ଏଭଳି ବିରଳ ମହାଯଜ୍ଞରେ ଶହ ଶହ ଭକ୍ତ ଛୁଟି ଆସନ୍ତି ଇଚ୍ଛାପୁର ଗ୍ରାମକୁ

ଟାଙ୍ଗୀ: ବାଜୁଛି ଘଣ୍ଟ ଘଣ୍ଟା । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ଉତ୍ସବ ସ୍ଥଳ । ମହିଳାମାନଙ୍କଠାରୁ ଆରମ୍ଭ କରି ପୁରୁଷଙ୍କ ପର୍ଯ୍ୟନ୍ତ, ଛୁଆଠୁ ନେଇ ବୃଦ୍ଧ ସମସ୍ତେ ଏକତ୍ରିତ ହୋଇଛନ୍ତି । ଅବସର ଜଗତ କଲ୍ୟାଣ ପାଇଁ ଦୀପ ମହାଯଜ୍ଞ । ଇଚ୍ଛାପୁର ଗ୍ରାମରେ ଦୀର୍ଘ ୨୦ ବର୍ଷ ଧରି ପ୍ରତିବର୍ଷ ଆୟୋଜିତ ହୋଇଆସୁଛି ଏହି ଦୀପ ମହାଯଜ୍ଞ । ଜଗତ କଲ୍ୟାଣ ପାଇଁ ୧ଲକ୍ଷ ୮ଦୀପ ଜାଳନ୍ତି ଗ୍ରାମବାସୀ ।

ଏଭଳି ବିରଳ ମହାଯଜ୍ଞରେ ଜିଲ୍ଲା ଓ ଜିଲ୍ଲା ବାହାରର ଶହ ଶହ ଭକ୍ତ ଛୁଟି ଆସନ୍ତି ଇଚ୍ଛାପୁର ଗ୍ରାମକୁ । ସଂସ୍କୃତି ସହ ସେବାକୁ ଗୁରୁତ୍ଵ ଦିଅନ୍ତି ଗ୍ରାମବାସୀ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଇଚ୍ଛାପୁର ଗ୍ରାମରେ ଆଜକୁ ୨୦ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ପ୍ରତି ବର୍ଷ ଗ୍ରାମର ଆରାଧ୍ୟ ଠାକୁର ବାବା ବାଙ୍କନିଧି ଦେବଙ୍କ ପୀଠରେ ବିଶ୍ୱଶାନ୍ତି ଶୈବଯୋଗ ଓ ଦୀପ ମହାଯଜ୍ଞ ଆରମ୍ଭ ହୋଇଯାଇଛି ।

ଏହି ଅବସରରେ ବିମାନରେ ଠାକୁରଙ୍କୁ ବିରାଟ ପଟୁଆରରେ ନଗର ପରିକ୍ରମା କାରାଯାଇ ଯଜ୍ଞ ସ୍ଥଳକୁ ନିଆଯାଇଥିଲା । ବାବାଙ୍କ ନିକଟରେ ଯିଏ ଯାହା ମାନସିକ କରେ ତାହା ନିଶ୍ଚିତ ପୂରଣ ହେଉଥିବାରୁ ଜିଲ୍ଲା ଓ ଜିଲ୍ଲା ବାହାରର ଶହ ଶହ ଭକ୍ତ ଛୁଟି ଆସିଥାନ୍ତି ଇଚ୍ଛାପୁର ଗ୍ରାମକୁ । ପ୍ରତିଦିନ ଏଠାରେ ମଙ୍ଗଳ ଆଳତି, ସୂର୍ଯ୍ୟ ପୂଜା, ଚଣ୍ଡୀ ଓ ବଗଳା ପୂଜା, ୧୦୦୮ ବେଲପତ୍ର ଅର୍ପଣ, ଘୃତ ଆହୁତି, ନାମ ସଂକୀର୍ତନ ଅନୁଷ୍ଠିତ ହେବ । ଯାହାକୁ ନେଇ ଚାରିଆଡ଼େ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ବାତାବରଣ ।

ତେବେ କଥାରେ ଅଛି ଭକ୍ତିରେ ଭଗବାନ୍‌ । ଶ୍ରଦ୍ଧାର ସହ ପ୍ରଭୁଙ୍କୁ ଡାକିଲେ ସମସ୍ତ ମନସ୍କାମନା ପୂର୍ଣ୍ଣ କରନ୍ତି ବାବା ବାଙ୍କନିଧି ଦେବ । ସେଥିପାଇଁ ତ ତାଙ୍କ ଭକ୍ତିରେ ଭଜନ କୀର୍ତ୍ତନ କରି ଝୁମୁଛନ୍ତି ଭକ୍ତଗଣ । ତେବେ ଶାନ୍ତି, ସୁଖ, ସମୃଦ୍ଧି, ସୁସ୍ଥ ନିରାମୟ ଜୀବନ ପାଇଁ ଏହି ମହାଯଜ୍ଞ କରାଯାଇଥାଏ । ଆଉ ଏହି ମହାଯଜ୍ଞକୁ ନେଇ ସମସ୍ତଙ୍କ ମନରେ ରହିଥାଏ ବେଶ୍‌ ଉତ୍ସାହ । ଯଜ୍ଞକୁ ଦେଖିବା ପାଇଁ କାହିଁ କେତେ ଦୁରରୁ ଧାଇଁ ଆସିଥାଆନ୍ତି ଲୋକେ । ଭକ୍ତିରେ ପ୍ରଭୁଙ୍କୁ କାମନା କରିଥାଆନ୍ତି ।

Also read: ଶ୍ରୀଲୋକନାଥ ଦେବଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଦିନର ରହିଛି ବିଶେଷ ମହତ୍ୱ