପାରିବେ। ପୂର୍ବରୁ ବିବାହ ସ୍ଥିର କରିବାରେ ସମ୍ପର୍କୀୟମାନେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବେଳେ ବର୍ତ୍ତମାନ ଯୁଗ ବଦଳିଛି। ଏବେ ଲୋକମାନେ ଜୀବନସାଥୀ ଖୋଜିବାକୁ ମାଟ୍ରିମୋନିଆଲ ସାଇଟ୍ର ସାହାଯ୍ୟ ନେଉଛନ୍ତି। ମାତ୍ର କେତେକ ମାଟ୍ରିମୋନିଆଲ ସାଇଟ୍ରେ ଲୋକମାନେ ଭୁଲ ତଥ୍ୟ ଦେଇ ବିବାହ କରୁଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ସାଜିଛି। ତେବେ ଆସନ୍ତୁ ଜାଣିବା ନକଲି ପ୍ରୋଫାଇଲ୍ ଜାଣିବା ଉପାୟ…
ଫଟୋ ଉପରେ ଧ୍ୟାନ ଦିଅନ୍ତୁ:
ଯଦି ଆପଣଙ୍କ ପାଖକୁ ମାଟ୍ରିମୋନିଆଲ ସାଇଟ୍ରୁ କୌଣସି ଏଭଳି ରିକ୍ୟୁଏଷ୍ଟ ଆସୁଛି ଯେଉଁଥିରେ କୌଣସି ଫଟୋ ନାହିଁ, ତେବେ ଏଥିରେ କୌଣସି ରିଆକ୍ସନ୍ ଦିଅନ୍ତୁ ନାହିଁ। ଏଭଳି ବ୍ୟକ୍ତି ଟାଇମ୍ ପାସ୍ କରିବାକୁ ପ୍ରୋଫାଇଲ୍ ଖୋଲିଥାନ୍ତି। ଏମାନେ ସମ୍ପର୍କକୁ ନେଇ ଆଦୌ ସିରିୟସ୍ ନଥାନ୍ତି।
ଡିଟେଲ୍ସ ଦେଖନ୍ତୁ:
ମାଟ୍ରିମୋନିଆଲ ସାଇଟ୍ରେ ନିଜ ପ୍ରୋଫାଇଲ୍ ତିଆରି କରିବା ପୂର୍ବରୁ ଆପଣଙ୍କ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦିଅନ୍ତୁ। ଆପଣଙ୍କୁ କ’ଣ ପସନ୍ଦ, ନାପସନ୍ଦ, କେମିତି ସାଥୀ ଆବଶ୍ୟକ ସବୁର ଡିଟେଲ୍ସ ପ୍ରୋଫାଇଲ୍ରେ ଦେବାକୁ ଯେମିତି ନ ଭୁଲନ୍ତି। ସେହିଭଳି ଆଉ କାହା ପ୍ରୋଫାଇଲ୍ରେ ଦିଆଯାଇଥିବା କିଛି ତଥ୍ୟ ଯଦି ଆପଣଙ୍କୁ ମନଗଢ଼ା ଲାଗୁଛି ତେବେ ତାଙ୍କୁ ନେଇ ଆଗକୁ ବଢ଼ନ୍ତୁ ନାହିଁ।
ଅଧିକ ଏଡିଟ୍ କରୁଥିଲେ:
ମାଟ୍ରିମୋନିଆଲ ସାଇଟ୍ରେ ଯଦି କୌଣସି ବ୍ୟକ୍ତି ନିଜ ପ୍ରୋଫାଇଲ୍ରେ ଅଧିକ ପରିବର୍ତ୍ତନ କରୁଛନ୍ତି ତେବେ ସେଭଳି ପ୍ରୋଫାଇଲ୍ରୁ ଦୂରରେ ରୁହନ୍ତୁ। କାରଣ ଫେକ୍ ପ୍ରୋଫାଇଲ୍ କରି ଠକିବାକୁ କିଛି ଲୋକ ଏମିତି ପରିବର୍ତ୍ତନ ବାରମ୍ବାର କରିଥାନ୍ତି।
ଟଙ୍କା ମାଗୁଥିଲେ:
ଯଦି ମାଟ୍ରିମୋନିଆଲ ସାଇଟ୍ରେ କୌଣସି ବ୍ୟକ୍ତି ଆପଣଙ୍କୁ ପସନ୍ଦ ଆସିଲେ ଓ ଆପଣ କଥାବାର୍ତ୍ତା କରିବା ପରେ ସେ ଟଙ୍କା ମାଗୁଛନ୍ତି ତେବେ ସେମିତି ଲୋକଙ୍କୁ ଆଦୌ ଟଙ୍କା ଦିଅନ୍ତୁ ନାହିଁ। ଯଦି ପାରୁଛନ୍ତି ତାଙ୍କ ଠାରୁ ଦୂରତା ରକ୍ଷା କରି ନମ୍ବରକୁ ବ୍ଲକ କରିଦିଅନ୍ତୁ। ଏଭଳି ବ୍ୟକ୍ତି ଲୋକଙ୍କୁ ଇମୋସନାଲ ବ୍ଲାକ୍ମେଲ କରି ଟଙ୍କା ହଡ଼ପ କରିଥାନ୍ତି।
ବିବାହ ପାଇଁ ଜିଦ୍ କରୁଥିଲେ:
ପ୍ରାୟତଃ ଲୋକମାନେ ମାଟ୍ରିମୋନିଆଲ ସାଇଟ୍ରେ ଟାଇମ୍ ପାସ୍ କରିବାକୁ ନିଜ ଆକାଉଣ୍ଟ ଖୋଲିଥାନ୍ତି। ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ଥାଏ ଲୋକଙ୍କୁ ଠକିବା। ଏଭଳି ଲୋକ ବିବାହ କରିବା ପାଇଁ ବାଧ୍ୟ କରିଥାନ୍ତି। ଯଦି ସେମିତି କିଛି ଲୋକଙ୍କ ହାବୁଡ଼ରେ ଆପଣ ପଡ଼ୁଛନ୍ତି ତେବେ ତୁରନ୍ତ ତାଙ୍କ ପ୍ରୋଫାଇଲ୍କୁ ବ୍ଲକ୍ କରିଦିଅନ୍ତୁ।
ସବୁଆଡ଼ୁ ଯାଞ୍ଚ କରିବା ପରେ ହିଁ ଆଗକୁ ବଢ଼ନ୍ତୁ:
ଯଦି ମାଟ୍ରିମୋନିଆଲ ସାଇଟ୍ରେ ଆପଣ କୌଣସି ଏମିତି ବ୍ୟକ୍ତିଙ୍କୁ ଭେଟୁଛନ୍ତି ଯାହାର ଆଚାର ବ୍ୟବହାର, ଚାଲିଚଳଣି ପୂରା ଆପଣଙ୍କ ଭଳି, ତେବେ ତାଙ୍କୁ ନେଇ ଆଗକୁ ବଢ଼ିବା ପୂର୍ବରୁ ସମସ୍ତ ଯାଞ୍ଚ କରନ୍ତୁ। ଯାଞ୍ଚ ପରେ ଯଦି ଲାଗୁଛି ସେ ନକଲି ନୁହେଁ ଓ ଦେଇଥିବା ଡାଟା ସତ ତେବେ ହିଁ ଆଗକୁ ବଢ଼ନ୍ତୁ। ଏଥିପାଇଁ ବନ୍ଧୁବାନ୍ଧବଙ୍କ ସାହାଯ୍ୟ ମଧ୍ୟ ନେଇପାରିବେ।