ଯାହା ଭାରତ କରୁଛି ଆମେ ବି ସେଇଆ କରିବୁ : ଆଇସିସି ଚାମ୍ପିନ୍ସ ଟ୍ରଫିର ‘ହାଇବ୍ରିଡ୍’ ମଡେଲକୁ ନେଇ ପାକିସ୍ତାନ ରଖିଲା ସର୍ତ୍ତ

ପାକିସ୍ତାନ କ୍ରିକେଟ୍ ବୋର୍ଡ଼କୁ ଆଇସିସିର ଚରମ ଚେତାବନୀ । ଚାମ୍ପିଅନ୍ସ ଟ୍ରଫିକୁ ‘ହାଇବ୍ରିଡ୍’ ମୋଡରେ କରିବାକୁ ରାଜି ହୁଅ ନଚେତ ଓହରି ଯାଅ । ଗତକାଲି ବସିଥିବା ଆଇସିସିର ଜରୁରୀ ବୈଠକରେ ପାକ୍ ବୋର୍ଡ଼କୁ ଏଭଳି ଚରମ ବାଣୀ ଶୁଣା ଯାଇଛି । ତେବେ ଯାହା ସୂଚନା ରହିଛି ‘ହାଇବ୍ରିଡ୍’ ଢାଞ୍ଚାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି କରିବା ପାଇଁ ପାକିସ୍ତାନ ରାଜି ହୋଇଛି କିନ୍ତୁ ଏକ ବଡ଼ ସର୍ତ୍ତ ରଖିଛି । ତାହା ହେଉଛି ଭାରତ ଯେଭଳି ଖେଳିବାକୁ ସର୍ତ୍ତ ରଖିଛି ଠିକ୍ ସେହିଭଳି ପାକିସ୍ତାନ ଖେଳିବାକୁ ଚାହୁଁଛି ।
ଆସନ୍ତୁ ଟିକେ ଭଲ ଭାବେ କଥାଟି ବୁଝିବା । ‘ହାଇବ୍ରିଡ୍’ ମୋଡ ଅର୍ଥ ହେଉଛି ଗୋଟିଏ ନିରପେକ୍ଷ ସ୍ଥାନରେ ଟୁର୍ଣ୍ଣାମେଣ୍ଟର କିଛି ମ୍ୟାଚ୍ ଖେଳାଯିବ ଏବଂ ଆୟୋଜକ ଦେଶରେ ତାର ନିଜ ମ୍ୟାଚ୍ ସହ ରାଜି ହେଉଥିବା ଟିମ୍ ଖେଳିବେ । ଯାହା ଜଣାପଡ଼ିଛି, ପାକିସ୍ତାନ ଏଥିରେ ରାଜି ହୋଇଛି । ତେବେ ତାର ସର୍ତ୍ତ ହେଉଛି ଯଦି ଭାରତୀୟ ଦଳ ଚାମ୍ପିନ୍ସ ଟ୍ରଫି ଫାଇନାଲକୁ ନଆସିଛି ତେବେ ଲାହୋରରେ ଫାଇନାଲ୍ ମୁକାବିଲା ଖେଳାଯାଉ । ସେହିଭଳି ଭାରତ ଯଦି କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି ତାହା ମଧ୍ୟ ‘ହାଇବ୍ରିଡ୍’ ମୋଡରେ କରାଯାଉ । ଯାହାଫଳରେ ପାକିସ୍ତାନ ଦଳ ଭାରତରେ ନଖେଳି ବାହାରେ ଖେଳିବ ।
ଗତକାଲିର ବୈଠକ ପରେ ଆଇସିସି ପକ୍ଷରୁ କୁହାଯାଇଛି ଯେ ଚାମ୍ପିନ୍ସ ଟ୍ରଫିକୁ ନେଇ ଆଉ କୌଣସି ବୈଠକ ବସିବ ନାହିଁ । ପାକିସ୍ତାନ ତାର ନିଷ୍ପତ୍ତି ଜଣାଇବା ପରେ ହିଁ ବୈଠକ ବସିବ । ତେଣୁ ଏବେ ପସିବିର ନିଷ୍ପତ୍ତିକୁ ଅପେକ୍ଷା।
ଅନ୍ୟପକ୍ଷରେ ଭାରତୀୟ ଦଳ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଆଉ ପାକିସ୍ତାନରେ କ୍ରିକେଟ୍ ଖେଳି ନାହିଁ । ୨୦୨୩ ଏସିଆ କପ୍ ପାକିସ୍ତାନ ଆୟୋଜନ କରିଥିଲା । ହେଲେ ଏଥିରେ ଭାରତ ‘ହାଇବ୍ରିଡ୍’ ମୋଡରେ ତାର ସବୁ ମ୍ୟାଚ୍ ପାକିସ୍ତାନ ଶ୍ରୀଲଙ୍କାରେ ଖେଳିଥିଲା । ଆଗାମୀ ଚାମ୍ପିନ୍ସ ଟ୍ରଫି ୨୦୨୫ ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ମଧ୍ୟରେ ଖେଳାଯିବାର ଅଛି । ତେବେ ଏହି ଆୟୋଜନ ବିବାଦ ଯୋଗୁଁ ଏପର୍ଯ୍ୟନ୍ତ ଏହାର କ୍ରୀଡ଼ା ସୂଚୀ ଚୂଡ଼ାନ୍ତ ହୋଇ ପାରିନାହିଁ ।
ଯଦି ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି ନପାରେ କିମ୍ବା ଟୁର୍ଣ୍ଣାମେଣ୍ଟଟି ହାଇବ୍ରିଡ୍ ମଡେଲରେ ନହୁଏ ତେବେ ଆୟୋଜକ ଭାବେ ଏହା ୫୦ କୋଟି ଟଙ୍କାରୁ ଅଧିକ ହରାଇବ । ଏହା ସହିତ ପିସିବି ବାର୍ଷିକ ରାଜସ୍ବରେ ପ୍ରାୟ ୨୯୬ କୋଟି ଟଙ୍କାର କ୍ଷତି ସହିବ । ଏହାକୁ ନେଇ ଆଇସିସି ମଧ୍ୟ ଅଡୁଆରେ ପଡ଼ିବ । କାରଣ ପ୍ରସାରଣ ଅଧିକାର ଆଦିକୁ ଆଇସିସି ବିକ୍ରି କରି ସାରିଛି ।